ବିଦ୍ୟାଳୟକୁ ଦିଆଯାଉଛି ନିମ୍ନମାନର କ୍ରୀଡା ସାମଗ୍ରୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ରାଜ୍ୟ ସରକାର ଛାତ୍ରୀଛାତ୍ରୀ ମାନଙ୍କୁ କ୍ରୀଡାଭିମୁଖୀ କରିବା ଲକ୍ଷ୍ୟରେ ପ୍ରତି ବିଦ୍ୟାଳୟକୁ କ୍ରୀଡା ସାମଗ୍ରୀ କ୍ରୟ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି । ପ୍ରାଥମିକ ବିଦ୍ୟାଳୟ ପାଇଁ ୫ ହଜାର, ୟୁଜିଏମଇ ପାଇଁ ୧୦ ହଜାର ଓ ହାଇସ୍କୁଲ ପାଇଁ ୧୫ ହଜାର ଟଙ୍କା ଯୋଗାଇ ଦେଉଛନ୍ତି । ଏହି ଅର୍ଥରେ ବିଦ୍ୟାଳୟର ଶିକ୍ଷକ ମାନେ ଉପଯୁକ୍ତ କ୍ରୀଡା ସାମଗ୍ରୀ କ୍ରୟ କରି ପିଲା ମାନଙ୍କୁ କ୍ରୀଡାଭ୍ୟାସ କରାଇବାକୁ ଲକ୍ଷ୍ୟ ରଖାଯାଇଛି । ମାତ୍ର ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଏହି ସରକାରୀ ଅର୍ଥର ସଠିକ୍ ବିନିଯୋଗ ହେଉନଥିବା ଅଭିଯୋଗ ହୋଇଛି । ଏଠାରେ ସିଆରସିସି କିମ୍ବା ଶିକ୍ଷକ ମାନଙ୍କୁ କ୍ରୀଡା ସାମଗ୍ରୀ କ୍ରୟ ପାଇଁ ଦାୟୀତ୍ୱ ଦିଆ ଯାଉନାହିଁ । ବ୍ଲକ ଶିକ୍ଷାଧିକାରୀ ନିଜେ କ୍ରୀଡା ସାମଗ୍ରୀ କ୍ରୟ କରିବା ଦାୟୀତ୍ୱ ହାତକୁ ନେଇଛନ୍ତି । ଏଥିରେ ଜଣେ କର୍ମଚାରୀ ତାଙ୍କୁ ସହଯୋଗ କରୁଥିବା ସୂଚନା ମିଳିଛି । ଫଳରେ ସରକାରୀ ଅର୍ଥ ହରିଲୁଟ ହେବାର ଆଶଙ୍କା ପ୍ରକାଶ ପାଇଛି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦାବୀ ହୋଇଛି ।


