ଶିକ୍ଷକଙ୍କ ହତ୍ୟା ଘଟଣାରେ ୪ଦିନ ପରେ କେନାଲ ଭିତରୁ ସ୍କୁଟିକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ହାଇସ୍କୁଲର ଶିକ୍ଷକ ଅନିରୁଦ୍ଧ ସ୍ୱାଇଁଙ୍କ ହତ୍ୟା ଘଟଣାକୁ ୧୪ଦିନ ପରେ ଆଜି ହାଟଡିହ ଅଗ୍ନିଶମ ବିଭାଗ ସହାୟତାରେ ସଢ଼ା କେନାଲ ଭିତରୁ ସ୍କୁଟିକୁ ଉଦ୍ଧାର କରିଛି ।୧୪ଦିନ ବିତିଯାଇଥିଲେବି ପୁଲିସ ହତ୍ୟାକାରୀ ନିକଟରେ ପହଞ୍ଚି ପାରିନାହିଁ । ହତ୍ୟାକାରୀ ଅତି ଚାଲାକ ଥିବାରୁ ହତ୍ୟାକାଣ୍ଡ ସ୍ଥଳରେ କୌଣସି ସୁରାକ ଛାଡି ନଥିବାରୁ ପୁଲିସ ହତ୍ୟାକାଣ୍ଡ ଉପରୁ ରହସ୍ୟ ଭେଦ କରିବା ସମ୍ଭବପର ହୋଇପାରୁ ନାହିଁ । ଗତ ୧୩ତାରିଖ ରବିବାର ରାତିରେ ଶିକ୍ଷକଙ୍କୁ ହତ୍ୟା କରିବାପରେ ତାଙ୍କ ସ୍କୁଟି, ମୋବାଇଲକୁ ନେଇ ଫେରାର ହୋଇଥିବା ହତ୍ୟାକାରୀକୁ ଠାବ କରିବାରେ ପୁଲିସ ବିଫଳ ହୋଇଛି । ହତ୍ୟାକାରୀ ଯେବି ହେଉନା କାହିଁକି ଶିକ୍ଷକଙ୍କ ଅତି ପରିଚିତ ଓ ଜଣାଶୁଣା ବୋଲି ଅନୁମାନ କରାଯାଉଛି । ଇତିମଧ୍ୟରେ ପୁଲିସ ଶିକ୍ଷକ ଜଣକ ଚାକିରୀ କରିଥିବା ଢ଼େଙ୍କା ହାଇସ୍କୁଲର ଶିକ୍ଷକଙ୍କ ନିଜ ଆଲମିରା ଭାଙ୍ଗି ତା ଭିତରୁ ନଗଦ ୧୨ହଜାର ଟଙ୍କା, କିଛି ସୁନା ଓ କିଛି ମୋବାଇଲ ନମ୍ବର ଲେଖାଥିବା ଏକ ଖାତା ଜବଦ କରିଛି । ଯେଉଥିରେକି ଶିକ୍ଷକ ଜଣକ ଅନେକ ଟଙ୍କା ସୁଧିଆକୁ ଲଗାଣ ପତାଣ କରୁଥିବା ଷ୍ପଷ୍ଟ ହେଉଛି । ହତ୍ୟାକାରୀ ଜଣକ ସ୍କୁଟିଟିକୁ ସଢ଼ା ଗାଁ ନିକଟସ୍ଥ କେନାଲରେ ପକାଇଦେଇଥିବା ନେଇ ପୁଲିସକୁ ଏକ ସୁଚନା ମିଳିବାପରେ ଗତ ୨୦ତାରିଖରୁ ସ୍କୁଟିକୁ ଉଦ୍ଧାର ପାଇଁ ଚେଷ୍ଟା କରାଯାଉଥିଲେବି କେନାଲରେ ପାଣି ଭର୍ତ୍ତି ଯୋଗୁଁ ଉଦ୍ଧାର କରିବାରେ ସଫଳ ହୋଇପାରି ନଥିଲା । ଆଜି କେନାଲର ସାଇଫନରୁ ପାଣି କମାଯିବାପରେ ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳଙ୍କ ଉପସ୍ଥିତିରେ ହାଟଡିହି ଅଗ୍ନିଶମ ବିଭାଗର କେନ୍ଦ୍ରାଧିକାରୀ ସୂର୍ଯ୍ୟମଣୀ ନାୟକ, ମୁଖ୍ୟ ଆଗ୍ନିକ କପିଳାଶ ନାୟକ, ରାକେଶ ସେନାପତି, ଭାବଗ୍ରାହୀ ବେହେରା, କ୍ଷୀରୋଦ ଚାତାର, ମାନସ ରଞ୍ଜନ ନାୟକ, ମନୋଜ ଅଗ୍ନିଶମ କର୍ମଚାରୀ ମାନେ ଅକ୍ଳାନ୍ତ ପରିଶ୍ରମ କରି ସ୍କୁଟି ଉଦ୍ଧାର କରିଥିଲେ । କିନ୍ତୁ ଉଦ୍ଧାର ସ୍କୁଟି ଭିତରୁ ମଧ୍ୟ କୌଣସି ସୁରାକ ପୁଲିସ ପାଇପାରି ନାହିଁ । ଏଠାରେ ସୁଚନାଯୋଗ୍ୟ ଯେ ଇଞ୍ଚୋଳ ଗ୍ରାମର ଅନିରୁଦ୍ଧ ସ୍ୱାଇଁ ଢ଼େଙ୍କା ହାଇସ୍କୁଲର ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ମରୈଗାଁ ଛକରେ ଏକ ଭଡାଘରେ ରାତ୍ରୀଯାପନ କରନ୍ତି । ସେ ଗତ ୧୩ ତାରିଖ ରବିବାର ରାତିରେ ଭଡାଘରେ ରହିଥିବାବେଳେ କେହି ଦୁର୍ବୁତ ତାଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲା । ଏପରି ହତ୍ୟା କରିବାପରେ ସଂପୃକ୍ତ ଶିକ୍ଷକଙ୍କ ହେଲମେଟ, ସ୍କୁଟି ଓ ତାଙ୍କ ମୋବାଇଲକୁ ନେଇ ପଳାଇବା ସହ ଘରକୁ ବାହାରପଟୁ ତାଲା ପକାଇ ଦେଇଥିଲା । ପୁଲିସ ସେହିଦିନ ଠାରୁ ହତ୍ୟାକାରୀକୁ ଠାବ କରିବାପାଇଁ ଦିନରାତି ଏକ କରି ଦେଇଥିଲେବି ହତ୍ୟାକାରୀ ସମ୍ପର୍କରେ ସାମାନ୍ୟତମ ସୁରାକ ପାଇ ନପାରିବା ଚର୍ଚ୍ଚାର ବିଷୟ ପାଲଟିଛି ।


