ଭିନ୍ନକ୍ଷମ ବୃଦ୍ଧ, ଘୋଷରୀ ଘୋଷରୀ ମାଗୁଛି ଭିକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦୁଇ ଦୁଇଟି ପୁଅ ଅଛନ୍ତି ହେଲେ କେହି ପଚାରୁନାହାନ୍ତି । ଭତ୍ତା ମିଳୁଛି କିନ୍ତୁ ଏକାଉଣ୍ଟକୁ ଚାଲିଯାଉଛି । ସେ ଜଣେ ଭିନ୍ନକ୍ଷମ ବୃଦ୍ଧ ଏଣୁ ବ୍ୟାଙ୍କକୁ ଯିବା ତାଙ୍କ ପକ୍ଷେ ସମ୍ଭବପର ନୁହଁ। ତେଣୁ ମୋତେ ହାତରେ ଆଣି ଭତ୍ତା ଦେବାକୁ କହିଲେ କେହି ଶୁଣନାହାନ୍ତି ।କଣ କରିବି ଆଜ୍ଞା ସେଥିପାଇଁ ଯେତେ କଷ୍ଟ ହେଲେ ମଧ୍ୟ ବୁଲି ବୁଲି ଭିକ୍ଷା ମାଗୁଛି । ଜଣେ ଭିନ୍ନକ୍ଷମ ବୃଦ୍ଧ,ବାଳ ପାଚିଗଲାଣି ଚର୍ମ ଝାଉଁଳି ଗଲାଣି ଚାଲି ପାରୁନାହାନ୍ତି । ବଜାରରେ ଘୋଷରୀ ଘୋଷରୀ ଦୋକାନ ଦୋକାନ ବୁଲି ଭିକ ମାଗୁଛନ୍ତି ।ଏ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଗ୍ରାମର ୮୨ ବର୍ଷୀୟ ବୃଦ୍ଧ ନକୁଳ ନାୟକ ।ଏହି ବୃଦ୍ଧ ଜଣଙ୍କ ବହୁତ ବର୍ଷ ହେବ ଏମିତି ଅଡବା ବଜାରରେ ଘୁଷୁରୀ ଘୁଷୁରୀ ଭିକ ମାଗୁଛନ୍ତି l ନକୁଳଙ୍କ ସ୍ତ୍ରୀ ଦୀର୍ଘ ୩୦ ବର୍ଷ ହେଲା ନକୁଳଙ୍କୁ ଏକୁଟିଆ ଛାଡି ଆରପାରିକୁ ଚାଲିଗଲେଣି l ଝିଅଟିଏ ଥିଲା ସେ ବି ଆରପାରିରେ l ଦୁଇ ପୁଅ ଅଛନ୍ତି ହେଲେ କେହି ପଚାରୁନାହାନ୍ତି । ବର୍ତ୍ତମାନ ନକୁଳ ଏକୁଟିଆ l ନାତି ଗଣ୍ଡେ ଖାଇବାକୁ ଦେଲେ ସେ କଷ୍ଟେମଷ୍ଟେ ଖାଇ ବଞ୍ଚିଛନ୍ତି l ନିଜର ସାଧାରଣ ଖର୍ଚ୍ଚ ପାଇଁ ପଇସା ଦରକାର ପଡୁଥିବାରୁ ଅଡବା ବଜାରରେ ଘୁଷୁରୀ ଘୁଷୁରୀ ଏମିତି ଭିକ ମାଗି ଚଳୁଛନ୍ତି l କିଏ ଟିକିଏ ଜଳଖିଆ ହାତକୁ ବଢାଇ ଦେଉଛନ୍ତି ତ ଆଉ କିଏ କିଛି ପଇସା ଦିଅନ୍ତି। ବଡପୁଅ ଯାଇ ଶଶୁର ଘରେ ରହୁଥିବା ବେଳେ ସାନ ପୁଅ ତାର ସ୍ତ୍ରୀ ପିଲାଙ୍କୁ ଧରି ଚଳୁଛି l କିନ୍ତୁ ବାପା ପ୍ରତି ଯେମିତି କାହାର ନଜର ନାହିଁ ।ବାପା ମା ଗୋଟିଏ ଛୁଆକୁ ଜନ୍ମ କରିବା ପରେ କେତେ ଯେ ସ୍ୱପ୍ନ ଦେଖିଥାନ୍ତି ।କିନ୍ତୁ ନକୁଳଙ୍କ ସେହି ସ୍ୱପ୍ନ ସେମିତି ଅଧୁରା ରହିଯାଇଛି । ତାଙ୍କ ପୁଅକୁ ପଚାରିବାରୁ ସେ ସେମିତି କିଛି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ । ଭିନ୍ନକ୍ଷମ ବୃଦ୍ଧଙ୍କର ଏଭଳି ଦୁଃଖ ଦେଖି ଗ୍ରାମର ଶୁସାନ୍ତ ନାୟକ କହିଛନ୍ତି ନକୁଳକୁ ୮୨ ବର୍ଷ ହେଲାଣି କିନ୍ତୁ ବର୍ତ୍ତମାନ ୭ ଶହ ଟଙ୍କା ମିଳିବା ଯାଗାରେ ମିଳୁଛି ୫ ଶହ ଟଙ୍କା । ହେଲେ ତାହା ବି କିଛି ମାସ ହେଲା ତାଙ୍କର ମୋହନା ବ୍ୟାଙ୍କ ଏକାଉଣ୍ଟକୁ ଚାଲି ଯାଉଛି ।ତେଣୁ ତାଙ୍କ ଭତ୍ତା ବୃଦ୍ଧି କରାଇବା ସହ ତାଙ୍କ ହାତ ପାଆନ୍ତାରେ ଭତ୍ତା ଏବଂ ଗୋଟିଏ ଟ୍ରାଇ ସାଇକେଲ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତିି। ଏହି ଭିନ୍ନକ୍ଷମ ବୃଦ୍ଧଙ୍କୁ କିଭଳି ହାତ ପାଆନ୍ତାରେ ଭତ୍ତା ମିଳିବ ସେ ନେଇ ଅଡ଼ବା ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ଆସନ୍ତା ମାସ ଠାରୁ ତାଙ୍କ ଘରକୁ ଯାଇ ନକୂଳ ହାତରେ ଭତ୍ତା ପ୍ରଦାନ କରିବି ବୋଲି କହିଛନ୍ତି । ତେବେ ପ୍ରଶାସନ ନକୂଳଙ୍କ ପାଇଁ କି ପ୍ରକାର ସହାୟତା ପ୍ରଦାନ କରିବେ ତାହା ଦେଖିବାକୁ ବାକି ରହିଲା।


