କୋଣାର୍କ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା, ଶାସ୍ତ୍ରୀୟ ମଣିପୁରରେ ବୈଷ୍ଣବ ତତ୍ତ୍ବ ମନ ମୋହିଲା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ କୋଣାର୍କ ଉତ୍ସବର ଆଜି ଥିଲା ଦ୍ଵିତୀୟ ସନ୍ଧ୍ୟା। ଦ୍ବିତୀୟ ସନ୍ଧ୍ୟାର ପ୍ରଥମାର୍ଦ୍ଧରେ ଜବାହରଲାଲ ନେହେରୁ ମଣିପୁରୀ ଡ୍ଯାନ୍ସ ଏକାଡେମୀର ଗୁରୁ ଏଲ. ଉପେନ୍ଦ୍ର ନାଥ ଶର୍ମା ଓ ସାଥି କଳାକାର ମାନଙ୍କ ଦ୍ଵାରା ଶାସ୍ତ୍ରୀୟ ମଣିପୁରୀ ନୃତ୍ୟରେ ବୈଷ୍ଣବ ତତ୍ତ୍ବ ଉପରେ ଆଧାରିତ ରାଧା ଓ କୃଷ୍ଣଙ୍କ ଅମର ପ୍ରେମ ଉପରେ ଆଧାରିତ ବସନ୍ତରାସକୁ ଶିଳ୍ପୀ ମାନେ ପରିବେଷଣ କରିଥିଲେ। ଯାହା କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଏକ ସାଂସ୍କୃତିକ ଭାବାବେଗ ସହ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ବୈଷ୍ଣବ ତତ୍ତ୍ବ ଦର୍ଶନ ଉପରେ ଆଧାରିତ ରାଧାକୃଷ୍ଣ ଓ ଗୋପବାଳୀଙ୍କ ରାସର ପୃଷ୍ଟ ଭୂମିରେ ମଣିପୁରୀ ଶାସ୍ତ୍ରୀୟ ନୃତ୍ୟରେ ଭକ୍ତିର ମାର୍ଗକୁ ଶିଳ୍ପୀ ମାନେ ନିଖୁଣ ଭାବରେ ପ୍ରଦର୍ଶିତ କରିଥିଲେ। ଏହି ସନ୍ଧ୍ୟାର ଦ୍ବିତୀୟ ଚରଣରେ ଗୁଞ୍ଜନ ଡ୍ଯାନ୍ସ ଏକାଡେମୀର ଓଡିଶୀ ନୃତ୍ୟାଙ୍ଗନା ମୀରା ଦାସ ଓ ସାଥି କଳାକାର ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟରେ ସୂର୍ଯ୍ୟ ନାରାୟଣଙ୍କ ସ୍ତୁତି ପରିବେଷଣ କରାଯାଇଥିଲା। ପରେ ପରେ ଝିଂଝୋଟି ପଲ୍ଲବୀ ଓ ଅନ୍ତିମ ଚରଣରେ ନାରୀ ଜୀବନର ତ୍ଯାଗପୂତ ଗାଥା ଉପରେ ମୀରା ଦାସ ଓ ସାଥି କଳାକାର ମାନଙ୍କ ଦ୍ଵାରା ସାମାଜିକ ଚେତନାର ଜାଗରଣ ଉପରେ ଏକ ବାର୍ତ୍ତା ବହନ କରିଥିଲା। ପୁରାଣ ବର୍ଣ୍ଣିତ ଚନ୍ଦ୍ରଭାଗା ତୀର୍ଥ କୂଳରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନ ସମାରୋହରେ ବାଲୁକା ଶିଳ୍ପୀ ମାନେ ଓଡିଶାର କ୍ରୀଡା ଓ ନାରୀ ସଶକ୍ତିକରଣ ଉପରେ ନିଖୁଣ ଭାବେ ବାଲୁକା ଶିଳ୍ପୀ ମାନେ ନିଜର କଳା ପ୍ରଦର୍ଶନ କରିଥିଲେ। ଏଥିରେ ନାରୀ ସଶକ୍ତିକରଣ ଓ ଓଡିଶାର କ୍ରୀଡା କ୍ଷେତ୍ରରେ ଏକ ସଚେତନତା ବାର୍ତ୍ତା ପ୍ରଚାର କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ସଦୃଶ। ଏହି କଳାକୃତି ଦେଖିବାକୁ ଚନ୍ଦ୍ରଭାଗା ବେଳାଭୂମି କୂଳରେ ବେଶ ଭିଡ ପରିଲକ୍ଷିତ ହୋଇଥିଲା। ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ସଂଗୀତ ସହ ଚନ୍ଦ୍ରଭାଗା ବେଳାଭୂମି କୂଳରେ ବାଲୁକା ଶିଳ୍ପୀ ମାନଙ୍କ ନିଖୁଣ କଳାକୃତି ଓଡିଶାର କଳା ଓ ସଂସ୍କୃତିର ଏକ ପରିଭାଷା ସଦୃଶ ବୋଲି ପର୍ଯ୍ୟଟକ ମାନେ ମତବ୍ୟକ୍ତ କରିଥିଲେ। କୋଣାର୍କ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଅତିଥି ଭାବରେ ଓଡିଶା ଉଚ୍ଚନ୍ୟାୟାଳୟ ର ବିଚାରପତି ଜଷ୍ଟିସ ଯଶଓ୍ବାନ୍ତ ସିଂ, ନେପାଳର ରାଷ୍ଟ୍ରଦୂତ ଶଙ୍କର ପ୍ରସାଦ ଶର୍ମା, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ, ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କେ ବିଶାଲ ସିଂ, କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ଏସ କେ ଦାଶ ଓ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଡଃ ମୃତ୍ୟୁଞ୍ଜୟ ରଥ ଓ ଡଃ ନାଜିଆ ଆଲମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ, ଡଃ ସଂଗୀତା ଗୋସାଇଁଙ୍କ ସମେତ ଓଡିଶା ପର୍ଯ୍ୟଟନ ବିଭାଗର ଅଧିକାରୀ ଓ ଓଡିଶା ସଂଗୀତ ନାଟକ ଏକାଡେମୀର ପଦାଧିକାରୀ ମାନେ ପରିଚାଳନା କରିଥିଲେ।