ତାଲୁକା ଲିଗାଲ୍ ସର୍ଭିସେସ୍ କମିଟି ପକ୍ଷରୁ ମାନବିକ ଅଧିକାର ଦିବସ ପାଳିତ
କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲ୍ଲା କୋଦଳା ତାଲୁକା ଲିଗାଲ୍ ସର୍ଭିସେସ୍ କମିଟି ପକ୍ଷରୁ ଶନିବାର ପାଳିତ ହୋଇଯାଇଛି ମାନବିକ ଅଧିକାର ଦିବସ। କୋଦଳା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଲୁକା ଲିଗାଲ୍ ସର୍ଭିସେସ କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ଚିନ୍ମୟ ଗଛାୟତକଂ ଉପସ୍ଥିତିରେ ଏହି ଦିବସ ପାଳିତ ହୋଇଯାଇଛି। ୧୯୪୮ ଡିସେମ୍ବର ୧୦ରେ ମିଳିତ ଜାତିସଂଘର ସାଧାରଣ ସଭାରେ ମାନବିକ ଅଧିକାରର ସାର୍ବଭୌମ ଘୋଷଣାନାମାକୁ ଅନୁମୋଦନ କରାଯାଇଥିଲା। ଜାତିସଂଘ ଆନୁକୂଲ୍ୟରେ ୧୯୫୦ରୁ ପ୍ରତିବର୍ଷ ମାନବାଧିକାର ଦିବସ ପାଳିତ ହୋଇଆସୁଛି। ବିଶ୍ବର ପ୍ରତ୍ୟେକ ପ୍ରାନ୍ତର ଲୋକଙ୍କୁ ସେମାନଙ୍କ ସାମାଜିକ, ସାଂସ୍କୃତିକ, ଶାରୀରିକ ଅଧିକାର ସମ୍ପର୍କରେ ସଚେତନ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ସମସ୍ତଙ୍କୁ ସମାନ ସୁଯୋଗ ଦିଆଯିବା ସହ ଭେଦଭାବ ଭଳି ସମସ୍ୟାର ସମାଧାନ ପାଇଁ ଜାତିସଂଘ ମାନବାଧିକାର ଦିବସ ପାଳନ କରିବାକୁ ଉତ୍ସାହିତ କରିଥାଏ। ତେବେ ସମସ୍ତଙ୍କ ପାଇଁ ନ୍ୟାୟ, ସ୍ଵାଧୀନତା ଓ ମର୍ଯ୍ୟାଦା ପରିପ୍ରେକ୍ଷୀରେ ଆମ ଦେଶରେ ଆଜି “ମାନବିକ ଅଧିକାର କେତେ ସୁରକ୍ଷିତ, ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ମାନେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାପତି ପୂର୍ଣ୍ଣଚନ୍ଦ୍ର ମିଶ୍ର, ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ସାହୁ, ତାରିଣୀ ପଟ୍ଟନାୟକ, ସୋମନାଥ ବେହେରା, ପ୍ରଫୁଲ୍ଲ ମିଶ୍ର, ପ୍ରଧାନ ଆଚାର୍ଯ୍ୟ ରଜନୀକାନ୍ତ ବେହେରା, ବିଜୟାଲକ୍ଷ୍ମୀ ପଟ୍ଟନାୟକ, ସନ୍ଯାସୀ ସାହୁ, ଜମିର୍ ଅଲ୍ଲୀ ଖାଁ, ଉପ ସଭାପତି ବାମଦେବ ପଣ୍ଡା, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା କୋର୍ଟ ଜୁନିଅର କିରାଣୀ ଦିଲଦାର୍ ଦିଲସନ୍ ଆଲମ୍ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।


