ଓଡିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ଶିକ୍ଷକ ପ୍ରଶିକ୍ଷଣ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡିଶା ଉର୍ଦ୍ଦୁ ଏକାଡେମୀ ପକ୍ଷରୁ ଉର୍ଦ୍ଦୁ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ୩ଦିନିଆ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ସୋମବାର ଉଦଘାଟିତ ହୋଇଯାଇଛି । ଉର୍ଦ୍ଦୁ ଏକାଡେମୀର ସମ୍ପାଦକ ଡକ୍ଟର ସୟଦ ମୁଶିର ଆଲାମ ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ । ଉର୍ଦ୍ଦୁ ଭାଷାର ପ୍ରଚାର ତଥା ବିକାଶ ପାଇଁ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ଏହି ଶିବିରର ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ ।ଏଥିରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶର ଜାତୀୟ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସରମାନେ ଯୋଗଦେଇ ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀଙ୍କୁ ଉର୍ଦ୍ଦୁ ଭାଷା ଉପରେ ବିଶଦ ଜ୍ଞାନ ପ୍ରଦାନ ସମ୍ପର୍କରେ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବେ ବୋଲି ଡକ୍ଟର ଆଲାମ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ହାଇଦ୍ରାବାଦର ମୌଲାନା ଆଜାଦ ଜାତୀୟ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ମିଶବାହ ଅନସର, ଭୋପାଲ ସ୍ଥିତ ମୌଲାନା ଆଜାଦ ଜାତୀୟ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଅଫାକ୍ ନଦିମ ଯୋଗଦେଇ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଯୁବ ସଂଗଠକ ସଲିମ ରାଜାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୩ ଦିନ ଧରି ଆୟୋଜିତ ହେଉଥିବା ଏହି ଶିବିରରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକରୁ ସରକାରୀ ବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ୍ୱ ଉର୍ଦ୍ଦୁ ଶିକ୍ଷକ ଅଂଶଗ୍ରହଣ କରିଛନ୍ତି ।


