ଉପକଣ୍ଠ ପାତ୍ରପଡ଼ା ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କଲେ ବିଧାୟକ

ବାଲେଶ୍ବର(ସରୋଜ ପଣ୍ଡା): ବିଶ୍ୱପ୍ରସିଦ୍ଧ ଚାନ୍ଦିପୁର ବେଳାଭୂମୀର ପୁନରୁଦ୍ଧାର ସହ ବିକାଶ ପାଇଁ ରାଜ୍ୟ ସରକାରଙ୍କ ୧୧କୋଟି ଟଙ୍କାର ଅନୁଦାନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହା ସହିତ ବୁଢ଼ାବଳଙ୍ଗ ନଦୀ ମୁହାଣ ବଳରାମଗଡି ଠାରେ ୭୫କୋଟି ଟଙ୍କା ଖର୍ଚ୍ଚରେ ନବ ନିର୍ମିତ ବୃହତ ଫିସିଂ ହାର୍ବର ମଧ୍ୟ କାର୍ଯ୍ୟକାରୀ ଅପେକ୍ଷାରେ ରହିଛି। ବାଲେଶ୍ଵର ସହରରୁ ମାତ୍ର ୧୪କିଲୋମିଟର ଦୂରରେ ଥିବା ଏହି ବେଳାଭୂମି ଓ ମୁହାଣ ପର୍ଯ୍ୟନ୍ତ ଗମନାଗମନର ବ୍ୟବସ୍ଥାକୁ ନେଇ ସବୁବେଳେ ଅଭିଯୋଗ ଉଠୁଥିବା ବେଳେ ଏହାର ପୂର୍ଣ୍ଣ କାଳୀନ ସମଧାନ ପାଇଁ ସମ୍ପ୍ରତି ନିର୍ମାଣ ହେଉଛି ୪ଥାକିଆ ରାସ୍ତା। ବାଲେଶ୍ଵର ସହର ଉପକଣ୍ଠ ପାତ୍ରପଡ଼ା ଠାରୁ ଚାନ୍ଦିପୁର ପର୍ଯ୍ୟନ୍ତ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନସ୍ତରରେ ଚାଲିଛି। ଏହି ଅବସରରେ ରବିବାର ସକାଳେ ବିଧାୟକ ମାନସ କୁମାର ଦତ୍ତ ପାତ୍ରପଡ଼ା ଅଞ୍ଚଳରେ ଜନସାଧାରଣଙ୍କ ସହ ସାକ୍ଷାତ କରି ସେମାନଙ୍କ ସମସ୍ୟା ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ପାତ୍ରପଡ଼ାର ମୁଖ୍ୟ ରାସ୍ତା ଓ ଡ୍ରେନେଜ୍ ବ୍ୟବସ୍ଥାର ସମସ୍ୟା ଉପରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା ପୂର୍ବକ ଶୀଘ୍ର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସ୍ଥାନୀୟ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ଜନସାଧାରଣଙ୍କ ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଦେଇଥିବାରୁ ଏହାର ନିବାରଣ ପାଇଁ ଆବଶ୍ୟକତା ଅନୁଯାୟୀ ସୁବ୍ୟବସ୍ଥିତ ଡ୍ରେନେଜ ନିର୍ମାଣ ଉପରେ ବିଧାୟକ ଶ୍ରୀ ଦତ୍ତ ଗୁରୁତ୍ୱାରୋପ କରିଥିଲେ। ସହରର ଏକ ପ୍ରମୁଖ ରାସ୍ତା ଭାବେ ଚାନ୍ଦିପୁର ବେଳାଭୂମି ଏବଂ ବଳରାମଗଡ଼ି ଜେଟିକୁ ସଂଯୋଗ କରୁଥିବାରୁ, ଦୈନିକ ହଜାର ହଜାର ଲୋକ ଏହା ଉପରେ ନିର୍ଭରଶୀଳ ରହିଥାନ୍ତି । ଏହାର ଉନ୍ନତି ଦ୍ୱାରା ଯାତାୟାତ ବ୍ୟବସ୍ଥା ସୁଗମ ହେବା ସହିତ ପର୍ଯ୍ୟଟନର ବିକାଶ ଓ ମତ୍ସ୍ୟ ଉତ୍ପାଦନକୁ ନେଇ ସ୍ଥାନୀୟ ଅର୍ଥନୀତି ମଧ୍ୟ ଅଧିକ ସୁଦୃଢ଼ ହେବ ବୋଲି ବିଧାୟକ ଶ୍ରୀ ଦତ୍ତ ଆଶା ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଗୌରାଙ୍ଗ ଦାସ, ବେଣୁଧର ଦାସ, ଅମିତ ନାୟକ, ରୋଜାଲିନ ପାଣି, ରାଜକିଶୋର ବାରିକ, ଉମାକାନ୍ତ ମହାପାତ୍ର, ମନ୍ମୟ ଦାସ, ଦିବ୍ୟ ଗିରି, ତନ୍ମୟ ଜେନା, ରଂଜିତ ପୃଷ୍ଟି, ସନାତନ ବାରିକ, ବୁଦ୍ଧ ମହାପାତ୍ର ଓ ବଜାର କମିଟିର ସଦସ୍ୟ ମାନେ ବିଧାୟକଙ୍କ ଏହି ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ