ଦୁଇ ଦିନ ଧରି ହେବ ଡଲଫିନ ଗଣନା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳରେ ଚଳିତ ମାସ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ୨ ଦିନ ଧରି ଡଲଫିନ୍‌ ଗଣନା କରାଯିବ । ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ରେଞ୍ଜ ବନବିଭାଗ କର୍ମକର୍ତ୍ତା ଓ ପରିବେଶ କର୍ମୀଙ୍କୁ ନେଇ ଏ ସମ୍ପର୍କ ରେ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ପି. ରାମସ୍ୱାମୀଙ୍କ ନେତୃତ୍ଵ ରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଡ଼ଲଫିନ ଗବେଷକ ତଥା କଳାହାଣ୍ଡି ବିଶ୍ଵବିଦ୍ୟାଳୟର ପ୍ରାଣୀ- ବିଜ୍ଞାନ ପ୍ରଫେସର୍ ଡଃ ମୁନତାଜ ଖାନ୍ ଯୋଗଦେଇ ଡଲଫିନ ପ୍ରକାର ଭେଦ, ପରିସଂସ୍ଥା, ପ୍ରକୃଷ୍ଟ ସମୟ, ଜୀବନ ଚକ୍ର, ଚିହ୍ନଟ ଓ ଗଣନା ପ୍ରକ୍ରିୟା ସମ୍ପର୍କରେ ଗଣନା ଟିମକୁ ପ୍ରଶିକ୍ଷଣ ଦେଇଥିଲେ । ଏହି ଗଣନା କାର୍ଯ୍ୟକ୍ରମ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଦେଵୀ ନଦୀ ମୁହାଣ ଠାରୁ ବ୍ରହ୍ମଗିରି ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ଅରଖକୁଦା ମୁହାଣ ଯାଏଁ ସମସ୍ତ ଯୋଜନା ପ୍ରସ୍ତୁତ କରାଯାଇଛି। ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ସମୁଦାୟ ୧୨ଗୋଟି ଟିମ୍ ଗଠନ କରାଯାଇ ନଦୀ, ସମୁଦ୍ର ଓ ନାଳ ଅଞ୍ଚଳରେ ଡ଼ଲଫିନ ଗଣନା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ୪ ଗୋଟି ଟିମ୍ ଛୋଟ ବୋଟ ଦ୍ୱାରା ଅସ୍ତରଙ୍ଗର ଉଭୟ ଦେବୀ ନଦୀ ମୁହାଣ ଓ କାଦୁଆ ନଦୀ ମୁହାଣ ଅଞ୍ଚଳରେ ଡଲଫିନ ଗଣନା କରିବା ସହିତ ଦେବୀ ନଦୀ ମୁହାଣ ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଟ୍ରଲର ଯୋଗେ ସାମୁଦ୍ରିକ ଜଳରାଶିରେ ଡ଼ଲଫିନ ଗଣନା କରାଯିବ । ସେହିପରି ଦେବୀ ନଦୀ ମୁହାଣ ଠାରୁ ଜାହାନିଆଁ ଏବଂ ଜାହାନିଆଁ ଠାରୁ କାଦୁଆ ନଦୀ ମୁହାଣ ନିକଟ ବେଲେଶ୍ୱର ପର୍ଯ୍ୟନ୍ତ ପାଦଚଲା ଟିମ୍ ଡଲଫିନ ଗଣନା କରିବେ । କୋଣାର୍କ, ପୁରୀ ଠାରୁ ଅରଖକୁଦା ଯାଏଁ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଡଲଫିନ ଗଣନା କାର୍ଯ୍ୟକ୍ରମ ଅୟୋଜନ କରାଯିବ ବୋଲି ସୂଚନା ମିଳିଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ବନ ସଂରକ୍ଷକ ଉତ୍ତମ କୁମାର ଗଡ଼ନାୟକଙ୍କ ସମେତ ରାଜ୍ୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାରପ୍ରାପ୍ତ ପରିବେଶବିତ୍ ବିଚିତ୍ରାନନ୍ଦ ବିଶ୍ଵାଳଙ୍କ ସମେତ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ସମସ୍ତ ଅଧିକାରୀ ଓ କର୍ମକର୍ତ୍ତା ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ