କେନ୍ଦ୍ରାପଡାକୁ ତୁରନ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ପାଇଁ ଦାବି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଶିଳ୍ପ ବିହୀନ କେନ୍ଦ୍ରାପଡା ଜିଲ୍ଲା ଭିତ୍ତିଭୂମିର ଅଭାବ କାରଣରୁ ବିକାଶ ସୂଚୀରେ ବହୁ ପଛରେ ପଡିଛି । ସ୍ଥିତିରେ ସୁଧାର ଆଣିବା ନିମନ୍ତେ ଜିଲ୍ଲାବାସୀଙ୍କ ବର୍ଷ ବର୍ଷର ଦାବି ପରେ ସରକାର କେନ୍ଦ୍ରାପଡାକୁ ରେଳପଥ ସଂଯୋଗ ପାଇଁ ନିଷ୍ପତ୍ତି ନେଲେ । ଜିଲ୍ଲାବାସୀ ମଧ୍ୟ ଏ ଦିଗରେ ସରକାରଙ୍କୁ ନିଜର ମୂଲ୍ୟବାନ ଜମି, ଜଳ, ଶ୍ରମଶକ୍ତି ଆଦି ସମସ୍ତ ପ୍ରକାର ସହଯୋଗ ଅକୁଣ୍ଠ ଚିତ୍ତରେ ଯୋଗାଇ ଦେଇଛନ୍ତି । ହରିଦାସପୁରରୁ ପାରାଦ୍ୱୀପ ପର୍ଯ୍ୟନ୍ତ ଦୀର୍ଘ ୮୨ କି.ମି.ର ରେଳପଥ ନିର୍ମାଣ ସମ୍ପନ୍ନ ହେଲା । ରେଳ ମଧ୍ୟ ଚାଲିଲା । ପ୍ରତିଦିନ କେନ୍ଦୁଝର ଓ ଯାଜପୁର ଖଣି ଅଞ୍ଚଳରୁ ହଜାର ହଜାର ଟନର ଖଣିଜ ଦ୍ରବ୍ୟ ଏହି ରେଳପଥ ଦେଇ ବିଦେଶକୁ ରପ୍ତାନୀ ହେଉଛି । ଅନ୍ୟାନ୍ୟ ପଣ୍ୟଦ୍ରବ୍ୟ ମଧ୍ୟ ପରିବହନ ହେଉଛି । ଏଥିରୁ ରେଳ ବିଭାଗ ଶହ ଶହ କୋଟି ଟଙ୍କା ଆୟ କରୁଛି । ଦେଶର ଅର୍ଥନୀତିକୁ କେନ୍ଦ୍ରାପଡା ନିଜର ସର୍ବୋତ୍ତମ ଅବଦାନ ଦେଇଥିବା ସ୍ଥଳେ ଜିଲ୍ଲାବାସୀ ଦାରିଦ୍ର୍ୟର ଗୋଲକଧନ୍ଦାରୁ ମୁକୁଳି ପାରୁନାହାନ୍ତି । କେନ୍ଦ୍ରାପଡାରୁ ଜିଲ୍ଲାବାସୀଙ୍କ ରେଳଯାତ୍ରାର ସ୍ୱପ୍ନ ଆଜି ମଧ୍ୟ ସ୍ୱପ୍ନରେ ରହିଯାଇଛି । ଏହି ରେଳପଥ ଦେଇ ଯାତ୍ରୀବାହୀ ଟ୍ରେନ୍ ଚାଲିଲେ ଏହା କେବଳ ଜିଲ୍ଲାବାସୀଙ୍କର ଗମନାଗମନକୁ ସୁଗମ କରିବ ନାହିଁ ବରଂ ବିଶ୍ୱ ପ୍ରସିଦ୍ଧ ଭିତରକନିକା, ରତ୍ନଗିରି, ଲଳିତଗିରି ଓ ଉଦୟଗିରି ଆଦି ପର୍ଯ୍ୟଟନ କ୍ଷେତ୍ରକୁ ଦେଶ ଏବଂ ବିଶ୍ୱର ବିଭିନ୍ନ ଅଞ୍ଚଳର ପର୍ଯ୍ୟଟକ ମାନଙ୍କ ଯାତାୟତ ସହଜ ହୋଇପାରିବ । ଫଳରେ ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ଘଟି ଜିଲ୍ଲାବାସୀଙ୍କ ଆର୍ôଥକ ବିକାଶକୁ ତ୍ୱରାନ୍ୱିତ କରିପାରିବ । ମାତ୍ର ଏହା ସେତିକି ବେଳେ ସଫଳ ହେବ ଯେତେବେଳେ ରେଳ ବିଭାଗ ବା ସରକାର ଏଥିଲାଗି ନୀତିଗତ ନଷ୍ପତ୍ତି ଗ୍ରହଣ କରିବେ । କଂଗ୍ରେସ, ବାମପନ୍ଥୀ ଆଦି ବିଭିନ୍ନ ରାଜନୈତିକ ଦଳ ଓ ଗଣସଂଗଠନ ମାନେ ବାରମ୍ବାର ଆନ୍ଦୋଳନ କରି ଜିଲ୍ଲା ପ୍ରଶାସନ ଓ ସରକାରଙ୍କଠାରେ ଏସମ୍ପର୍କରେ ଦାବି ଉପସ୍ଥାପନ କରି ଆସୁଛନ୍ତି । ନିକଟରେ ବିଜେଡି ସାଂସଦମାନେ ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଏହା ସତ୍ତ୍ୱେ ରେଳ ବିଭାଗ ଏପର୍ଯ୍ୟନ୍ତ କୈାଣସି ଠୋସ୍ ନିଷ୍ପତ୍ତି ଗ୍ରହଣ ନକରି ଟାଳଟୁଳ ନୀତି ଅବଲମ୍ବନ କରୁଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ ଆଲୋଚନା କରି କାର୍ଯ୍ୟକାରୀ କମିଟିି ବୈଠକରେ ଅର୍ଥନୈତିକ ଅବରୋଧ ଭଳି ଚରମ ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଜିଲ୍ଲା ବିକାଶ ସାମ୍ମୁଖ୍ୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡାର ହକ୍ ପାଇଁ ଜିଲ୍ଲାର ସମସ୍ତ ରାଜନୈତିକ ଦଳ, ଗଣସଂଗଠନ, ଛାତ୍ର, ଯୁବକ ଓ ମହିଳାମାନଙ୍କୁ ଏହି ମହାସଂଗ୍ରାମରେ ସାମିଲ ହୋଇ ଦାବି ହାସଲ ପର୍ଯ୍ୟନ୍ତ ଲାଗି ରହିବାକୁ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ ଆହ୍ୱାନ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଉପଦେଷ୍ଟା ନନ୍ଦକିଶୋର ପରିଡା, ଡଃ. ଉପେନ୍ଦ୍ରନାଥ ପ୍ରଧାନ, ବୈଷ୍ଣବ ଚରଣ ସ୍ୱାଇଁ, ଆଦିକନ୍ଦ ରାଉଳ, ଅଧ୍ୟାପକ ଗୋଲଖ ଚନ୍ଦ୍ର ମହାଭୋଇ, ସୁରେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ, ଭାଗୀରଥି ଜେନା, ଶ୍ରୀନିବାସ ପରିଡା, କରୁଣାକର ଦାସ, ବଳରାମ ସାହୁ, ଅମୀୟ ନାୟକ ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।