ବଗଳାଦେବୀଙ୍କ ଜନ୍ମୋତ୍ସବ ଓ ସିଦ୍ଧ ମହାଶକ୍ତି ପୀଠ ବାର୍ଷିକୋତ୍ସବ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ା ସ୍ଥିତ ପିତାମ୍ବରା ସିଦ୍ଧ ମହାଶକ୍ତି ପୀଠର ନବମ ବାର୍ଷିକୋତ୍ସବ ଓ ପୀଠର ଅଧିଷ୍ଠାତ୍ରୀ ଦେବୀ ମା’ ବଗଳାମୁଖୀଙ୍କ ଜନ୍ମୋତ୍ସବ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । କୋଭିଡ କଟକଣା ଯୋଗୁଁ ଦୀର୍ଘ ଦୁଇବର୍ଷ ଧରି ନିରାଡ଼ମ୍ବର ଭାବେ ପାଳିତ ହୋଇଥିବା ଏହି ଉତ୍ସବ କଟକଣା ଉଠି ଯାଇଥିବାରୁ ଚଳିତବର୍ଷ ବେଶ ଆଡ଼ମ୍ବର ସହକାରେ ଆୟୋଜିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଦେବୀ ବଗଳାମୁଖୀ ସମେତ ଅନ୍ୟ ଦେବାବେଦୀଙ୍କ ଅଭିଷେକ ଓ ଅର୍ଚ୍ଚନ ସହ ତିନି ଦିନିଆ ଯଜ୍ଞ କର୍ମକାଣ୍ଡ ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସରସ୍ୱତୀପୁର ଶିବ ମନ୍ଦିର ପୋଖରୀରୁ ଉତ୍ତୋଳିତ ଘଟ ଏକ ଶୋଭାଯାତ୍ରାରେ ବଗଳାମୁଖୀ ମନ୍ଦିରରେ ପହଞ୍ଚିଥିଲା । ଘଟସ୍ଥାପନ ସହ ପ୍ରଥମ ଦିନରେ ସୂର୍ଯ୍ୟପୂଜା, ଗୁରୁପୂଜା, ମଣ୍ଡଳାଦର୍ଶନ, ଅଗ୍ନିସ୍ଥାପନ, ଯଜ୍ଞମଣ୍ଡପକୁ ମାଆଙ୍କ ଆଗମନ ଓ ଯଜ୍ଞାହୁତି ପ୍ରଭୃତି କର୍ମକାଣ୍ଡ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମା’ ବଗଳାମୁଖୀ ବଡ଼ସିଂହାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଗୁରୁବାର ଓ ଶୁକ୍ରବାର ଦୁଇଦିନ ବ୍ୟାପୀ ମାଙ୍କୁ ବିଶେଷ ରୀତିନୀତିରେ ପୂଜାର୍ଚ୍ଚନା ସହ ଶେଷଦିନ ମହା ମୃତ୍ୟୁଞ୍ଜୟଙ୍କର ଜଳାଭିଷେକ, ଦୁଗ୍ଧାଭିଷେକ, ଦଧ୍ୟାଭିଷେକ, ଘୃତ୍ୟାଭିଷେକ, ଶର୍କରାଭିଷେକ ପରେ ରାଜବେଶ କରାଯିବ ବୋଲି ପୀଠାଧୀଶ ଆଚାର୍ଯ୍ୟ ରବିନାରାୟଣ ମିଶ୍ର ମହାରାଜ ସୂଚନା ଦେଇଛନ୍ତି । ଏହି ଅବସରରେ ମହାଯଜ୍ଞର ପୂର୍ଣ୍ଣାହୁତି ଅବ୍ୟବହିତ ପୂର୍ବରୁ ମାଙ୍କ ନିକଟରେ ୧୦୦୮ ପ୍ରକାର ବ୍ୟଞ୍ଜନ ସମ୍ବଳିତ ପ୍ରସାଦ ଲାଗି କରାଯିବାର ବ୍ୟବସ୍ଥା ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି ।


