ବିପୁଳିଙ୍ଗୀ ଗ୍ରାମ ରେ ମହିଳାଙ୍କୁ ଗଳା କାଟି ହତ୍ୟା
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗୀ ଗ୍ରାମ ବଡ଼ ସାହିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଣେ ମହିଳାଙ୍କୁ ଘରେ ଶୋଇଥିବା ବେଳେ ଗଳା କାଟି ହତ୍ୟା କରାଯାଇଛି । ମହିଳା ଜଣକ ନିଜ ଘରେ ଏକୁଟିଆ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଏଭଳି ହତ୍ୟାକାଣ୍ଡ ଭିଆଇଛନ୍ତି। ଘଟଣାସ୍ଥଳରେ ଛତ୍ରପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ଶବ ଜବତ କରିଛି। ସୂଚନାନୁଯାୟୀ, ଛତ୍ରପୁର ଥାନା ବିପୁଳିଙ୍ଗୀ ବଡ଼ ସାହିର ରାଧାଶ୍ୟାମ ଚୌଧୁରୀଙ୍କ ସ୍ତ୍ରୀ ସୁପ୍ରଭା ଚୌଧୁରୀ (୫୧) ଙ୍କୁ କେହି ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଛନ୍ତି। ପ୍ରତିଦିନ ପରି ଗତକାଲି ମଧ୍ୟ ସ୍ୱାମୀ ରାଧାଶ୍ୟାମ ଚୌଧୁରୀ ରାତି ପ୍ରାୟ ୧୦ଟା ବେଳେ ଘରୁ ବାହାରି ତାଙ୍କ ଦୋକାନ ଘରକୁ ଶୋଇବା ପାଇଁ ଯାଇଥିଲେ। ଆଜି ସକାଳୁ ୬ଟା ବେଳେ ଘରେ ପହଞ୍ଚି ଦେଖିଲା ବେଳକୁ ଘରର କବାଟ ପଡିବା ଶହ ଶିକୁଳି ଲାଗିଥିବା ଦେଖିଥିଲେ। ୨ଟି କବାଟର ଶିକୁଳି ଖୋଲି ଘର ଭିତରକୁ ଗଲାବେଳକୁ ସ୍ତ୍ରୀ ସୁପ୍ରଭାର ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ରହିଥିବା ଆଲମିରା ଖୋଲା ରହିବା ସହ ସାମଗ୍ରୀ ଗୁଡିକ ଏଣେତେଣେ ପଡିରହିଥିଲା। ସେ ସାଙ୍ଗେ ସାଙ୍ଗେ ଗ୍ରାମ ଲୋକଙ୍କୁ ଖବର ଦେବା ସହ ପୋଲିସ କୁ ଖବର ଦେଇଥିଲେ l ପୋଲିସ ଓ ସାଇଣ୍ଟିଫିକ ଟିମ ଓ ଅନୁସନ୍ଧାନି କୁକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିଲେ l ହତ୍ୟା ଘଟଣାର ପ୍ରକୃତ କାରଣ ଜଣା ପଡ଼ିନଥିବା ବେଳେ ଦୁର୍ବୃତ୍ତମାନେ ଘଟଣା ଘଟାଇବା ପରେ ଘରର ଦୁଇଟି କବାଟର ଶିକୁଳି ଦେଇ ଛାତ ଉପର ଦେଇ ଚାଲିଯାଇଥିବା ପୋଲିସ ଅନୁମାନ କରୁଛି l ଅନ୍ୟପଟେ ବିପୁଲିଙ୍ଗୀ ଗ୍ରାମ ରେ ଗଞ୍ଜାମ ଏସପି ଜଗମୋହନ ମୀନା ପହଁଚି ଘଟଣା ର ଅନୁଧ୍ୟାନ କରିବା ସହ ଘଟଣା ସମ୍ବଦ୍ଧରେ ମୃତ ସୁପ୍ରଭାଙ୍କ ପରିବାର ବର୍ଗ ଙ୍କ ସହ ଆଲୋଚନା କରିଛନ୍ତି l କେଉଁ କାରଣ ରୁ ମହିଳାଙ୍କୁ ହତ୍ୟା କରଯାଇଛି l ଏହା ପଛରେ ଚୋରି ନା ଆଉ କିଛି କାରଣ ଲୁଚି ରହିଛି ସେନେଇ ଅଧିକ ଖୋଳତାଳ ଜାରି ରଖିଛି ପୋଲିସ l ଛତ୍ରପୁର ଏସଡିପିଓ ଗୌତମ କିଷାନ ଏବଂ ଛତ୍ରପୁର ଥାନା ପୋଲିସ ଅଧିକାରୀ ଏବଂ କର୍ମଚାରୀ ମାନେ ପହଞ୍ଚି ଏହି ତଦନ୍ତ ପ୍ରକ୍ରିୟାରେ ସାମିଲ ଅଛନ୍ତି l ମହିଳାଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ଛତ୍ରପୁର ମେଡିକାଲ କୁ ପଠାଇଥିବା ବେଳେ ଅଧିକ ତଥ୍ୟ ସଂଗ୍ରହ ନିମନ୍ତେ ମୃତ ମହିଳା ସୁପ୍ରଭାଙ୍କ ସ୍ୱାମୀ ରାଧାଶ୍ୟାମ କୁ ଛତ୍ରପୁର ଥାନା କୁ ଆଣି ପୋଲିସ ପଚରା ଉଚରା କରୁଥିବା ଜଣାପଡିଛି l


