ଚାଉଳ କାଟ୍ ପ୍ରତିବାଦରେ ବିଜେଡି ପକ୍ଷରୁ ବ୍ଲକ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି):ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ଓ ଗରିବ କଲ୍ୟାଣ ଅନ୍ନ ଯୋଜନା ଚାଉଳରୁ ୫ କିଗ୍ରା କାଟିବା ପ୍ରତିବାଦରେ ଆଜି ବନ୍ତ ବ୍ଲକ ବିଜେଡି ପକ୍ଷରୁ ବ୍ଲକ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ରାଜ୍ୟ ବିଜେଡି ସଂପାଦକ ଇଂ.ପ୍ରୟାସକାନ୍ତି ସାମଲଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଜଳ ସେଚନ ବିଭାଗ କାର୍ଯ୍ୟାଳୟ ଛକ ଠାରୁ ବାଇକ୍ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ବ୍ଲକ ସମ୍ମୁଖରେ ପହଞ୍ôଚବା ପରେ ନେତା ଓ କର୍ମୀ ମାନେ ଧାରଣାରେ ବସିଥିଲେ । ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଚାଉଳ ଯୋଗାଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଚଳିତ ବର୍ଷ କେନ୍ଦ୍ର ସରକାର ବଜେଟ୍ରେ ଧାନ ସଂଗ୍ରହ ବାବଦରେ ୨୦ ହଜାର କୋଟି ଟଙ୍କା ହ୍ରାସ କରିଛନ୍ତି । ପୂର୍ବରୁ ଓଡିଶାରୁ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠୁଥିବା ବେଳେ ଏବେ ମାତ୍ର ୪ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଇବାକୁ କେନ୍ଦ୍ର ସରକାର ଧାର୍ଯ୍ୟ କରିଛନ୍ତି । କେନ୍ଦ୍ର ସରକାର ଅନ୍ୟାୟ ନୀତି ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଶ୍ରୀ ସାମଲ ଚେତାବନୀ ଦେଇଥିଲେ । ସେହିପରି ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗ ଦେଇ କେନ୍ଦ୍ର ସରକାର ଗରିବ ପେଟକୁ ଲାତ ମାରିଛନ୍ତି ବୋଲି କହିବା ସହ ଓଡିଶାର ହକ୍ ପାଇଁ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ବିପିନ ନାୟକ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ବ୍ଲକ ମହିଳା ବିଜେଡି ସଭାନେତ୍ରୀ ନିହାରିକା ରାଉତ, ବ୍ଲକ ଯୁବ ବିଜେଡି ଉପସଭାପତି ସମୀମ୍ ନୱାଜ୍, ନିରଞ୍ଜନ ମଲ୍ଲିକ, ସମିତି ସଭ୍ୟ ଧରଣୀଧର କର, ସୁଜାତା ସେଠୀ, ସରପଞ୍ଚ ରଜନୀ ସେଠୀ, ଗଜେନ୍ଦ୍ର ସେଠୀ, ପ୍ରଶାନ୍ତ ଦାସ, ହିରେନ୍ଦ୍ର ଖିଲାର, ଲକ୍ଷ୍ମୀପ୍ରିୟା ଦାସ, ନିହାର ପଣ୍ଡା, ବିନୋଦିନୀ ମହାନ୍ତି, ବସନ୍ତ କୁମାର ବେହେରାଙ୍କ ସମେତ ବିଭିନ୍ନ ପଞ୍ଚାୟତର ନେତୃତ୍ୱ, ନିର୍ବାଚିତ ପ୍ରତିନିଧି ଓ ଶତାଧିକ କର୍ମୀ ଯୋଗ ଦେଇଥିଲେ । ଶେଷରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓ ପ୍ରଦୀପ କୁମାର ସେଠୀଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଆଲୋକ ରାଉତ, ବିପିନ ରାଉତ, ହୃଦୟ ମହାପାତ୍ର, ଶକ୍ତିଧର ରାଉତ, ଗଣନାଥ ବେହେରା, ଉମେଶ ସେଠୀ, ଧର୍ମେନ୍ଦ୍ର ଜେନା, ବାପୁନ ପଣ୍ଡାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।


