ବାଲେଶ୍ୱର ଜିଲ୍ଲା ଯୋଜନା କମିଟି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ଯୋଜନା କମିଟିର ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ଭୋଗରାଇ ବିଧାୟକ ଅନନ୍ତ ଦାସ ଏଥିରେ ଅଧ୍ୟକ୍ଷତା କରିବା ସହିତ ଜିଲ୍ଲାର ବିକାଶ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି, ଗୁଣବତ୍ତା ଓ ସ୍ୱଚ୍ଛତା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ବ୍ୟୟ ଅଟକଳ ସମ୍ପର୍କରେ ସୂଚନା ଦେଇଥିଲେ । ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଥିରେ ଯୋଗଦେଇ ଜିଲ୍ଲାରେ କାର୍ଯ୍ୟକାରୀ ବିଭିନ୍ନ ଯୋଜନା କେବଳ କାଗଜପତ୍ରରେ ଚାଲିଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହା ସଫଳ ରୂପାୟନରୁ ବହୁଦୂରରେ ବୋଲି ଆରୋପ ଉଠାଇଥିଲେ । ବିଭାଗୀୟ ଅଧିକାରୀଙ୍କ ଇଚ୍ଛାକ୍ତିର ଅଭାବ ଯୋଜନାର ସଫଳ ରୂପାୟନରେ ଅନ୍ତରାୟ ହୋଇଥିବା ଶ୍ରୀ ଷଡ଼ଙ୍ଗୀ କହିଥିଲେ । ପୂର୍ତ୍ତ ଓ ଜିଲା ଉନ୍ନୟନ ବିଭାଗ ପକ୍ଷରୁ ହେଉଥିବା ରାସ୍ତାଘାଟ କାର୍ଯ୍ୟ ଅଧିକାଂଶ ସ୍ଥାନରେ ଅଧପନ୍ତରିଆ ହୋଇ ପଡ଼ିଥିବା ବେଳେ କୌଣସି ପ୍ରକଳ୍ପ କାର୍ଯ୍ୟର ଗୁଣବତ୍ତା ରହୁନାହିଁ । ସେହିପରି ଜିଲାରେ ବିଦ୍ୟୁତ ବଣ୍ଟନ କରୁଥିବା ସଂସ୍ଥାର ଜୁଲମରେ ସାଧାରଣ ବିଦ୍ୟୁତ ଉପଭୋକ୍ତା ତ୍ରାହି ତ୍ରାି ଡାକ ଦେଲେଣି ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ । ବିନା ସଚେତନତାରେ ଜୋରଜବରଦସ୍ତ କରାଯାଉଥିବା ଫାଇନ ଆଦାୟ ଓ ବିଦ୍ୟୁତ ଗ୍ରାହକଙ୍କୁ ଅଫିସକୁ ଡକାଇ ଚାଲିଥିବା ମୂଲଚାଲ ନୀତିରେ ସଂସ୍ଥାର ଅଧିକାରୀମାନେ ନିଜର ହାତ ଚିକ୍କଣ କରୁଛନ୍ତି ବୋଲି ସେ କହିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ପ୍ରମୁଖଙ୍କ ସମେତ ଜିଲ୍ଲାର ଅନ୍ୟାନ୍ୟ ବିଧାୟକଙ୍କ ପ୍ରତିନିଧିମାନେ ଏଥିରେ ଯୋଗଦେଇ ବିଭିନ୍ନ କ୍ଷେତ୍ର ଲାଗି ପ୍ରସ୍ତୁତ ହୋଇଥିବା ଯୋଜନାର ଅଟକଳ ଏବଂ ବିଗତ ବର୍ଷମାନଙ୍କରେ ଖର୍ଚ୍ଚ ହୋଇଥିବା ଅନୁଦାନ ସମ୍ପର୍କରେ ଆଲୋଚନା କରିଥିଲେ । ନିଜ ନିଜ ନିର୍ବାଚନମଣ୍ଡଳୀର ବିକାଶ ପାଇଁ ବିଧାୟକମାନେ ବୈଠକରେ ପ୍ରସ୍ତାବ ରଖିଥିଲେ । ତେବେ ଗ୍ରାମାଞ୍ଚଳରେ ହେଉଥିବା ରାସ୍ତା ନବୀକରଣ ଓ ଛୋଟବଡ଼ ପୋଲ ନିର୍ମାଣରେ ଗୁଣବତ୍ତା ରହୁ ନଥିବା ଲୋକପ୍ରତିନିଧିମାନେ ଅଭିଯୋଗ କରିଥିଲେ । ରାସ୍ତା ନବୀକରଣ ଓ ପୋଲ ନିର୍ମାଣ ଆଳରେ ବର୍ଷ ବର୍ଷ ଧରି ଲୋକଙ୍କୁ ନିର୍ଯାତନା ଦିଆଯାଉଥିବା ସେମାନେ କହିଥିଲେ । ଅନ୍ୟପକ୍ଷରେ ବିଦ୍ୟୁତ ଆବଣ୍ଟନ କମ୍ପାନି ଦ୍ୱାରା ଚାଲିଥିବା ଆର୍ଥିକ ଶୋଷଣ ରୋକା ନ ଗଲେ ଆଗାମୀ ଦିନରେ ଜନ ଅସନ୍ତୋଷ ତୀବ୍ରରୂପ ନେବ ବୋଲି ବିଧାୟକମାନେ ଚେତାବନୀ ଦେଇଥିଲେ । ଏହାକୁ ନେଇ ଜିଲାପାଳ ବିଦ୍ୟୁତ ଆବଣ୍ଟନ ସଂସ୍ଥା ପ୍ରତିନିଧିଙ୍କ ଉପରେ କ୍ଷୋଭ ପ୍ରକାଶ ସହ ଛୋଟମୋଟ ଘଟଣାରେ ଜରିମାନା ଆଦାୟ ପୂର୍ବରୁ ଜନ ସଚେତନତା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ମାଇକ ପ୍ରଚାର ଓ ଓଡ଼ିଆରେ ଲିଫଲେଟ ବାଣ୍ଟିବା ଓ ଗ୍ରାମପଞ୍ଚାୟତ ସ୍ତରରେ ଜନଶୁଣାଣି ମାଧ୍ୟମରେ ଲୋକଙ୍କ ସମସ୍ୟା ବୁଝିବା ପାଇଁ ସେ ବିଭାଗୀୟ ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟପକ୍ଷରେ ବର୍ଷାଦିନ ପୂର୍ବରୁ ଅଧପନ୍ତରିଆ ରାସ୍ତା ଓ ପୋଲ କାମ ଶେଷ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା । ସେହିଭଳି କୃଷି କ୍ଷେତ୍ରରେ ହେଉଥିବା ବିଭିନ୍ନ ଯୋଜନାର ସୁଫଳ ଚାଷୀମାନଙ୍କ ନିକଟରେ ପହଂଚାଇବା, ସମଗ୍ର ଶିକ୍ଷା ଅଭିଯାନର କାର୍ଯ୍ୟକାରିତା, ସମବାୟ, ପଶୁପାଳନ, ମତ୍ସ୍ୟ ଚାଷ, ଗ୍ରାମୀଣ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ ଧାର୍ଯ୍ୟ ସମୟରେ ପ୍ରୋତ୍ସାହନ ରାଶି ପ୍ରଦାନ, ସାଂସଦ ଏବଂ ବିଧାୟକ ପାଣ୍ଠିର ସୁବିନିଯୋଗ, ଜିଲ୍ଲାରେ ଜାରି ରହିଥିବା ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ଜଳସେଚନ ପ୍ରକଳ୍ପଗୁଡିକୁ କାର୍ଯ୍ୟକ୍ଷମ କରିବା, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ, ସମାଜ ମଙ୍ଗଳ ବିଭାଗ ଦ୍ୱାରା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଜିଲ୍ଲା ପରିଷଦର ସଦସ୍ୟ-ସଦସ୍ୟା, ବିଭିନ୍ନ ବ୍ଲକର ବି.ଡି.ଓ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


