ସ୍ୱାମୀର ଏସିଡ଼ ମାଡ଼ରେ ଗୁରୁତର ଦ୍ୱିତୀୟ ପତ୍ନୀ ବନିତାଙ୍କର ମୃତ୍ୟୁ
ବାଲେଶ୍ୱର, (ସରୋଜ ପଣ୍ଡା):ସ୍ୱାମୀ ଚନ୍ଦନ କୁମାର ରଣାଙ୍କ ଏସିଡ଼ ମାଡ଼ରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଗତ ୨୦ ତାରିଖରୁ ଚିକିତ୍ସିତ ହେଉଥିବା ଦ୍ୱିତୀୟ ପତ୍ନୀ ବନିତା ସିଂ (୨୦)ଙ୍କର ରବିବାର ସଂଧ୍ୟାରେ ମୃତ୍ୟୁ ହୋଇଯାଇଛି । ଡାକ୍ତରମାନଙ୍କ ଶତଚେଷ୍ଟା ସତ୍ତ୍ୱେ ଗତ ସପ୍ତାହ ଧରି ଡାକ୍ତରଖାନାର ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିବା ବନିତାଙ୍କୁ ସେମାନେ ବଞ୍ଚାଇ ପାରିନଥିଲେ । ସହଦେବଖୁଣ୍ଟା ଥାନାରେ ଏନେଇ ୫୬/୨୩ ନଂ ରୁଜୁ ହୋଇଥିବା ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ଚନ୍ଦନ ଏବେ ବି ଫେରାର ଥିବା ବେଳେ ପୁଲିସ ଅନ୍ୟ ଦୁଇ ସହଯୋଗୀ ଅଭିଯୁକ୍ତଙ୍କୁ ପୁଲିସ ଆଜି ଗିରଫ କରିଥିବା ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଗିିରଫ ଅଭିଯୁକ୍ତଙ୍କ ପରିଚୟ ସମ୍ପର୍କରେ ଏସପି ସମ୍ପୂର୍ଣ୍ଣ ସୂଚନା ଦେଇ ନଥିବା ବେଳେ ଏସିଡ ମାଡ଼ରେ ଚନ୍ଦନକୁ ସହଯୋଗ କରିଥିବା ୨୯ ବର୍ଷିୟା ମହିଳା ଓ ୩୨ ବର୍ଷର ଜଣେ ପୁରୁଷକୁ ପୁଲିସ ଗିରଫ କରିଥିବା ସେ କହିଛନ୍ତି । ଖୁବଶୀଘ୍ର ମୁଖ୍ୟ ଅଭିଯୁକ୍ତ ଚନ୍ଦନ ଗିରଫ ପାଇଁ ଉଦ୍ୟମ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଭୀମପୁରା ଅଞ୍ଚଳର ଏକ ଗହଣା ଦୋକାନରେ କାରୀଗର ଭାବେ କାର୍ଯ୍ୟ କରିବା ସମୟରେ ନୀଳଗିରି ନୟାପାଟଣା ଗ୍ରାମର ଚନ୍ଦନ କୁମାର ରଣାଙ୍କର ସ୍ଥାନୀୟ ବାସିନ୍ଦା କାର୍ତିକ ସିଂଙ୍କ ସାନଝିଅ ବନିତାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରାୟ ଦେଢ଼ ମାସ ପୂର୍ବେ ଉଭୟ ବିବାହ କରିଥିଲେ । ମାତ୍ର ପୂର୍ବରୁ ଯେ ଚନ୍ଦନ ବିବାହିତ ଏବଂ ପତ୍ନୀଙ୍କ ସମେତ ତାଙ୍କର ଦୁଇ ସନ୍ତାନ ଅଛନ୍ତି, ବିବାହ ପରେ ଏ ସମ୍ପର୍କରେ ବନିତା ଜାଣିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାକବିତଣ୍ଡା ହବା ସହ ବନିତା ବାପାଙ୍କ ଘରକୁ ପଳାଇ ଆସି ଭୀମପୁରାରେ ଭଡ଼ା ନେଇ ରହୁଥିବା ବଡ ଭଉଣୀ ବର୍ଷାଙ୍କ ପାଖରେ ଆଶ୍ରୟ ନେଇଥିଲେ । ପରେ ସେ ସହଦେବଖୁଂଟା ଥାନାରେ ଚନ୍ଦନ ବିରୋଧରେ ଏକ ଏତଲା ମଧ୍ୟ ଦେଇଥିଲେ । ଗତ ୨୦ ତାରିଖ ମଧ୍ୟାହ୍ନରେ ବର୍ଷାଙ୍କ ଭଡ଼ାଘରେ ପହଞ୍ଚି ବନିତାକୁ ସଙ୍ଗରେ ନେଇଯିବାକୁ ଡାକିଥିଲେ । ବନିତା ଏବଂ ବଡ଼ ଭଉଣୀ ବର୍ଷା ଘରୁ ବାହାରକୁ ଆସିବା ମାତ୍ରେ ଚନ୍ଦନ ସେମାନଙ୍କ ସହ ଯୁକ୍ତି ତର୍କ କରିଥିଲା । ବନୀତା ତାଙ୍କ ସହ ଯିବାକୁ ରାଜି ନ ହେବାରୁ ଶେଷରେ ଚନ୍ଦନ ଉତ୍ତ୍ୟକ୍ତ ତାଙ୍କ ଉପରକୁ ଫୋପାଡି ଥିଲା । ଅଧିକ ମାତ୍ରାରେ ଏସିଡ ବନିତାଙ୍କ ଉପରେ ପଡ଼ିଥିବା ବେଳେ ତାଙ୍କ ଶରୀର ୮୦ରୁ ଅଧିକ ଭାଗ ପୋଡି ଯାଇଛି । ବନୀତାଙ୍କ ପାଖରେ ଛିଡ଼ା ହୋଇଥିବା ବର୍ଷା ଓ ଦୁଇ ଶିଶୁ ଏହି ଏସିଡ଼ ମାଡ଼ରେ ଗୁରୁତର ହୋଇଥିଲା । ଏସିଡ ଫିଙ୍ଗି ଚନ୍ଦନ ସେଠାରୁ ଫେରାର ହୋଇଯାଇଥିବା ବେଳେ ସଂକଟାପନ୍ନ ବନୀତାଙ୍କୁ କଟକ ବଡ ଡାକ୍ତରଖାନା ସ୍ତାନାନ୍ତର କରାଯାଇଥିଲା ।


