ତୀବ୍ର ହେଉଛି ବଳରାମଗଡ଼ି ଫିସିଙ୍ଗ ହାରବର ନିର୍ମାଣ ଦାବି
ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରସ୍ତାବିତ ବଳରାମଗଡ଼ି ମାଛଧରା ଜେଟି ବା ଫିସିଙ୍ଗ ହାରବର ପ୍ରକଳ୍ପ ନିର୍ମାଣକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଟଣାଓଟରା ଚାଲିଛି । ପୂର୍ବରୁ ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରି ପ୍ରକଳ୍ପ ସ୍ଥାନାନ୍ତର ପାଇଁ ପ୍ରଶାସନଠାରେ ଫେରାଦ ହୋଇଥିବା ବେଳେ ଏବେ ଏହାକୁ ତୁରନ୍ତ କାର୍ଯ୍ୟକାରୀ ପାଇଁ ଆଉଏକ ଗୋଷ୍ଠୀ ଦାବି କରିଛି । ଚାନ୍ଦିପୁର ଗ୍ରାମ ପଞ୍ଚାୟତ ପ୍ରତିନିଧି, ବଳରାମଗଡ଼ି ଟ୍ରଲର ଆସୋସିଏସନ, ଅନ୍ୟାନ୍ୟ ବର୍ଗର ମତ୍ସ୍ୟଜୀବୀଙ୍କ ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ଗଣ ସଂଗଠନମାନେ ମଙ୍ଗଳବାର ଜିଲାପାଳଙ୍କୁ ସାକ୍ଷାତ ସହ ସମୂହ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପାଇଁ ନିବେଦନ କରିଛନ୍ତି । ଏ ଅଞ୍ଚଳରେ ପାରାଦୀପ ଭଳି ଏକ ଫିସିଙ୍ଗ ହାରବର ସ୍ଥାପନ ପାଇଁ ଟ୍ରଲର ଆସୋସିଏସନ ସମେତ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ପକ୍ଷରୁ ଦୀର୍ଘଦିନରୁ ଦାବି ହୋଇଆସୁଥିଲା । ଶେଷର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଅନୁଦାନରେ ଏହି ପ୍ରକଳ୍ପ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ ସରକାରୀ ଜାଗା ଦଖଲରେ ରଖିଥିବା କିଛି ବ୍ୟକ୍ତି ଏଥିରେ ଅନ୍ତରାୟ ସୃଷ୍ଟି କରୁଛନ୍ତି ବୋଲି ଟ୍ରଲର ବିଭିନ୍ନ ସଂଗଠନର କମକର୍ତ୍ତାମାନେ ଆରୋପ କରିଛନ୍ତି । ସରକାରୀ ଜାଗାରୁ ଉଚ୍ଛେଦ ହୋଇଯିବା ଭୟରେ ଏହି ପ୍ରକଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସମ୍ପକ୍ତ ବ୍ୟକ୍ତିମାନେ କିଛି ମହିଳାଙ୍କ ପଠାଇ ପୂର୍ବରୁ ଜିଲାପାଳଙ୍କଠାରେ ଆପତ୍ତି ଉଠାଇଥିଲେ । ସରକାରୀ ଜାଗାକୁ ଜବରଦଖଲରେ ରଖିଥିବା କିଛି ମୁଷ୍ଟିମେୟ ବ୍ୟକ୍ତି ଏହି ପ୍ରକଳ୍ପକୁ ବିରୋଧ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ପଞ୍ଚାୟତ ପ୍ରତିନିଧିମାନେ କହିଛନ୍ତି । ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ନେବା ସହ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପାଇଁ ଚାନ୍ଦିପୁର ହୋଟେଲ ସଂଘ, ଅଟୋରିକ୍ସା ସଂଘ, ଦୋକାନୀ ସଂଘ, ଶୁଖୁଆ ଖଳା ସଂଘ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଚାନ୍ଦିପୁର ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ଦାବି କରିଛନ୍ତି । ଏହି ଅବସରରେ ସେମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ସରପଞ୍ଚ ପୂର୍ଣ୍ଣିମା ଜେନା, ପୂର୍ବତନ ସରପଞ୍ଚ ତପନ ଜେନା, ନାଏବ ସରପଞ୍ଚଶ୍ରୀକାନ୍ତ ନାୟକ, ସଦାମ ଅଲି ଖାନ, ଶେଖ ରେଜାକ ଉଦ୍ଦିନ, ଶେଖ ଦୀଲୱାର, ଜସିମ ମଲିକ, ଗୌରାଙ୍ଗ ମଣ୍ଡଳ, ଜୁଲି ଦାସ, ସ୍ୱର୍ଣ୍ଣଲତା ସାସମଲ, ବାସନ୍ତୀ ମାଝୀ, ପିଙ୍କି ବିବି ପ୍ରମୁଖ ଉପସ୍ଥିତ ଥିିଲେ ।