କର୍ତ୍ତବ୍ୟରେ ଅବହେଳାକାରୀ ଡାକ୍ତର-ନର୍ସଙ୍କୁ ଶାନ୍ତିପୂର୍ଣ୍ଣର୍ର୍ ବିରୋଧ ଆରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା):ପୂର୍ବ ଘୋଷଣା ଅନୁସାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବାରେ ଅବହେଳା କରୁଥିବା ଡାକ୍ତର ନର୍ସଙ୍କ ଘର ବା କ୍ଲିନିକ ଆଗରେ ଧାରଣା ଦେବା ଆରମ୍ଭ କରିଛନ୍ତି ଯୁବ ସଂଗଠକ ରଘୁନାଥ ଲେଙ୍କା ଓ ସାଥୀମାନେ । ବୁଧବାର ଡାକ୍ତର ଶିବନାରାୟଣ ଜାଲି ରୋଗୀ ଦେଖୁଥିବା ଏକ ଘରୋଇ କ୍ଲିନିକ ସମ୍ମୁଖରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ରୀ ଲେଙ୍କାଙ୍କ ଅଭିଯୋଗ ଅନୁସାରେ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ ଓ ତାଙ୍କ ପରିବାରଙ୍କ ପ୍ରତି ଡାକ୍ତର ଏବଂ ନର୍ସଙ୍କ ଅବହେଳା ସାଙ୍ଗକୁ ରୁକ୍ଷ ବ୍ୟବହାର କ୍ରମଶଃ ସୀମା ଟପିଛି । ଏନେଇ ବାରମ୍ବାର ଅଭିଯୋଗ ହେଉଛି ବହୁ ଅମୂଲ୍ୟ ଜୀବନ ଚାଲିଯାଉଛି, ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଉଛି, ଏହା ସତ୍ତ୍ୱେ ଡାକ୍ତର ଓ ନର୍ସଙ୍କ ମାନସିକତାର କୌଣସି ପରିବର୍ତ୍ତନ ହେଉନାହିଁ । ତେବେ କର୍ତ୍ତବ୍ୟରେ ଅବହେଳା କରୁଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହସପିଟାଲ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଅଥବା ଲୋକ ପ୍ରତିନିଧିମାନେ ଗୁରୁତ୍ୱ ନଦେବା ଅତ୍ୟନ୍ତ ଦୁଃର୍ଭାଗ୍ୟର ବିଷୟ ବୋଲି ଶ୍ରୀ ଲେଙ୍କା କହିଛନ୍ତି । ଯେତେ ପର୍ଯ୍ୟନ୍ତ ଡାକ୍ତର ଓ ନର୍ସମାନେ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ନ ହେବେ ସେତେଦିନ ପର୍ଯ୍ୟନ୍ତ ସେମାନଙ୍କ ଘର ଅଥବା ପ୍ରାଇଭେଟ ପ୍ରାକ୍ଟିସ କରୁଥିବା କ୍ଲିନିକ ସମ୍ମୁଖରେ ଏହିଭଳି ପ୍ରଦର୍ଶନ ଜାରି ରହିବ ସେ ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଯ୍ୟାମୀ ପ୍ରଧାନ, ମହମ୍ମଦ ଇକବାଲ ଖାଁ, ରବୀନ୍ଦ୍ର ସାହୁ, ଯଦୁ ସେଠୀ, ଅଶୋକ କବି, ଶଙ୍ଖ ମାରାଣ୍ଡି, ନରେନ୍ଦ୍ର ବାରିକ, ପ୍ରଶାନ୍ତ ବାରିକ, ସତ୍ୟବ୍ରତ ମିଶ୍ର ପ୍ରମୁଖ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।


