ପଛୁଆବର୍ଗ ଜନଗଣନା ପ୍ରଶିକ୍ଷଣ କର୍ମଶାଳା
ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ମେ ୧ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ହେବାକୁ ଥିବା ପଛୁଆବର୍ଗ ଜନଗଣନା କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇାଇଛି । ଏନେଇ ଜିଲାର ସମସ୍ତ ବିଡିଓ, ଏବିଡିଓ, ପୌର ଓ ଏନଏସି ନିର୍ବାହୀ ଅଧିକାରୀ, ତହସିଲଦାର, ଅତିରିକ୍ତ ତହସିଲଦାର, ଆଇସିଡିଏସ ସୁପରଭାଇଜର, ବ୍ଲକ ସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ପ୍ରଶିକ୍ଷଣ କର୍ମଶାଳା ସ୍ଥାନୀୟ ଜିଲା ପରିଷଦ ସଭାଗୃହରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ । ଓଡ଼ିଶାରେ ପଛୁଆବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସ୍ପଷ୍ଟ ଚିତ୍ର ହାସଲ କରିବା ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ । ଗ୍ରାମାଞ୍ଚଳରେ ଅଙ୍ଗନୱାଡ଼ି କର୍ମୀ ଓ ପୌରାଞ୍ଚଳରେ ଅଙ୍ଗନୱାଡ଼ି କର୍ମୀ, ଟ୍ୟାକ୍ସ କଲେକ୍ଟର ଓ ୱାର୍ଡ ଅଫିସରଙ୍କୁ ଏନୁମରେଟର ଭାବେ ଏହି ସର୍ଭେ କାର୍ଯ୍ୟରେ ନିୟୋଜିତ ହେବ । ଜିଲାର ୧୫୨ ଜଣ ଏନୁମରେଟର,୧୧୨ ଜଣ ସୁପରଭାଇଜର, ୨୦୬ ଗୋଟି ପଛୁଆବର୍ଗ ଜାତି ନିମନ୍ତେ ୧୦୧୫ ଗୋଟି ସର୍ଭେ କେନ୍ଦ୍ରରେ ସର୍ଭେ କରାଯିବ । ଏହି ପ୍ରଶିକ୍ଷଣ ଶିବିରରେ ପଛୁଆବର୍ଗ ସର୍ଭେ ପର୍ଯ୍ୟବେକ୍ଷକ ଭାବେ ସ୍ୱତନ୍ତ୍ର ଶାସନ ସଚିବ ଦିଲୀପ କୁମାର ସାହୁ ନିର୍ଭୁଲ ସର୍ଭେ କାର୍ଯ୍ୟ ପରିଚାଳନାର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲା ନୋଡାଲ ଅଫିସର ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଏହି ସର୍ଭେ କାର୍ଯ୍ୟର ଧାରା ସମ୍ପର୍କରେ ବର୍ଣ୍ଣନା କରିଥିଲେ । ମାଷ୍ଟର ଟ୍ରେନର ଭାବେ ନୀଳଗିରି ଉପଜିଲାପାଳ ମନ୍ଦରଧର ମହାଳିକ, ଜିଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ରବିନ୍ଦ୍ର କୁମାର ମଲ୍ଲିକ, ସଦର ବିଡ଼ିଓ ନରେନ୍ଦ୍ର କୁମାର ଖମାରୀ, ରେମୁଣା ବିଡ଼ିଓ ସଂଗ୍ରାମ ପରିଡ଼ା, ନୀଳଗିରି ବିଡ଼ିଓ ରାହୁଲ ମଣ୍ଡଳ, ଔପଦା ବିଡ଼ିଓ ଅଭିଷେକ ଦାଶ ପ୍ରମୁଖ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବାଲେଶ୍ୱର ଉପଜିଲାପାଳ କୁନାଲ ମୋତିରାମ ଚୌହାନ, ଆଇଏଏସ ପ୍ରଶିକ୍ଷାର୍ଥୀ ସୁଶ୍ରୀ କିରଣଦୀ କୌର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଏହି ଶିବିରରେ ଉପସ୍ଥିତ ଥିଲେ ।


