ଠାକୁରାଣୀ ଯାତ୍ରା ପାଇଁ କୁଶପଡ଼ା ଗାଁ ଉତ୍ସବ ମୁଖର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ମାଁ ବୁଢ଼ୀ ଠାକୁରାଣୀ ଙ୍କ ଯାତ୍ରା ପାଇଁ ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି। ଏହି ଯାତ୍ରା ୭ ବର୍ଷ ପରେ ଅନୁଷ୍ଠିତ ହେଉଥିବାରୁ ଦୂର ଦୁରାନ୍ତ ରେ ରହୁଥିବା ବହୁ ସଂଖ୍ୟକ ଗ୍ରାମବାସୀ ପରିବାର ସହ ଗ୍ରାମରେ ପହଞ୍ଚିଛନ୍ତି। ଯାତ୍ରା ପରିଚାଳନା କମିଟି ଦ୍ଵାରା ବିଭିନ୍ନ ତୋରଣ ସହ ରଙ୍ଗୀନ ଆଲୋକ ମାଳା ରେ ଯାତ୍ରା ପୀଠ କୁ ସାଜସଜ୍ଜା କରାଯାଇଛି। ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ଏହି ଯାତ୍ରା ଦୀର୍ଘ ୮ ଦିନ ବ୍ୟାପି ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। ରବିବାର ସନ୍ଧ୍ୟାରେ ଗ୍ରାମବାସୀ ସଙ୍କୀର୍ତ୍ତନ ମଣ୍ଡଳୀ, ଶଙ୍ଖ,ହୁଳହୁଳି, ନୃତ୍ୟ ଗୀତ, ବାଜାବାଜଣା ଓ ଆତସ ବାଜି ଫୁଟାଇ ମାଁ ବୁଢ଼ୀ ଠାକୁରାଣୀ ଙ୍କୁ ଆବାହନ କରିବା ପରେ ଫୁଲମଣ୍ଡା ଖସିଥିଲା। ଫୁଲମଣ୍ଡା କୁ ଏକ ବିରାଟ ପଟୁଆର ରେ ଅସ୍ଥାୟୀ ଯାତ୍ରା ପୀଠ ଅଣାଯାଇଛି।ସୋମବାର ଠାରୁ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ଲୋକକଳା ନୃତ୍ୟ ଓ ପଟୁଆର ବାହାରି ମାଆ ବୁଢ଼ୀ ଠାକୁରାଣୀ ଗ୍ରାମ ପରିକ୍ରମା କରିବା କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ଠାରୁ ଶନିବାର ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ପୌରାଣିକ ନାଟକ ଯଥା ପ୍ରହଲ୍ଲାଦ ନାଟକ, ଭାରତଲୀଳା, ରାମାୟଣ ଓ ମହାଭାରତ ବାଦ ନାଟକ ପରିବେଷଣ କରାଯିବ। ଅନ୍ତିମ ଦିନ ଅର୍ଥାତ ଆସନ୍ତା ରବିବାର ମାଁ ପୁଣି ଅସ୍ଥାୟୀ ମଣ୍ଡପରୁ ନିଜ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିବେ ଓ ଦହି ଯାତ୍ରା ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି । ଏହି ଯାତ୍ରାରେ ଶାନ୍ତି ଶୃଙ୍ଖଳା ସକାଶେ ଦିଗପହଣ୍ଡି ଥାନା ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଏହି ସମସ୍ତ କାର୍ଯ୍ୟକ୍ରମ କୁ ଯାତ୍ରା ପରିଚାଳନା କମିଟି ସଭାପତି ଏସ. ଭଗବାନ ଦୋରା, ସମ୍ପାଦକ ବି. ସୁନୀଲ ଦୋରା, କୋଷାଧକ୍ଷ ବି. ଶଙ୍କର ଦୋରା, ଉପ ସଭାପତି ବି. ପୂର୍ଣ୍ଣ ଚନ୍ଦ୍ର ଦୋରା, ଯୁବ କମିଟି ସଭାପତି ବି. ଋଷିକେଶ ଦୋରା ଏବଂ ଯାତ୍ରା କମିଟି ର ସମସ୍ତ ସଦସ୍ୟ ବୃନ୍ଦ ପରିଚାଳନା କରୁଥିବା ଜଣାପଡିଛି।