ରାଜ୍ୟ ସରକାରଙ୍କୁ ଚାଷୀନେତା ଶେଷଦେବ ନନ୍ଦଙ୍କ ପ୍ରଶ୍ନ ପିଆଜ ସଙ୍କଟ ସମାଧାନ ପାଇଁ କଣ କରିଛନ୍ତି ରାଜ୍ୟସରକାର
ଭୁବନେଶ୍ୱର: ବିଭିନ୍ନ କାମ ପାଇଁ ବହୁ ପୁରସ୍କାର ପାଉଛ । ବିଭିନ୍ନ ଯୋଜନାରେ ବହୁ ମିଛ ପ୍ରଚାର କରୁଛନ୍ତି । ହେଲେ ଗରିବ ଚାଷୀଙ୍କ ପଖାଳ କଂସାରୁ ପିଆଜ ଛଡ଼ାଇ ନେଲ । ଗଣ ଦୁଷ୍କର୍ମ ଘଟଣା ନ ଘଟିଥିଲେ ପିଆଜ ପାଇଁ ରାଜରାସ୍ତାକୁ ହଜାର ହଜାର ଲୋକ ଓହ୍ଲାନ୍ତେଣି । ୨୦ ବର୍ଷ ଶାସନରେ କୃଷିର ଏତେ ଉନ୍ନତି କରିଛ ଯେ, ଆମକୁ ଇଜିପ୍ଟ ପିଆଜ ଆମକୁ ଖାଇବାକୁ ପଡୁଛି । ଏସବୁ କଥା ପାଇଁ ଆପଣଙ୍କୁ ଲାଜ ମାଡ଼ୁନାହିଁ । କୃଷି ମନ୍ତ୍ରୀ, ଯୋଗାଣ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ ତାଙ୍କ ବିଭାଗର ସ୍ପଷ୍ଟିକରଣ ଦିଅନ୍ତୁ ଓଡ଼ିଶା ଖାଉଟି ପିଆଜ ପାଇବା ପାଇଁ କ’ଣ ନିର୍ଦ୍ଦିଷ୍ଟ ଯୋଜନା କରିଛ । ଆମ ରାଜ୍ୟରେ ପିଆଜ ଚାଷ ହେଉଥିବା ଜିଲ୍ଲାରେ ଚାଷୀଙ୍କୁ ମାଗଣା ପିଆଜ ବିହନ ବଣ୍ଟନ ହୋଇଛି କି? ପିଆଜ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଇଛି କି? ପିଆଜ ଅମଳ ପରେ ତାର ଭଣ୍ଡାରଣ, ବିକ୍ରୟ ଓ ଉଚିତ୍ ମୂଲ୍ୟ ପାଇବାର ଗ୍ୟରେଣ୍ଟି, ସମବାୟ ଯୋଗାଣ ବିଭାଗ ନେଉଛନ୍ତି କି? ଏଭଳି ଅନେକ ପ୍ରଶ୍ନ ସରକାରଙ୍କ ଉାଦ୍ଦେଶ୍ୟରେ ପଚାରିଛନ୍ତି ଚାଷୀନେତା ଶେଷଦେବ ନନ୍ଦ । ରଡ଼, ସିମେଣ୍ଟ, ଟେଲିଫୋନ୍ ବିଲ୍, ଇଲ୍କେ୍ଟ୍ରି ବିଲ୍ ସବୁ ବୋଝ ବଢିଲା ପରେ ଲୋକଙ୍କ ଟିକସ ପଇସାରେ ଭୁବନେଶ୍ୱରରେ ମାଗଣା ଘର ପାଇ ମୋଟା ଦରମା ନେଇ ଲୋକଙ୍କ ସମସ୍ୟା ସମାଧାନ ନ କରି ଅୟସ କରି ବୁଲିବା ଛାଡ଼ ବୋଲି ନେତା ଓ ଅଫିସରଙ୍କ ଉଦ୍ଦେଶ୍ୟରେ ତାଗିଦ ଦେଇଛନ୍ତି । ଜଣେ ଜଣେ ଲୋକ ସେବକ ଲୋକ ପ୍ରତିନିଧି ହୋଇ କିଭଳି ଭାବରେ ଲୋକଙ୍କ ଅର୍ଥରେ ଜୀବିକା ନିର୍ବାହ କରି ଲୋକଙ୍କ ଜୀବନ ଓ ଜୀବିକା ପ୍ରତି ଯତ୍ନ ନ ନେଇ ଆପଣମାନଙ୍କ ପାଟିକୁ ଭାତ ଗୁଣ୍ଡା କେମିତି ଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସାମୟିକ ଘଟଣାବଳୀରେ ଲୋକେ ଆପଣଙ୍କର ମୌଳିକ କର୍ତ୍ତବ୍ୟ କଥା ଭୁଲିଯାଇ ପରନ୍ତି । ମାତ୍ର ଆଗାମୀ ଦିନରେ ଲୋକେ ନିଶ୍ଚିତ ଭାବରେ ଲୋକ ପ୍ରତିନିଧି ଓ ଲୋକସେବକମାନଙ୍କ ଠାରୁ ଉତ୍ତର ଦାୟିତ୍ୱ ଆଶା କରିବେ । ଯୁଦ୍ଧକାଳୀନ ଭିତରେ ତୁରନ୍ତ ପିଆଜ ଚାଷୀଙ୍କୁ ବିହନ, ଆର୍ଥିକ ପ୍ରୋତ୍ସାହନ ଓ ଶୀତଳ ଭଣ୍ଡାର ଯୋଗାଇ ଦେବାର ପ୍ରତିଶ୍ରୁତି ଦେବାକୁ ନବ ନିର୍ମାଣ କୃଷକ ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ସରକାର ଓ ଅମଲାମାନଙ୍କୁ ଆହ୍ୱାନ କରିଛନ୍ତି । ସବୁବେଳେ ଚାଷୀ ସଂଗଠନ ଓ ଚାଷୀମାନଙ୍କ ଠାରୁ ଚାପ ଆଶା ନକରି ସରକାର ଯଦି ଠିକଣା ଢଙ୍ଗରେ କାମ କରନ୍ତେ, ତେବେ ନିଶ୍ଚିତ ବାହାଦୂରୀ ମିଳନ୍ତା । ଏସବୁ ନ କରି ବିଭିନ୍ନ ମିଛ ସଂସ୍ଥାଠାରୁ ପୁରସ୍କାର ନେବା କେବଳ ଛଳନା ବ୍ୟତୀତ ଆଉ କିଛି ନୁହେଁ ।