ହାଡ଼କୁ ମଜଭୁତ ରଖେ ବିଅର୍‌

ନୂଆଦିଲ୍ଲୀ : ମଦ, ବିଅର୍‌ ତଥା ଯେ କୌଣସି ଆଲ୍‌କୋହଲ୍‌ ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ବିଭିନ୍ନ ସମୟରେ ଲୋକଙ୍କୁ ସଚେତନ କରାଯାଇଥାଏ। ମାତ୍ର ବିଅର୍‌ ଶରୀରର ହାଡ଼କୁ ମଜଭୁତ ରଖିଥାଏ ବୋଲି ପେଟା ବା ‘ପିପୁଲ୍‌ ଫର୍‌ ଦି ଏଥିକାଲ୍‌ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ୍‌’ ପକ୍ଷରୁ କୁହାଯାଇଛି। ପେଟାର ତଥ୍ୟ ଅନୁସାରେ ‘କ୍ଷୀର ଅପେକ୍ଷା ବିଅର୍‌ ସ୍ୱାସ୍ଥ୍ୟ ପାଇଁ ହିତକର।’ କ୍ଷୀର ପିଇଲେ, ଶରୀରର ବିକାଶ ହୋଇଥାଏ ବୋଲି ପିଲାଟିଦିନରୁ ଆମେ ଶୁଣି ବଡ଼ ହୋଇଛେ। ଏପରିକି ଦିନକୁ ଦୁଇ ଗ୍ଲାସ୍‌ କ୍ଷୀର ଶରୀର ପାଇଁ ନିହାତି ଆବଶ୍ୟକ ବୋଲି ଭାରତୀୟମାନେ ବିଶ୍ୱାସ କରିଥା’ନ୍ତି। ଅଧିକାଂଶ ଲୋକ ଶାକାହାରୀ ହେବାକୁ ପସନ୍ଦ କରୁଥିବାରୁ ସେମାନଙ୍କ ଡାଏଟ୍‌ରେ କ୍ଷୀରକୁ ସାମିଲ କରିବା ଦେଖିବାକୁ ମିଳିଥାଏ। ତେବେ ପେଟାର ଏକ ଅଫିସିଆଲ୍‌ ଷ୍ଟେଟମେଣ୍ଟରେ କୁହାଯାଇଛି, ‘କ୍ଷୀର ଅପେକ୍ଷା ବିଅର୍‌ ଶରୀର ପାଇଁ ଭଲ। ଗବେଷଣା ଅନୁସାରେ ବିଅର୍‌ ଆପଣଙ୍କ ହାଡ଼କୁ ମଜବୁତ୍‌ କରିଥାଏ ଏବଂ ଆୟୁଷ ବୃଦ୍ଧି କରିଥାଏ। କିନ୍ତୁ କ୍ଷୀର ଶରୀରରେ ମେଦବହୁଳତା, ଡାଇବେଟିସ୍‌, କ୍ୟାନସର୍‌ ପରି ରୋଗକୁ ଜନ୍ମ ଦେଇଥାଏ। ତେଣୁ କ୍ଷୀର ପିଅନ୍ତୁ ନାହିଁ ବୋଲି ପେଟା ଏହି ରିପୋର୍ଟରେ ପ୍ରକାଶ କରିଛି। ବିଅର୍‌ ଓ କ୍ଷୀରକୁ ନେଇ ଥିବା ଯୁକ୍ତିରେ ଦେଖାଯାଇଛି ଯେ ବିଅର୍‌କୁ ଏକ ମାଦକଦ୍ରବ୍ୟ ଭାବରେ ଗ୍ରହଣ କରାଯାଉଥିଲେ ମଧ୍ୟ ଏଥିରେ ଶରୀର ପାଇଁ ଆବଶ୍ୟକ ଯଅ, ବାଜରା, ଗହମ, ଚାଉଳ ଆଦିରୁ ମିଳୁଥିବା ପୋଷକତତ୍ତ୍ୱ ରହିଛି। ଏହା ସହିତ ଏଥିରେ ୯୦ ପ୍ରତିଶତ ପାଣି, ଫାଇବର୍‌, କ୍ୟାଲସିୟମ୍‌, ଆଇରନ୍‌ ଓ ଅନ୍ୟାନ୍ୟ ପୋଷକତ୍ତ୍ୱ ରହିଛି। ବିଅର୍‌କୁ ଏକ ଆଣ୍ଟି-ଅକ୍ସିଡାଣ୍ଟ ବୋଲି ମଧ୍ୟ କୁହାଯାଇଥାଏ।

ଗୋଟିଏପଟେ ବିଅର୍‌ ହାଡ଼ର ବିକାଶ କରିବା ପାଇଁ ସାହାଯ୍ୟ କରୁଥିବା ବେଳେ ଅନ୍ୟପଟେ କ୍ଷୀର ହୃଦ୍‌ଘାତ, ଆଣ୍ଠୁଗଣ୍ଠି, କୋଲେଷ୍ଟ୍ରଲ୍‌ ବୃଦ୍ଧି ପରି ସମସ୍ୟା ସୃଷ୍ଟି କରିଥାଏ ବୋଲି ପେଟାର ତଥ୍ୟରେ ପ୍ରକାଶ ପାଇଛି। କିନ୍ତୁ ବିଅର ପିଇଲେ ଶରୀରରେ ଭଲ କୋଲେଷ୍ଟ୍ରଲର ବୃଦ୍ଧି ଘଟି ଖରାପ କୋଲେଷ୍ଟ୍ରଲ୍‌ ନଷ୍ଟ ହୋଇଥା’ନ୍ତି ଏବଂ ରକ୍ତ ଜମାଟ ବାନ୍ଧିବାକୁ ଦେଇନଥାଏ। ଶେଷରେ ପେଟାର ତଥ୍ୟରେ ଆହୁରି ମଧ୍ୟ ପ୍ରକାଶ ପାଇଛି ଯେ ଶରୀରକୁ ଗୁରୁତ୍ୱପୂର୍ଣ୍ଣ ପୋଷକତତ୍ତ୍ୱ ଯୋଗାଉଥିଲେ ମଧ୍ୟ ବିଅର୍‌ରେ ଆଲକୋହଲ୍‌ର ପରିମାଣ ରହୁଛି। ପେଟାର ଏହି ଗବେଷଣା ଯୋଗୁ ଲୋକମାନେ ଅଧିକ ବିଅର୍‌ ପିଇବା ପାଇଁ ଉତ୍ସାହିତ ହୋଇପାରନ୍ତି। ସେଥିପାଇଁ ଆବଶ୍ୟକୀୟ ପରିମାଣର ବିଅର୍‌ ପିଇବା ପାଇଁ ପେଟା ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ