ପକ୍ଷୀ ପ୍ରେମୀଙ୍କ ନିଆରା ଅବଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଧୂ ଧୂ ଖରାରେ ଡ଼ହଳ ବିକଳ ଜନଜୀବନ । ବର୍ତ୍ତମାନ ପାରଦ ୪୦ ଉପରେ ରହୁଥିବା ବେଳେ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଛି । ସାଧାରଣତଃ ଏ ଗ୍ରୀଷ୍ମ ସମୟରେ ପଶୁପକ୍ଷୀ ଅଧିକ ସମସ୍ୟାରେ ପଡ଼ିଥାନ୍ତି । ପିଇବା ପାଇଁ ଟୋପେ ପାଣି ପାଆନ୍ତି ନାହିଁ । କଥା କହି ପାରୁନଥିବା ନିରୀହ ପକ୍ଷୀମାନଙ୍କ ପାଇଁ ସୁଖ ଦୁଃଖର ସାଥି ପାଲଟି ଯାଇଛନ୍ତି ପରିବେଶବିତ୍ ତଥା ପକ୍ଷୀପ୍ରେମୀ ସୁଶାନ୍ତ ସାହୁ । ସେମାନଙ୍କ ଜୀବନ ବଞ୍ଚାଇବାକୁ ପକ୍ଷୀମାନଙ୍କ ପାଇଁ ପାଣି ପାତ୍ର ତିଆରି କରିବାର ପଣ ଆପଣେଇ ନେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ରହୁଥିବା କୁନି କୁନି ପିଲା ଓ କିଛି ସାମାଜିକକର୍ମୀ ଏ କାର୍ଯ୍ୟରେ ସ୍ୱତଃପ୍ରବୃତ୍ତି ନିଜକୁ ସାମିଲ୍ କରିଛନ୍ତି । ଅଦରକାରୀ ପ୍ଲାଷ୍ଟିକ୍ ବୋତଲ, ସଢ଼େଇ ଇତ୍ୟାଦିକୁ ବ୍ୟବହାର କରି ପକ୍ଷୀମାନଙ୍କ ଲାଗି ସୁନ୍ଦର ସୁନ୍ଦର ପାଣି ଓ ଖାଦ୍ୟ ପାତ୍ର ତିଆରି କରି ଚାଲିଛନ୍ତି । ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଥିବା ବେଳେ ଗଛ ଡ଼ାଳରେ କିଚିରି ମିଚିରି ହେଉଥିବା ପକ୍ଷୀମାନଙ୍କ ପାଇଁ ନିଃସ୍ୱାର୍ଥପର ଭାବେ ସୁଶାନ୍ତ ଦୈନନ୍ଦିନ ଚାଉଳ, ଗହମ ଓ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ଗଛ ଡ଼ାଳରେ ପାତ୍ର ବାନ୍ଧି ପକ୍ଷୀମାନଙ୍କ ତୃଷ୍ଣା ଓ ଭୋକ ମେଣ୍ଟାଇବା ପାଇଁ ଘର ପାଖ ଗଛ ଓ ଛାତ ଉପରେ ବାନ୍ଧିଛନ୍ତି ଖାଦ୍ୟ ଓ ପାନୀୟ ଜଳ । ତାଙ୍କୁ ଏ କାର୍ଯ୍ୟରେ ସହଯୋଗ କରୁଛନ୍ତି ପତ୍ନୀ ଅନସୂୟା, ପୁଅ ଶାନ୍ତନୁ, ସାମାଜିକ କର୍ମୀ ତ୍ରିଲୋଚନ ବେଉରା, ବାପିନା ନାୟକ ଏବଂ ପ୍ରିୟବ୍ରତ ପଣ୍ଡା । ଏଭଳି ନିଆରା କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ