କେନ୍ଦ୍ରୀୟ ବିଦ୍ୟାଳୟକୁ ଜମି ଦେଇ ବିତିଲା ୨୧ ବର୍ଷ
ବାଲେଶ୍ୱର, (ସରୋଜ ପଣ୍ଡା):କେନ୍ଦ୍ରୀୟ ବିଦ୍ୟାଳୟର ଖେଳ ପଡ଼ିଆ ଓ ପ୍ରତିରକ୍ଷା ବିଭାଗ କଲୋନି ପାଇଁ ୨୦୦୧ ମସିହାରେ ଜମି ଦେଇଥିବା ପରିବାର କୋର୍ଟଙ୍କ ନର୍ଦ୍ଦେଶମତେ ଧାର୍ଯ୍ୟ ପ୍ରାପ୍ୟ ଅଦ୍ୟାବଧି ନପାଇ ଶନିବାର ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି । ଆପତ୍ତି ଅନୁସାରେ ସେମାନଙ୍କ ମାଆ ଅର୍ଥାତ ଶେଖ ହାପାନଙ୍କ ପତ୍ନୀ ନସିମା ବିବିଙ୍କ ନାମରେ କରଞ୍ଜିଆ ମୌଜାରେ ଥିବା ୧ଏକର ୨୭ ଡିସିମିଲ ଜମିକୁ ପ୍ରତିରକ୍ଷା ବିଭାଗ (ଡିଆରଡିଓ)କୁ ହସ୍ତାନ୍ତର ପାଇଁ ଜିଲା ଭୂ-ଅର୍ଜନ କାର୍ଯ୍ୟାଳୟ ପକ୍ଷରୁ ୨୦୦୦ ମସିହାରେ ନୋଟିସ ହୋଇଥିଲା । ବିଭିନ୍ନ ପର୍ଯ୍ୟାୟରେ ବିଜ୍ଞପ୍ତି ଜାରି ସହ ସ୍ଥାନୀୟ ମୂଲ୍ୟଠାରୁ ବହୁ କମ ଦରରେ ଭୂଅର୍ଜନ ବିଭାଗ ଜମି ଅଧିଗ୍ରହଣ ସହ ଏହାକୁ ପ୍ରତିରକ୍ଷା ବିଭାଗକୁ ହସ୍ତାନ୍ତର କରିଥିଲେ । ଅନ୍ୟପକ୍ଷରେ ଉଚିତ ମୂଲ୍ୟ ପ୍ରଦାନ ଦାବିରେ ନସିମା ବିବି ଜିଲା ଦେୱାନୀ କୋର୍ଟ ସିନିୟର ଡିଭିଜନଙ୍କଠାରେ ୨୭୫/୦୨ନଂର ଏକ ମାମଲା ରୁଜୁ କରିଥିଲେ । ମାମଲା ଶୁଣାଣି ସହ ଭୂ-ଅର୍ଜନ ଅଧିନିୟମ ପାଳନ ସାଙ୍ଗକୁ ସ୍ଥାନୀୟ ମୂଲ୍ୟକୁ ଗୁରୁତ୍ୱ ଦେଇ ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ପ୍ରତିରକ୍ଷା ବିଭାଗ ଓ ଭୂଅର୍ଜନ ବିଭାଗକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା । ମାତ୍ର ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ପାଳନ କରାନଯିବା ଓ ଅର୍ଥ ପ୍ରଦାନରେ ବିଳମ୍ବ ହେବାରୁ ଜମି ହରାଇଥିବା ପରିବାର ଶେଷରେ ଓଡ଼ିଶା ହାଇ କୋର୍ଟରେ ଅପିଲ କରିଥିଲେ । ବିଳମ୍ବ ଜନିତ ସୁଧ ସହ ତୁରନ୍ତ କ୍ଷତିପୂରଣ ରାଶି ପ୍ରଦାନ ପାଇଁ କୋର୍ଟ ପକ୍ଷରୁ ୨୦୦୮ ମସିହାରେ ନିର୍ଦ୍ଦେଶ ଦିଆଯାଇଥିଲା । ଇତିମଧ୍ୟରେ ୧୫ବର୍ଷ ବିତିଯାଇଥିଲେ ବି ବର୍ଦ୍ଧିତ ଅର୍ଥରାଶି ପ୍ରଦାନ ନେଇ ପ୍ରତିରକ୍ଷା ବିଭାଗ (ଡିଆରଡିଓ) କିମ୍ବା ଜିଲା ଭୂର୍ଜନ ବିଭାଗ ଅବା କେନ୍ଦ୍ରୀୟ ବିଦ୍ୟାଳୟ କର୍ତ୍ତୃପକ୍ଷ, କେହି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଜମି ହରାଇଥିବା ପରିବାର ବର୍ଗ ଜିଲାପାଳଙ୍କୁ ଅବଗତ କରିଛନ୍ତି । ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ୨୦୧୨ ମସିହାରେ ଜମି ମାଲିକ ନସିମା ବିବିଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କର ଉତ୍ତରାଧିକାରୀମାନେ ଏବେ କ୍ଷତିପୂରଣ ରାଶି ପାଇଁ ଏ ଅଫିସ ସେ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିବା ସେମାନେ କହିଛନ୍ତି ।ଏହି ପରିପ୍ରେକ୍ଷୀରେ ସେମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ନସିମା ବିବିଙ୍କ ଉତ୍ତରାଧିକାରୀ ଶେଖ ଅବଦୁଲ, ଶେଖ ସଫୁର, ଦାନ ବିବି ପ୍ରମୁଖ ଉପସ୍ଥିତ ଥିଲେ ।


