ଅଜୟ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟି ରଖି ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଯୁବ ନେତୃତ୍ୱ ଉପରେ ଭରସା ରଖି ଗଞ୍ଜାମ ଜିଲ୍ଲାର ସାଙ୍ଗଠନିକ ପ୍ରକ୍ରିୟାକୁ ପୁନର୍ବିନ୍ୟାସ କରିଛନ୍ତି।ତୃଣମୂଳ ସ୍ତରରେ ବିଜେଡି ଦଳକୁ ଅଧିକ ସୁସଂଗଠିତ, ଶକ୍ତିଶାଳୀ ଓ ରାଜ୍ୟରେ ବିକାଶ ଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଦଳକୁ ଅଧିକ ସୁଦୃଢ କରିବା ସହ ପୁଣି ଥରେ ରାଜ୍ୟର ଶାସନ ଭାର ଅକ୍ତିଆର କରିବା ଲକ୍ଷ୍ୟରଖି ଦଳୀୟ ରଣନୀତି ପ୍ରସ୍ତୁତ କରାଯାଇଛି।ଏହି କ୍ରମରେ ଗଞ୍ଜାମ ଜିଲ୍ଲା ବିଜେଡ଼ିରେ ଯୁବ ନେତୃତ୍ୱକୁ ଅଧିକ ଗୁରୁତ୍ଵ ଦେଇ ମନୋନୀତ କରାଯାଇଛି।ରାଜ୍ୟ ସଭାପତିଙ୍କ ମନୋନୀତ ଓ ଅନୁମୋଦନ କ୍ରମେ ଗଞ୍ଜାମ ଜିଲ୍ଲା କମିଟିରେ ବିଭିନ୍ନ ନେତୃବୃନ୍ଦଙ୍କ ନାମ ଓ ପଦବୀ ଘୋଷଣା କରିଛନ୍ତି। ଜିଲ୍ଲାରେ ୨୩ ଜଣ ବିଜେଡି ସାଧାରଣ ସମ୍ପାଦକଙ୍କ ମଧ୍ୟରେ ହିଞ୍ଜିଳିକାଟୁର ଦକ୍ଷ ସଂଗଠକ ଓ ଯୁବ ନେତା ଅଜୟ କୁମାର ମହାରଣାଙ୍କୁ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି।ସ୍ଥାନୀୟ ଅଞ୍ଚଳବାସୀଙ୍କ ନିକଟରେ ଜଣେ ଦୃଢ଼ ସମର୍ଥକ ଓ ଦଳର ସଂଗଠକ ଭାବେ ବେଶ ଜଣାଶୁଣା ଅଜୟଙ୍କ ଉପରେ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆସ୍ଥା ପ୍ରକଟ କରି ତାଙ୍କୁ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି। ପୂର୍ବରୁ ଜନତା ଦଳ ଓ ପରେ ବିଜେଡି ଦଳରେ ରହି ସେ ସ୍ଥାନୀୟ ଅଞ୍ଚଳରେ ହେଲ୍ପ,ସବୁଜ ବାହିନୀ ନାମରେ ସାମାଜିକ ସଂଗଠନ ଗଠନ କରି ସମାଜ ସେବୀ ଭାବେ ସକ୍ରିୟ ରହି ଦଳୀୟ ସଂଗଠନକୁ ଅଧିକ ସୁଦୃଢ କରିଥିଲେ।ଅଦ୍ୟାବଧି ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସେ ସକ୍ରିୟ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନା ଓ ବିକାଶର ସଫଳ ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସଦାସର୍ବଦା ପ୍ରଶଂସନୀୟ ଉଦ୍ୟମ ଜାରି ରଖିଛନ୍ତି।ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲା ପରେ ସେ ଜିଲ୍ଲା ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଙ୍କ ସମେତ ରାଜ୍ୟ ଓ ଜିଲ୍ଲାର ଅନ୍ୟାନ୍ୟ ଦଳୀୟ ନେତୃବୃନ୍ଦଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।ଦଳକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ପାଇଁ ସେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।