ରେଳ ଦୁର୍ଘଟଣାସ୍ଥଳ ଓ ଆହତମାନଙ୍କୁ ଭେଟି କ୍ଷୟକ୍ଷତି ଓ ସ୍ଥିତି ଅନୁଧ୍ୟାନ କଲା ଫରୱାର୍ଡ଼ ବ୍ଲକ ପ୍ରତିନିଧି ମଣ୍ଡଳୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଘଟି ଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଅତ୍ୟନ୍ତ ହୃଦୟ ବିଦାରକ । ଏହି ରେଳ ଦୁର୍ଘଟଣାରେ ସାଲିମାର-ଚନ୍ନେଇ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍, ଯଶୋବନ୍ତପୁର-ହାୱଡ଼ା ଏକ୍ସପ୍ରେସ୍ ସମେତ ଅନ୍ୟ ଏକ ମାଲ ବୋଝେଇ ରେଳ ଦୁର୍ଘଟଣାର ଶିକାର ହୋଇଥିଲା । ଫଳରେ ସହସ୍ରାଧିକ ଯାତ୍ରୀଙ୍କର ଦୁର୍ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ, ହଜାର ହଜାର ଯାତ୍ରୀ ଆହତ ହୋଇଛନ୍ତି । ଶନିବାର ସକାଳୁ ଫରୱାର୍ଡ଼ ବ୍ଲକ ରାଜ୍ୟ କମିଟିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ଓ ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ନେତୃତ୍ୱରେ ବାହାନଗା ଅଞ୍ଚଳ ଗସ୍ତ କରି ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ଭୟଙ୍କର ରେଳ ଦୁର୍ଘଟଣା ରେଳବାଇ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ସଂଗଠିତ ହୋଇଛି ବୋଲି ଫରୱାର୍ଡ଼ ବ୍ଲକ ରାଜ୍ୟ କମିଟି ସ୍ଥିତି ଅନୁଧ୍ୟାନ କରିବା ପରେ ଅଭିଯୋଗ କରିଛି । ପୂର୍ବରୁ ଦକ୍ଷିଣତଟକୁ ସଂଯୋଗ କରୁଥିବା ଏହି ମୁଖ୍ୟ ରେଳ ଲାଇନର ସଠିକ୍ ସମୟରେ ମରାମତି ନ କରାଯିବା ଏବଂ ଉନ୍ନତିକରଣର ଅଭାବ କାରଣରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଫରୱାର୍ଡ଼ ବ୍ଲକ ଦଳ ଅଭିଯୋଗ କରିଛି । ନୈତିକତା ଦୃଷ୍ଟିରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ପଦବୀରୁ ଇସ୍ତଫା ଦେବା ଉଚିତ୍ ବୋଲି ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର ଦାବି କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଓ ବାହାନଗା ହାଇସ୍କୁଲ୍ ଯାଇ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟ ମାନଙ୍କ ସହ ଆଲୋଚନା କରିବା ସହ ଆହତମାନଙ୍କୁ ଭେଟି ସେମାନଙ୍କର ଚିକିତ୍ସା ସଂକ୍ରାନ୍ତରେ ପଚାରି ବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫରୱାର୍ଡ଼ ବ୍ଲକର ରାଜ୍ୟ ଉପସଭାପତି ସର୍ବେଶ୍ୱର ମିଶ୍ର, ଜିଲ୍ଲା ସହ ସମ୍ପାଦକ ସନ୍ତୋଷ କୁମାର ସାହୁ, କୃଷକ ନେତା ଗଦାଧର ଜେନା ଓ ସଂଖ୍ୟାଲଘୁ ସେଲ୍ର ଆବାହକ ଏସ୍.କେ. ତାଲିବ୍, ଯୁବ ଲିଗ୍ର ଆବାହକ ନାରାୟଣ ଡାଳୁଆ, ଆଜାଦ ହିନ୍ଦ୍ ବାହିନୀର ରାଜ୍ୟ ନେତ୍ରୀ ସୁବତୀ ଆଜାଦ୍ ଓ ଲକ୍ଷ୍ମୀ ବାରିକ ପ୍ରମୁଖ ଏହି ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇ ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ସ୍ୱେଚ୍ଛାକୃତ ଭାବେ ନିଜକୁ ନିୟୋଜିତ କରିଥିବା ବାଲେଶ୍ୱର ଓ ବାହାନଗା ଅଞ୍ଚଳର ଜନସାଧାରଣଙ୍କ ସହିତ ଆଲୋଚନା କରିବା ସହ ଏହି ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଥ୍ୟ ଅନୁସନ୍ଧାନ କରିଥିଲେ । ଫରୱାର୍ଡ଼ ବ୍ଲକ ପକ୍ଷରୁ ଏହି ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟରେ ସ୍ୱେଚ୍ଛାକୃତ ଭାବେ ନିଜକୁ ନିୟୋଜିତ କରିଥିବା ଜନସାଧାରଣଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି । ଦୁର୍ଘଟଣାରେ ମୃତ ବ୍ୟକ୍ତିମାନଙ୍କୁ ସର୍ବନିମ୍ନ ୨୦ ଲକ୍ଷ ଟଙ୍କା, ଅଙ୍ଗପ୍ରତ୍ୟେଙ୍ଗ ହରାଇଥିବା ବ୍ୟକ୍ତିବିଶେଷଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ରେଳ ବିଭାଗ ପକ୍ଷରୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଫରୱାର୍ଡ଼ ବ୍ଲକ ରାଜ୍ୟ କମିଟି ପକ୍ଷରୁ ପ୍ରେସ୍ ଇସ୍ତହାର ମାଧ୍ୟମରେ ଦାବି କରାଯାଇଛି । ଅନ୍ୟ ପଟରେ ରେଳବାଇର ଉନ୍ନତିକରଣ ନାମରେ କେନ୍ଦ୍ର ସରକାର କରୁଥିବା ଘୋଷଣା ପ୍ରଚାର ସର୍ବସ୍ୱ ବୋଲି ଫରୱାର୍ଡ଼ ବ୍ଲକ ପକ୍ଷରୁ ଅଭିଯୋଗ କରାଯିବା ସହ ପୂର୍ବରୁ ରେଳମନ୍ତ୍ରୀ ରେଳ ଗୁଡ଼ିକର ସୁରକ୍ଷା ପାଇଁ ଘୋଷଣା କରିଥିବା କବଚ ଯୋଜନାର କାର୍ଯ୍ୟକାରିତା କୁଆଡ଼େ ଗଲା ବୋଲି ପ୍ରଶ୍ନ କରାଯାଇଛି । ବିଗତ କେଇ ଦଶନ୍ଧି ମଧ୍ୟରେ ଯାତାୟତ କରୁଥିବା ରେଳଗାଡ଼ି ଗୁଡ଼ିକର ସଂଖ୍ୟା ଯଥେଷ୍ଟ ଭାବରେ ବୃଦ୍ଧି ପାଇଥିବା ବେଳେ ରେଳବାଇ ଟ୍ରାକ୍ ଗୁଡ଼ିକର ଉନ୍ନତିକରଣ ଓ ଲାଇନ ସଂଖ୍ୟା ବୃଦ୍ଧି କରାଯିବା ସମେତ ଅନ୍ୟାନ୍ୟ ଉନ୍ନତିକରଣ କାର୍ଯ୍ୟ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାନଯିବା ଏଭଳି ଦୁର୍ଘଟଣାର ଅନ୍ୟ ଏକ କାରଣ ବୋଲି ଫରୱାର୍ଡ଼ ବ୍ଲକ ପକ୍ଷରୁ ଅଭିଯୋଗ କରାଯାଇଛି ।


