ରବୀନ୍ଦ୍ର ବେରା ନେସ୍କୋ ପାୱାର ଏମ୍ପେ୍ଲାଇଜ ୟୁନିୟନର ସାଧାରଣ ସମ୍ପାଦକ ହେଲେ
ବାଲେଶ୍ୱର, (ସରୋଜ ପଣ୍ଡା):ନେସ୍କୋ ପାୱାର ଏମ୍ପେ୍ଲାଇଜ ୟୁନିୟନର ପରିବର୍ଦ୍ଧିତ କାର୍ଯ୍ୟକାରୀ ବୈଠକ ବରିଷ୍ଠ ସଦସ୍ୟ ଯୋଗେଶ ଚନ୍ଦ୍ର ଅଗସ୍ତିଙ୍କ ଅଧ୍ୟକ୍ଷତାରେ ବାଲିଆସ୍ଥିତ ସଂଘ ସଭାଗୃହରେ ରବିବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର, ମୟୁରଭଞ୍ଜ, କେଉଁଝର, ଭଦ୍ରକ ଓ ଯାଜପୁର ଜିଲାର ବହୁ କାର୍ଯ୍ୟକର୍ତ୍ତା ଏଥିରେ ଉପସ୍ଥିତ ଥିଲେ । ସଂଘର ସାଧାରଣ ସଂପାଦକ ତାରାକାନ୍ତ ପଟ୍ଟନାୟକଙ୍କ ଦେହାନ୍ତ ପରେ ନୂତନ ସାଧାରଣ ସଂପାଦକଙ୍କୁ ମନୋନୟନ ପାଇଁ ଏହି ବୈଠକରେ ପ୍ରସ୍ତାବ ଆଗତ ହୋଇଥିଲଶ । ଦୀର୍ଘ ଆଲୋଚନା ଓ ବିଚାରବିମର୍ଷ ପରେ ସର୍ବସମ୍ମତ୍ତି କ୍ରମେ ରବୀନ୍ଦ୍ର ନାଥ ବେରାଙ୍କୁ ସାଧାରଣ ସଂପାଦକ ଭାବେ ମନୋନୀତ କରାଯାଇଥିଲା । ଟିପିଏଓଡିଏଲ ବିଦ୍ୟୁତ ବଣ୍ଟନ ଦାୟିତ୍ୱ ନେବାପରେ ବିଦ୍ୟୁତ ସଂସ୍ଥାରେ ଦୀର୍ଘବର୍ଷ କାର୍ଯ୍ୟ କରିଆସୁଥିବା କର୍ମଚାରୀଙ୍କ ଦାବିପ୍ରତି ସୁବିଚାର କରୁନଥିବା ନେଇ କେତେକ ସଦସ୍ୟ ଏହି ବୈଠକରେ ଅଭିଯୋଗ ଉଠାଇଥିଲେ । ଗ୍ରାହକଙ୍କୁ ନିରନ୍ତର ସେବା ପ୍ରଦାନ ଜାରି ରଖିଥିବା ବିଦ୍ୟୁତ କର୍ମଚାରୀଙ୍କ ଏକତାକୁ ଖର୍ବ କରିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଏକ ସାମୂହିକ ବଦଳି ଆଦେଶ କରୁଥିବାରୁ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଏହା ବିରୋଧରେ ଲିଖିତ ଭାବେ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା ସଂପର୍କରେ ସଂଘର ସଭାପତି ଶ୍ରୀ ବେହେରା ଜଣାଇଥିଲେ । କର୍ତ୍ତୃପକ୍ଷ ସଂଘର ଏହି ଚିଠି ଉପରେ ଗୁରୁତ୍ୱ ଦେଇ ପ୍ରସ୍ତାବିତ ସାମୂହିକ ବଦଳି ଆଦେଶ ପ୍ରତ୍ୟାହାର କରିବେ ବୋଲି ସମସ୍ତେ ଆଶା ପ୍ରକାଶ କରିଥିଲେ । ନତୁବା ଆଗାମୀ ଦିନରେ ସଂଘ ବ୍ୟାପକ ଆନ୍ଦୋଳନକୁ ଯିବାକୁ ବାଧ୍ୟ ହେବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ନୂତନ ଭାବେ ଦାୟିତ୍ୱ ନେଇଥିବା ସାଧାରଣ ସଂପାଦକଙ୍କୁ ସୁପରାମର୍ଶ ଦେବା ନିମନ୍ତେ ବରିଷ୍ଠ କର୍ମଚାରୀଙ୍କୁ ନେଇ ଏକ ଷ୍ଟିଅରିଂ କମିଟି ଏହି ଅବସାରରେ ଗଠନ କରାଯାଇଛି । ନବନିର୍ବାଚିତ ସାଧାରଣ ସଂପାଦକ ଶ୍ରୀ ବେରା ସଂଘ ପରିଚାଳନାରେ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ । ପୂର୍ଣ୍ଣଚନ୍ଦ୍ର ଚୌଧୁରୀ, ଆର୍ତ୍ତବନ୍ଧୁ ବିଶ୍ୱାଳ, ଦୁଲାଲ ରାୟ, ସଞ୍ଜୟ ବାରିକ, ଗୋଲକ ଚନ୍ଦ୍ର ସାମଲ, ଅଞ୍ଜନ ମହାପାତ୍ର, ସପନ ଦାସ, ଦେବାଶିଷ ପଣ୍ଡା, ଶଶାଙ୍କ ଶେଖର ବେହେରା, ଇଂ ସୁରେନ୍ଦ୍ର କୁମାର ପାଣିଗ୍ରାହୀ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିିଲେ । ବୃନ୍ଦାବନ ଚନ୍ଦ୍ର ମହାନ୍ତି, ଭରତ ଚନ୍ଦ୍ର ସେଠୀ, ଅରୁଣ ସିଂହ ପ୍ରଶାନ୍ତ ମହାନ୍ତି, ନିଗମାନନ୍ଦ ରାଉତ, ମୁକ୍ତିକାନ୍ତ ପଣ୍ଡା, ଘନଶ୍ୟାମ ରାଉତ, ଜ୍ୟୋତିକୃଷ୍ଣ ବେହେରା, ଚନ୍ଦନ ମହାନ୍ତି, ଜ୍ୟୋତିକୃଷ୍ଣ ବିଶ୍ୱାଳ, ଦୀପ୍ତିକାନ୍ତ ଭୂୟାଁ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ । ଉପ-ସଭାପତି ଅକ୍ଷୟ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


