ବ୍ରାହ୍ମଣ ସମିତି ପକ୍ଷରୁ ମୃତ ରେଳଯାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ବ୍ରାହ୍ମଣ ସମିତିର ବୈଠକରେ ଦୁର୍ଘଟଣାରେ ମୃତ ରେଳଯାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସଭାପତି ଡା. ଶ୍ରୀଶ କୁମାର ଦାଶଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଣ୍ଡିତ ବସନ୍ତ କୁମାର ପଣ୍ଡା ବେଦପାଠ କରିଥିଲେ । ସଂପାଦକ ଗୌରଚନ୍ଦ୍ର ଦାଶ ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇ ଶୋକପ୍ରସ୍ତାବ ଆଗତ କରିଥିଲେ । ଗତ ୨ ତାରିଖ ବାହାନଗା ରେଳ ଦୁର୍ଘଟଣା ମୃତକଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ସହ ଆତ୍ମାର ସଦଗତି ପାଇଁ ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପଣ୍ଡିତ ପ୍ରଦୀପ କୁମାର ପଣ୍ଡା, ପୁଣ୍ୟଶ୍ଳୋକ ନନ୍ଦ, ଶକ୍ତିପଦ ପଣ୍ଡା, ଡ. କ୍ଷିତୀଶ୍ୱର ଦାଶ, ଶାନ୍ତିସ୍ୱରୂପ ମିଶ୍ର, କ୍ଷୀତିଶ ଚନ୍ଦ୍ର ପଣ୍ଡା, ରମାକାନ୍ତ ଦୀକ୍ଷିତ୍, ନାରାୟଣ କର, ହରିବନ୍ଧୁ କର, ସୂର୍ଯ୍ୟନାରାୟଣ ଷଡ଼ଙ୍ଗୀ, ପ୍ରଦୀପ ଚକ୍ରବର୍ତ୍ତୀ, ବୈଦ୍ୟନାଥ ଆଚାର୍ଯ୍ୟ ଓ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଏହି ଅବସରରେ ରେଳ ଦୁର୍ଘଟଣା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଦୁର୍ଘଟଣାରେ ମୃତାହତ ଓ ନିଖୋଜ ବ୍ୟକ୍ତିମାନଙ୍କର ଆତ୍ମାର ଶାନ୍ତିପାଇଁ ଜିଲା ବ୍ରାହ୍ମଣ ସମିତି ତରଫରୁ ସଂଗଠନ ସଂପାଦକ ପଣ୍ଡିତ ଲକ୍ଷ୍ମୀଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଦୁର୍ଘଟଣା ସ୍ଥାନରେ ଆସନ୍ତା ୧୬ ତାରିଖରେ ଏକ ଶ୍ରଦ୍ଧାଞ୍ଜଳି ସଭା, ଯଜ୍ଞ, ବିଷ୍ଣୁ ସହସ୍ରନାମ, ହନୁମାନ ଚାଳିଶା ପାଠ, ଜପଯଜ୍ଞ, ଭାଗବତପାଠ, ଚତୁର୍ବେଦ ପାଠ ଓ ତିଳ ତର୍ପଣ ଆଦି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏନେଇ ଆସନ୍ତା ମଙ୍ଗଳବାର ଦିନ ବାହାନଗା ନିକଟସ୍ଥ ଷଠିଠାରେ ଏକ ପ୍ରସ୍ତୁତି ବୈଠକ ପଣ୍ଡିତ ଲକ୍ଷ୍ମୀଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି । ଏହି ବୈଠକରେ ଜିଲାର ସମସ୍ତ ବ୍ଲକ ପ୍ରତିନିଧି ଯୋଗଦେବାକୁ ଅନୁରୋଧ କରାଯାଇଛି । ଶାନ୍ତିସ୍ୱରୂପ ମିଶ୍ର ଶେଷରେ ଧନ୍ୟବାଦ ଦେଇଥିଲେ ।