ଠିକାଦାରଙ୍କ ମନମୁଖି କାର୍ଯ୍ୟ
ହାଟଡିହିି, (ବିକାଶ ବିଶ୍ୱାଳ):ଚୋରଗଡିଆ-ପୁରୁଣାଘାଟି ରାସ୍ତାର ଘୋଷରାପଦା ନିକଟରେ କେନାଲ ପୋଲ ନିର୍ମାଣ ବେଳେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏବେ ୬ଟି ଗ୍ରାମର ଲୋକମାନେ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ସୁଚନାରୁ ଜଣାଯାଇଛି ଯେ ବୈତରଣୀ ନଦୀସଂଯୋଗୀ କରଣ କେନାଲ କାର୍ଯ୍ୟରେ ଚୋରଗଡିଆ-ପୁରୁଣାଘାଟି ରାସ୍ତାର ଘୋଷରାପଦା ନିକଟରେ ଏକ ପୋଲ ନିର୍ମାଣ ଚାଲିଛି । ୩ବର୍ଷ ହେଲା ଏହି ପୋଲ ନିର୍ମାଣ ଚାଲିଥିବାବେଳେ କାର୍ଯ୍ୟ ସରିବାର ନାଁ ଧରୁନି । ଏବେ ବର୍ଷା ଆରମ୍ଭ ହୋଇଯାଇଥିବାବେଳେ ପୋଲ କାମ କରୁଥିବା ଠିକାଦାର ମନଇଛା ମାଟି ଗୁଡିକ ଆଣି ଏଣେ ତେଣେ ପକାଇ ଦେଇଥିବାରୁ ବାଇପାସ ରାସ୍ତାଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ରାସ୍ତାଦେଇ ରଗୁଡି, ମହ୍ଲାରପଦା, ହାତୀବନ୍ଧା, ବାହିଆ ବାରଦଣ୍ଡା ଲୋକମାନେ ନିର୍ଭର କରୁଥିବାବେଳେ ଏବେ ନାନା ସମସ୍ୟା ଭୋଗୁଛନ୍ତି । ଦୁଇଦିନ ତଳେ ଏହାକୁ ନେଇ କିଛି ଗ୍ରାମବାସୀ ଆସି ଠିକାସଂସ୍ଥାର କର୍ମକର୍ତ୍ତାଙ୍କୁ ଜଣାଇ ପାଟିତୁଣ୍ଡ କରିବାପରେ କିଛି ପଥର ଗୁଣ୍ଡ ରାସ୍ତାରେ ପକାଇ ଦେଇ କାମ ସାରିଦେଇଥିଲା । ମାତ୍ର ପଥରଗୁଣ୍ଡ ଗୁଡିକ କାଦୁଅରେ ଚାପି ହୋଇଯିବାରୁ ବାଇକ ଟିଏ ମଧ୍ୟ ଠିକ ଭାବେ ଯାଇପାରୁ ନି । ଦୁଇଦିନ ଭିତରେ ଅନେକ ଦୁର୍ଘଟଣା ଘଟି ଅନେକ ଲୋକ ଆହତ ମଧ୍ୟ ହେଲେଣି । ଏ ସମ୍ପର୍କରେ ଠିକାସଂସ୍ଥାର ସାଇଟ ମ୍ୟାନେଜରଙ୍କୁ ପଚାରିବାରୁ ବର୍ଷା ଛାଡିଲେ ଏହାକୁ ମରାମତି କରାଯିବ ବୋଲି କହିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।


