କଂଟ୍ରୋଲ ୟୁନିଟ ଓ ବ୍ୟାଲେଟ ୟୁନିଟ ସ୍ଥିତି ଯାଂଚ କଲେ ପ୍ରଶାସନିକ ଅଧିକାରୀ
ଛତ୍ରପୁର, (ଦେବଦତ୍ତ ମହାରଣା):ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥି ଲାଗି ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଗୋଦାମରେ ଇଭିଏମ ମେସିନ୍ କୁ କଡା ସୁରକ୍ଷା ବଳୟରେ ରଖାଯିବା ସହ ଉକ୍ତ କୋଠରୀ ଗୁଡିକ ସିଲ କରାଯାଇଥିଲା । ମଙ୍ଗଳବାର ଉକ୍ତ ଇଭିଏମ ଗୁଡିକ ସ୍ଥିତି କିପରି ରହିଛି ସେନେଇ ବିଭିନ୍ନ ରାଜନୈତିକ ଦଳ ଉପସ୍ଥିତିରେ ସିଲ ଗୃହ ଖୋଲାଯାଇଥିଲା । ନିଜେ ଗଞ୍ଜାମ ଜିଲ୍ଲାପାଳଦିବ୍ୟଜ୍ୟୋତି ପରିଡା,ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଲିନାକୁମାରୀ ଖେସ, ଆସିଷ୍ଟାଂଟ କଲେକ୍ଟର (ନିର୍ବାଚନ) ଓମପ୍ରକାଶ ପରିଡା ଉପସ୍ଥିତ ଏବଂ ବିଭିନ୍ନ ରାଜନୈତିକ ଦଳର ଉପସ୍ଥିତିରେ ଏହି ସିଲ କୋଠରୀ ଖୋଲାଯାଇଥିଲା । ସେଠାରେ ରଖାଯାଇଥିବା କଂଟ୍ରୋଲ ୟୁନିଟ ଓ ବ୍ୟାଲେଟ ୟୁନିଟ ଦେଖିବାପରେ ପୁଣି ଉକ୍ତ କୋଠରୀକୁ ସିଲ କରିଦିଆଯିବା ସହ ୨୪ ଘଂଟିଆ ସିସିଟିଭି ଓ ସୁରକ୍ଷାବଳରେ ରଖାଯାଇଛି । ଉକ୍ତ ଗୋଦାମରେ ୧୦୬୨୦ କଂଟ୍ରୋଲ ୟୁନିଟ ଓ ୧୦୬୨୦ ବ୍ୟାଲେଟ ୟୁନିଟ ରଖାଯାଇଛି । ଆସନ୍ତାମାସରେ ପୁଣି ଭିଭିପାଟ ମେସିନ ଆସିବାର କାର୍ଯ୍ୟକ୍ରମ ରହିଥିବା ଆସିଷ୍ଟାଂଟ କଲେକ୍ଟର (ନିର୍ବାଚନ) ଓମପ୍ରକାଶ ପରିଡା ସୂଚନା ଦେଇଛନ୍ତି । ପୂର୍ବରୁ ୨୫୦ ଜଣକୁ ଏହି ଇଭିଏମ ମେସିନର ବ୍ୟବାହର ନେଇ ପ୍ରଶିକ୍ଷଣ ଦିଆଯିବା ସହ ଏହାର ସ୍କ୍ରିନି ଏବଂ ଏଟିପି କରାଯାଇଛି ।