ଜିଲ୍ଲା ଦିବ୍ୟାଙ୍ଗ ସମ୍ବଳ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ଥେରାପି କାର୍ଯ୍ୟକ୍ରମକୁ ଜିଲ୍ଲାପାଳଙ୍କ ତଦାରଖ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଆଜି ଛତ୍ରପୁର ସ୍ଥିତ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପରିସରେ ଥିବା ଜିଲ୍ଲା ଦିବ୍ୟାଙ୍ଗ ସମ୍ବଳ କେନ୍ଦ୍ରରେ ଚାଲିଥିବା ଥେରାପି କାର୍ଯ୍ୟକ୍ରମକୁ ତଦାରଖ ଓ ପରିଦର୍ଶନ କରିଛନ୍ତି । ସେଠାରେ ତାଲିମ ନେଉଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହିତ ଜିଲ୍ଲାପାଳ ବାର୍ତ୍ତାଳାପ କରି ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝୁଥିଲେ । ଦିବ୍ୟାଙ୍ଗ ପିଲାଙ୍ଗ ପାଇଁ ଥେରାପି କେନ୍ଦ୍ରକୁ ଏକ ବଡ ସ୍ଥାନକୁ ସ୍ଥାନାନ୍ତର କରାଗଲେ ଆହୁରି ସୁବିଧା ହୋଇପାରିବ । ଏଣୁ ସ୍ଥାନ ନିରୂପଣ କରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଥେରାପି ବାବଦରେ ଆହୁରି ଅଧିକ ସୁବିଧା କରିବାର ପଦକ୍ଷେପ ନେବାକୁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତିଙ୍କୁ ପରାମର୍ଶ ଦେଇଛନ୍ତି । ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ସ୍ପିଚ୍ ଓ ଫିଜିଓ ଥେରାପି ତାଲିମକୁ କିଛି ସମୟ ଧରି ଜିଲ୍ଲାପାଳ ଅନୁଧ୍ୟାନ କରିବା ସହିତ ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମଗ୍ର ଶିକ୍ଷା ଅର୍ଥ ପରାମର୍ଶଦାତା ମଧୁସୂଦନ ପରିଡା, ଦିବ୍ୟାଙ୍ଗ ବିଭାଗର ଜିଲ୍ଲା ସଂଯୋଜକ ତପନ କୁମାର ସାହୁ, ସମ୍ବଳ ଶିକ୍ଷକ ବିଜୟ କୁମାର ବେହେରା, ଅଜୟ କୁମାର ସାହୁ, ଅଶ୍ୱିନୀ ପାଇକରାୟ ଓ ଦିପାଞ୍ଜଳୀ ପ୍ରମୁଖ ଉପସ୍ଥିତ ଥିଲେ ।


