ପ୍ରତିଭା ସମ୍ମାନ ଉତ୍ସବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):୭୭ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଅମୂଲ୍ୟ ନାୟକ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆୟୋଜିତ ଉତ୍ସବରେ ସ୍ୱାଧୀନତା ସଂଗ୍ରାମୀ ଶ୍ୟାମସୁନ୍ଦର ବେହେରା, ଶିକ୍ଷାବିତ ରମେଶ ଚନ୍ଦ୍ର ପଣ୍ଡା, ପ୍ରାକ୍ତନ ସରପଞ୍ଚ ଭିକାରୀ ଚରଣ ସେଠୀ, ସ୍ବେଚ୍ଛାଗ୍ରାହୀ ସୁଭଦ୍ରା ପାତ୍ର, ଦିବ୍ୟାଙ୍ଗ ସାହିତ୍ୟିକ ନିର୍ମଳ ବେହେରାଙ୍କୁ ସରପଞ୍ଚ ଶ୍ରୀ ନାୟକ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହାସହିତ ମିଶନ ଶକ୍ତି ସଭାପତି ଶକୁନ୍ତଳା ସାମଲ ଏବଂ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଚିଙ୍ଗିଡିପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଜଣାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନରେନ୍ଦ୍ର ରାଉତ, ଜିଆରଏସ ମାନସ ସାମଲ, ଯୁବନେତା ଦୀପକ ପାଣିଗ୍ରାହୀ, ସମବାୟବିତ ବିଜୟ ଖିଲାର ପ୍ରମୁଖ ଉପସ୍ଥିତ ଥିଲେ।


