ମହିଳା ପଞ୍ଚାୟତ ପ୍ରତିନିଧିଙ୍କୁ ସଚେତନ ପାଇଁ ବୈଠକ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଜଳଛାୟା ବିଭାଜିକା କାର୍ଯ୍ୟାଳୟ ପରିସରରେ ମହିଳା ବିକାଶ ପ୍ରତିଷ୍ଠାନ ଓ ଅଲିଭା ମହାସଂଘର ମିଳିତ ଆନୁକୁଲ୍ୟରେ “ଦି ହଙ୍ଗର ପ୍ରଜେକ୍ଟ ଓଡିଶା” ସହଯୋଗରେ ମହିଳା ପ୍ରତିନିଧିମାନଙ୍କୁ ସଚେତନ ପାଇଁ ଏକ ବୈଠକ ହୋଇଯାଇଛି । ଏଥିରେ ମହିଳା ବିକାଶ ପ୍ରତିଷ୍ଠାନର ପ୍ରକଳ୍ପ ସଂଯୋଜକ ନଟବର ପାଢୀ ସଭାପତିତ୍ୱ କରି ଏହି ଆଲୋଚନା ଚକ୍ରର ଉଦ୍ଦେଶ୍ୟ ଏବଂ ଏହା ଦ୍ୱାରା ମହିଳା ପଞ୍ଚାୟତ ପ୍ରତିନିଧିମାନେ କିପରି ଭାବେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବାଟ ପାଇବେ ସେ ବିଷୟରେ କହିଥିଲେ । କାର୍ଯ୍ୟକ୍ରମରେ ରାୟଗଡ ବ୍ଲକ ଓ ଆର୍.ଉଦୟଗିରି ବ୍ଲକର ମହିଳା ପଞ୍ଚାୟତ ପ୍ରତିନିଧିମାନେ ଯଥା ୱାର୍ଡ ମେମ୍ବର, ସରପଞ୍ଚ ଓ ନାଏବ ସରପଞ୍ଚ ପ୍ରମୁଖ ପ୍ରାୟ ୪୦ରୁ ଉର୍ଦ୍ଧ ମହିଳା ଯୋଗଦେଇଥିଲେ । ଜିଲା ପଞ୍ଚାୟତ ଅଧିକାରୀ ବସନ୍ତ କୁମାର ପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏହି ମହିଳା ପଞ୍ଚାୟତ ପ୍ରତିନିଧି ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ପଞ୍ଚାୟତ ସ୍ତରରେ ବିଭିନ୍ନ ପ୍ରକାର ଭତ୍ତା, ରାସନ ସାମଗ୍ରୀ ଏବଂ ଅନ୍ୟାନ୍ୟ ସମସ୍ୟା ପାଇଁ ଏହି ପ୍ରତିନିଧିମାନେ କିପରି କାର୍ଯ୍ୟକରିବେ ଯାହା ଦ୍ୱାରା ଉକ୍ତ ସମସ୍ୟା ଗୁଡିକ ସହଜରେ ସମାଧାନ ହୋଇପାରିବ ଏବଂ ପଞ୍ଚାୟତର ଉନ୍ନତି ମଧ୍ୟ ହୋଇପାରିବ ସେ ବିଷୟରେ ବିସ୍ତୃତ ଭାବେ କହିଥିଲେ । ଆସିଥିବା ମହିଳା ପଞ୍ଚାୟତ ପ୍ରତିନିଧିମାନେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ସରକାରୀ ଅଧିକାରୀମାନଙ୍କ ସହ ସିଧାସଳଖ ଭାବେ ଆଲୋଚନା କରିଥିଲେ । ବୈଠକରେ ଉପସ୍ଥିତଥିବା ସରକାରୀ ଅଧିକାରୀମାନେ ମଧ୍ୟ ଏହି ପ୍ରତିନିଧିମାନଙ୍କର ସମସ୍ୟା କିପରି ସମାଧାନ ହୋଇପାରିବ ସେ ବିଷୟରେ କହିଥିଲେ । ପଞ୍ଚାୟତ ସ୍ଥରର ସମସ୍ୟା ଗୁଡିକ ସମାଧାନ ନହେଲେ ସେଥିପାଇଁ ଉଚ୍ଚସ୍ତରକୁ କିପରି ଯିବାକୁ ପଡିବ ସେ ବିଷୟରେ ମଧ୍ୟ ବୁଝାଯାଇଥିଲା । ମହିଳା ପ୍ରତିନିଧିମାନେ ମଧ୍ୟ ସେମାନଙ୍କ ପଞ୍ଚାୟତରେ କିପରି ଉଚିତ ବ୍ୟକ୍ତିମାନେ ଭତ୍ତାରୁ ବଞ୍ଚିତ ହେଉଛନ୍ତି ଏବଂ ବିଭିନ୍ନ ସରକାରୀ ଯୋଜନା ଏବଂ ଅନୁଦାନରୁ ବଞ୍ଚିତ ହେଉଛନ୍ତି ସେ ବିଷୟରେ ସମାଧାନର ରାସ୍ତା କିପରି ବାହାରିବ ପଚାରି ବୁଝିଥିଲେ । କାର୍ଯ୍ୟକ୍ରମରେ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ମିନତୀ ଦେଇ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ, ଜିଲା ଶିକ୍ଷା ଅଧିକାରୀଙ୍କ ପ୍ରତିନିଧି ପ୍ରମୋଦ କୁମାର ପାଢୀ ପ୍ରମୁଖ ଏଥିରେ ଯୋଗଦେଇ ଏହି ମହିଳା ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ମିନତୀ ପାଢୀ, ଭାଗ୍ୟଲକ୍ଷ୍ମୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।


