ପରିତ୍ୟକ୍ତ କୂଅରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ଶବ ଉଦ୍ଧାର
ବୁଗୁଡା, (ଅନିଲ କୁମାର ମହାରଣା):ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବରକୋଳିଆ ଗ୍ରାମର ଧୋବାତଇଲା ନିକଟ ଏକ ପରିତ୍ୟକ୍ତ କୂଅରୁ ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ଜଣକ ବୁଗୁଡା ଥାନାର ମାଣିତରା ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଦୁଇ ଦିନ ପୂର୍ବେ ବୁଗୁଡା ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଗୋପାଳ ସାମଲଙ୍କ ସାନ ଝିଅ ବର୍ଷା ସାମଲ(୧୫) ନିଖୋଜ ହୋଇଥିବା ନେଇ ବୁଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସର ତଦନ୍ତ ଚାଲିଥିବା ବେଳେ ବରକୋଳିଆ ଗ୍ରାମର ଏକ ପରିତ୍ୟକ୍ତ କୂଅ ଭିତରେ ଗୋଟିଏ ଶବ ଭାସୁଥିବା ଲୋକମାନେ ଦେଖି ଜଗନ୍ନାଥପ୍ରସାଦ ଥାନାକୁ ଖବର ଦେଇଥିଲେ। ପୋଲିସ ଖବର ପାଇ ଦମକଳ ବାହିନୀ ଦ୍ୱାରା ଶବକୁ ଉଦ୍ଧାର କରିବା ପରେ ଏହା ମଙ୍ଗରାଜପୁର ଗ୍ରାମର ଦଶମ ଶ୍ରେଣୀରେ ପଢ଼ୁଥିବା ବର୍ଷା ରାଣୀ ସାମଲ ବୋଲି ଜଣାପଡିଥିଲା। ଖବର ପାଇ ବୁଗୁଡା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ଯବଛେଦ ପାଇଁ ପଠାଯାଇଛି। ମୃତ ନାବାଳିକା ବର୍ଷା ରାଣୀଙ୍କ ବଡ ଭଉଣୀଙ୍କ ଶାଶୁଘର ଜଗନ୍ନାଥ ପ୍ରସାଦ ପୋଲିସ ଥାନା ଅନ୍ତର୍ଗତ ବରକୋଳିଆ ଗ୍ରାମ ହୋଇଥିବା ବେଳେ ବୁଗୁଡା ପୋଲିସ ବର୍ଷାରାଣୀଙ୍କ ଭିଣୋଇ ସନ୍ତୋଷ କୁମାର ଖଣ୍ଡେଇଙ୍କୁ ଅଟକ ରଖି ଜେରା କରୁଥିବା ଜଣାପଡିଛି।


