ଅସହାୟ ଜାନକୀଙ୍କୁ ମିଳିଛି ଭତ୍ତା, ମିଳୁଛି ପିଡିଏସ ଚାଉଳ, ମିଳିନି ଘର
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାଳଣିଆ ଗ୍ରାମର ଅସହାୟ ବିଧବା ମହିଳା ଜାନକୀ ରଣାଙ୍କ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ପ୍ରଶାସନ ତତ୍ପର ହୋଇଉଠିଛି । ସେ ଏକ ଭଙ୍ଗା ଘରେ ରହୁଥିବାବେଳେ ସାମାଜିକ ସୁରକ୍ଷା ଯୋଜନାରୁ ବାଦ ପଡିଥିବାନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ବଞ୍ଚୋ ଗ୍ରାମର ମମତା ବରାଳ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ ଓ ଜିଲ୍ଲାପାଳଙ୍କୁ ଟୁଇଟ କରିଥିଲେ । ଜିଲ୍ଲାପ୍ରଶାସନ ତୁରନ୍ତ ପଦକ୍ଷେପ ନେବ ବୋଲି ମଧ୍ୟ ଉତ୍ତର ରଖିଥିଲେ । ତାଙ୍କୁ ଗତ ମେ ମାସରୁ ଚାରିମାସ ହେଲା ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ଭତ୍ତା ଦିଆଯାଉଥିଲେବି ହିତାଧିକାରୀ ଜାନକୀଙ୍କୁ ଏ ବାବଦରେ ଜଣା ନଥିଲା । କିମ୍ବା ବ୍ଲକ କର୍ତ୍ତୁପକ୍ଷ ମଧ୍ୟ ଏ ବାବଦରେ ତାଙ୍କୁ କୌଣସି ସୁଚନା ଦେଇ ନଥିଲା । ଅନଲାଇନ ମାଧ୍ୟମରେ ତାଙ୍କ ଏକାଉଣ୍ଟକୁ ପ୍ରତିମାସ ପାଞ୍ଚଶହ କରି ଭତ୍ତା ଦିଆଯାଇ ଆସୁଅଛି । କର୍ତ୍ତୁପକ୍ଷ ଆଜି ତାଙ୍କ ବାବଦରେ ଖୋଳତାଡ କରିବା ପରେ ତାଙ୍କ ଏସବିଆଇ ଏକାଉଣ୍ଟକୁ ଟଙ୍କା ଦିଆଯାଇଥିବାବେଳେ ସେ ଗୋଟିଏ ବି ଟଙ୍କା ଉଠାଇ ନଥିବା ଜାଣିବାକୁ ପାଇଥିଲେ । ସେ ୩୫କିଲୋ ରେସନ ଚାଉଳ ପାଉଥିବାବେଳେ ପାଞ୍ଚଶହ କରି ଭତ୍ତା ପାଉଛନ୍ତି ବୋଲି ବ୍ଲକ ପକ୍ଷରୁ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯାଇଛି । କିନ୍ତୁ ସେ ଭଙ୍ଗା ଚାଳଘରେ ବାସ କରୁଥିଲେବି ତାଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇ ନାହିଁ । ଏ ସମ୍ପର୍କରେ ଖବର ପ୍ରକାଶ ପାଇବାପରେ ହାଟଡିହି ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ ଡଅଁର ରାଜସ୍ୱ ନିରୀକ୍ଷକଙ୍କୁ ଅସାହୟ ଜାନକୀଙ୍କ ଘରକୁ ପଠାଇ ତଥ୍ୟ ଅନୁଧ୍ୟାନ କରିବା ସହିତ ତାକୁ ଏକ ପଲିଥିନି ଯୋଗାଇ ଦେଇଛନ୍ତି । କିପରି ତାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ବାସଗୃହ ଖଣ୍ଡିଏ ଯୋଗାଇ ଦିଆଯିବ ସେନେଇ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମର ଯୁବଗୋଷ୍ଠୀ ମାନେ ନିବେଦନ କରିଛନ୍ତି ।


