ବର୍ଷୀୟାନ ସାମ୍ବାଦିକ ଲକ୍ଷ୍ମୀଧର ବେହେରାଙ୍କ ଦେହାନ୍ତ
ବାଲେଶ୍ୱର, (ସରୋଜ ପଣ୍ଡା):ପବିତ୍ର ଗଣେଶ ଚତୁର୍ଥୀ ଦିନ ମଧ୍ୟାହ୍ନ ୧୨ଟା୨୦ରେ ବର୍ଷୀୟାନ ସାମ୍ବାଦିକ, ସମାଜସେବୀ ତଥା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରାଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା । ସେ ବିଭିନ୍ନ ଜରା ରୋଗରେ ଗତ କିଛିଦିନ ଧରି ପୀଡ଼ିତ ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଜ୍ୟୋତ୍ସ୍ନାରାଣୀ, ପୁତ୍ର ସମ୍ବିତ୍, ପୁତ୍ରବଧୂ ଗୀତାରାଣୀ, କନ୍ୟା ମର୍ଯ୍ୟାଦା ମାନିନୀ, ଜାମାତା ଦୀପକ ଓ ନାତିନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁସମ୍ବାଦ ସହରରେ ପ୍ରଚାରିତ ହେବାପରେ ବହୁ ବିଶିଷ୍ଟ ବ୍ୟକ୍ତି ଫକୀରମୋହନ ଗୋଲେଇ ନିକଟସ୍ଥ ତାଙ୍କ ବାସଭବନକୁ ଯାଇ ଶେଷଦର୍ଶନ କରିଥିଲେ । ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସର୍ବଶ୍ରୀ ଦାମୋଦର ନାୟକ, ସୀତାରାମ ପ୍ରଧାନ, ଯଶୋଦା ନନ୍ଦନ ଆଶ୍, ଶ୍ୟାମସୁନ୍ଦର ଜେନା, ସନ୍ତୋଷ ସାହୁ, ଲକ୍ଷ୍ମୀନାରାୟଣ ଘୋଷ, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, କମଳାକାନ୍ତ ବେହେରା, ଗୋପୀନାଥ ଦାସ, ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ସଭାପତି ଇଂ. ବନମାଳୀ ନାୟକ, ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ସିଭିଲ୍ ସୋସାଇଟି ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସଂପାଦକ ତଥା ଓକିଲ ସଂଘର ସଭାପତି ମନୋଜ ନାୟକ, ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା, ଗୌରାଙ୍ଗ ପାଣିଗ୍ରାହୀ, ‘ମୋନା’ର ସଂପାଦିକା ମମତା ମହାପାତ୍ର, କାଉନସିଲର ଦେବାଶିଷ ସିଂହ, ସମାଜସେବୀ କିଶୋର ଦାସ, ନିରଞ୍ଜନ ରାଉତ ଓ ସମାଜସେବୀ ରଘୁନାଥ ଲେଙ୍କା ପ୍ରମୁଖ ସ୍ୱର୍ଗତ ବେହେରାଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।ସ୍ୱର୍ଗତ ବେହେରା ବାଲେଶ୍ୱର ଜିଲ୍ଲାର ଖଇରା ଥାନା ଗଳଗାଁରେ ଗତ ୧୯୪୬ ମସିହା ସେପ୍ଟେମ୍ବର ୨୧ ତାରିଖ ଦିନ ପିତା ସ୍ୱର୍ଗତ କାଙ୍ଗାଳି ବେହେରା ଓ ମାତା ସ୍ୱର୍ଗୀୟା ଶାରଦା ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୪ବର୍ଷ ବୟସରେ ତାଙ୍କର ମାତୃବିୟୋଗ ଘଟିଥିଲା । ତାଙ୍କର ଲାଳନପାଳନ ଦାୟିତ୍ୱ ତାଙ୍କର ଆଈ ତୁଲାଇଥିଲେ । ସେ ୧୯୬୪ ମସିହାରେ ଖଇରା ଉଚ୍ଚ ଇଂରାଜୀ ବିଦ୍ୟାଳୟରୁ ମେଟ୍ରିକ୍ ପାଶ୍ କରି ଫକୀରମୋହନ କଲେଜ୍ ଓ ପରେ ସୋର ଉପେନ୍ଦ୍ରନାଥ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟ୍ସ ଫେଡେରେସନ୍ ପକ୍ଷରୁ ଛାତ୍ର ରାଜନୀତିରେ ପ୍ରବେଶ କରିଥିଲେ । ୧୯୬୫ରୁ ୧୯୬୭ ପର୍ଯ୍ୟନ୍ତ ସେ ଓଡ଼ିଶା ସରକାରଙ୍କ ଗ୍ରାମ ଇଂଜିନିୟରିଂ ସଂସ୍ଥା ଅଧୀନରେ ପ୍ରାୟ ଦୁଇବର୍ଷ କାମ କରି ପୁନଶ୍ଚ ଶିକ୍ଷା ସମାପ୍ତ ପାଇଁ ସେ ସୋର ଉପେନ୍ଦ୍ରନାଥ କଲେଜ୍ରେ ନାମ ଲେଖାଇଥିଲେ । ଛାତ୍ର ଜୀବନରେ ସେ ଜଣେ ସୁସଂଗଠକ, ସୁବକ୍ତା ଓ ମଞ୍ଚ ଅଭିନେତା ଭାବରେ ପ୍ରସିଦ୍ଧିଲାଭ କରିଥିଲେ ।ଗତ ୧୯୬୯ ମସିହାରେ ସେ ଇନ୍ଦିରା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳ ପାଇଁ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ସେ କଂଗ୍ରେସ୍ ଦଳରେ ବିଭିନ୍ନ ପଦପଦବୀରେ ୧୯୮୪ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ସେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଜନତା ଦଳରେ ଓ ମୂଲାୟମ ସିଂହ ଯାଦବଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟିରେ ଯୋଗ ଦେଇ ବାଲେଶ୍ୱର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ । ଗତ ୨୦୦୯ ମସିହା ଠାରୁ ସେ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ଗ୍ରହଣ କରି ବିଭିନ୍ନ ସାମାଜିକ କାର୍ଯ୍ୟରେ ଯୋଗ ଦେବା ସହ ୧୯୬୯ରୁ ହିନ୍ଦୁସ୍ଥାନ ସମାଚାର, ସମାଜ, ମାତୃଭୂମି, ରାଷ୍ଟ୍ରଦୂତ, ପ୍ରଗତିବାଦୀ, ଆଜିକାଲି, ସ୍ୱରାଜ୍ୟ, ଦିନଲିପି ଓ ଜନପ୍ରିୟ ଭଳି ସମ୍ବାଦପତ୍ରମାନଙ୍କରେ ଜଣେ ସାମ୍ବାଦିକ ଭାବେ ତାଙ୍କର ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ତାଙ୍କ ସାମ୍ବାଦିକତା ସମୟରେ ସେ ଜିଲ୍ଲାର ବହୁ ପ୍ରମୁଖ ସମସ୍ୟା ସରକାର ଓ ଲୋକଲୋଚନକୁ ଆଣିପାରିଥିଲେ । ସମାଜସେବା କ୍ଷେତ୍ରରେ ଗତ ୨୦୦୯ମସିହାରୁ ବାଲେଶ୍ୱର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପ୍ରତିଷ୍ଠାରେ ସ୍ୱର୍ଗତ ବେହେରାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ସ୍ୱର୍ଗତ ମହେଶ୍ୱର ବାଗ, ବ୍ରଜନାଥ ରଥ, ଅକ୍ଷୟ କୁମାର ପାଣି ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହଯୋଗରେ ସେ ଏହି ମଞ୍ଚର ଭିତ୍ତିସ୍ଥାପନ କରିଥିଲେ । ରାଜ୍ୟସ୍ତରରେ ବରିଷ୍ଠ ନାଗରିକ ମହାସଂଘ ଗଠନରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେ ବାଲେଶ୍ୱର ସିଭିଲ୍ ସୋସାଇଟି, ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି, ନୃତ୍ୟ-ସଂଗୀତ-କଳା ମନ୍ଦିର ପ୍ରଭୃତି ଅନୁଷ୍ଠାନରୁ ଜଣେ ସକ୍ରିୟ ସଭ୍ୟ ଭାବେ ଦାୟିତ୍ୱ ସଂପାଦନ କରିଥିଲେ । ‘ଲୋକସେବକ ମଣ୍ଡଳ’ ଓ ‘ସମାଜ’ ପ୍ରତିଷ୍ଠାନ ସହ ସେ ଗୋପବନ୍ଧୁ ଜ୍ୟୋତିଯାତ୍ରା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବାଲେଶ୍ୱରରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ । ତାଙ୍କର ଜୀବନବ୍ୟାପୀ ସେବା ଓ ଉଲ୍ଲେଖନୀୟ ଅବଦାନ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୬ ମସିହାରେ ଜୀବନବ୍ୟାପୀ ସାଧନା ସମ୍ମାନ, ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରରେ ୨୦୧୮ ମସିହାରେ ଓଡ଼ିଶା ସରକାର ତାଙ୍କୁ ‘ବୟୋଜ୍ୟେଷ୍ଠ ସମ୍ମାନ -୨୦୧୮’ରେ ସମ୍ମାନିତ କରିଥିଲେ । ଉତ୍ତରୀୟ ଓ ପ୍ରଶସ୍ତିଫଳକ ସହ ତାଙ୍କୁ ଏକଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା । ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘର ନବମ ପ୍ରତିଷ୍ଠା ଦିବସ ଅବସରରେ ୨୦୧୯ରେ ତାଙ୍କୁ ‘ବିଶିଷ୍ଟ ଜନସେବକ’ ଉପାଧି ପ୍ରଦାନ କରାଯାଇଥିଲା । ଅନୁରୂପ ଭାବେ ବିଶ୍ୱ ଜଗନ୍ନାଥ ଚେତନା ସଂସଦ ପକ୍ଷରୁ ବାଲେଶ୍ୱର ଠାରେ ଆୟୋଜିତ ଆଧ୍ୟାମିôକ ସମାବେଶରେ ତାଙ୍କୁ ସେବା ପ୍ରଶସ୍ତି ପୁରସ୍କାର ସମେତ ବହୁ ଶିକ୍ଷା, ସଂସ୍କୃତି ଓ ଗଣମାଧ୍ୟମ ପ୍ରତିଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା । ତାଙ୍କ ଶେଷକୃତ୍ୟ ସଂପନ୍ନ ପାଇଁ ମରଶରୀରକୁ ଜନ୍ମମାଟି ଗଳଗାଁରୁ ପୁରୀସ୍ଥିତ ସ୍ୱର୍ଗଦ୍ୱାରକୁ ଆଜି ନିଆଯାଇଛି । ଶ୍ରୀ ବେହେରାଙ୍କ ବିୟୋଗରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହ ବାଲେଶ୍ୱରବାସୀ ଜଣେ ମୁରବୀ ହରାଇଲେ ବୋଲି ଅନେକ ମତପ୍ରକାଶ କରିଛନ୍ତି ।


