ଚିନ୍ମୟ ମିଶନ୍ ବାଲେଶ୍ୱର ଶାଖା ତରଫରୁ ଗୀତା ଜ୍ଞାନ ଯଜ୍ଞ ପ୍ରବଚନ ଉଦ୍ଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା):ଚିନ୍ମୟ ମିଶନ ବାଲେଶ୍ୱର ଶାଖା ତରଫରୁ କୁରୁଡ଼ାସ୍ଥିତ ବୃନ୍ଦାବନ ଜୀଉ ମନ୍ଦିର ପରିସରରେ ପାଞ୍ଚଦିନ ବ୍ୟାପୀ ହେବାକୁ ଥିବା ଗୀତା ଜ୍ଞାନ ଯଜ୍ଞ ଆଜି ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଅଛି । ଏଥିରେ ମୁଖ୍ୟଅତିଥି ତଥା ବୃନ୍ଦାବନ ଜୀଉ ମନ୍ଦିରର ସତ୍ତ୍ୱାଧିକାରୀ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମକୁ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ । ବାଲେଶ୍ୱର ଚିନ୍ମୟ ମିଶନର ସଭାପତି ଡ. କ୍ଷିତୀଶ୍ୱର ଦାଶ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ଦିବାକର ମହାପାତ୍ର ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିବା ସହ ମିଶନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ଉପସ୍ଥାପନ କରିଥିଲେ । ଚିନ୍ମୟ ମିଶନର ଆଚାର୍ଯ୍ୟ ବ୍ରହ୍ମଚାରୀ ଅଗସ୍ତ୍ୟ ଚୈତନ୍ୟ ଉପସ୍ଥିତ ରହି ପାଞ୍ଚଦିନବ୍ୟାପୀ ଜ୍ଞାନଯଜ୍ଞ (ତା ୧୪-୧୦-୨୦୨୩ ରିଖ ଠାରୁ ୧୮-୧୦-୨୦୨୩ ) ପ୍ରତିଦିନ ସନ୍ଧ୍ୟା ୬.୩୦ରୁ ୮ଟା ପର୍ଯ୍ୟନ୍ତ ଗୀତା ଦ୍ୱାଦଶ ଅଧ୍ୟାୟ ଉପରେ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ପ୍ରବଚନ ଦେବେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସକାଳ ୭ଟାରୁ ୮ଟାରେ କଲ୍ୟାଣନଗର, ଅଙ୍ଗାରଗଡ଼ିଆସ୍ଥିତ ଚିନ୍ମୟ ମିଶନରେ ଈଷାବାସ୍ୟ ଉପନିଷଦ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ସମସ୍ତ ଶ୍ରଦ୍ଧାଳୁ ତଥା ବାଲେଶ୍ୱର ସହରର ଜନସାଧାରଣଙ୍କୁ ଯୋଗଦେବାକୁ ଅନୁରୋଧ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ଫକୀରମୋହନ କଲେଜ୍, ବାଲେଶ୍ୱରର ସହକାରୀ ପ୍ରଫେସର ଡ. ସନ୍ତୋଷ କୁମାର ରାଉତ ଉପସ୍ଥିତ ରହି ତାଙ୍କ ବକ୍ତବ୍ୟରେ ଚିନ୍ମୟ ମିଶନର ଆଚାର୍ଯ୍ୟ ତଥା ସମସ୍ତ କର୍ମକର୍ତ୍ତାଙ୍କୁ ଏହି ଆଧ୍ୟାମିôକ କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିବା ସହିତ ଏହା କରିବା ଦ୍ୱାରା ସମସ୍ତଙ୍କର ବ୍ୟକ୍ତିତ୍ୱ ବିକାଶ ସହିତ ସାତ୍ତ୍ୱିକ ଭାବ ବୃଦ୍ଧି ହୁଏ ବୋଲି କହିଥିଲେ ଏବଂ ଉପସ୍ଥିତ ଶ୍ରୋତାମାନଙ୍କୁ ଏହାର ସୁଯୋଗ ନେବାକୁ ଅନୁରୋଧ କରିଥିଲେ ।ଏହି ଉତ୍ସବରେ ମିଶନର କୋଷାଧ୍ୟକ୍ଷ ଗଙ୍ଗାଧର ପୁଷ୍ଟି, ପୂର୍ବତନ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଯୁଗ୍ମ ସମ୍ପାଦକ ବିଜୟ କୁମାର ଦାସ ଅଧିକାରୀ, ପ୍ରଫୁଲ୍ଲ କୁମାର ଦାସ, ହରିଶ୍ଚନ୍ଦ୍ର ସାହୁ, ଡକ୍ଟର ବେଣୁମାଧବ ଶତପଥୀ, ଡକ୍ଟର ଗଣେଶ ଚନ୍ଦ୍ର ପରିଡ଼ା, ଡ. ପ୍ରଭାକର ରଥ, ରାଜକିଶୋର ମଲ୍ଲିକ, ଦୀପ୍ତା କୁଣ୍ଡୁ, ଅଞ୍ଜନା ଦାସ, ରଶ୍ମି ଶତପଥୀ, ଦୀପାଞ୍ଜଳି ରଣା, ଜୟନ୍ତୀ କର, ଭାନୁମତୀ ବାରିକ, ଗୀତାଞ୍ଜଳି କର, ପଦ୍ମିନୀ ବାରିକ, ରବିନାରାୟଣ ଭୋଳ ପ୍ରମୁଖ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ଶହେରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗ ଦେଇ ଚିନ୍ମୟ ମିଶନର ଏହି କାର୍ଯ୍ୟକ୍ରମ ପାଇଁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରବଚକ ସ୍ୱାମୀ ଗୋବିନ୍ଦାନନ୍ଦ ସରସ୍ୱତୀ ରାତ୍ରି ୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଚନ ଦେଇଥିଲେ । ପ୍ରବଚନ ପରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ମିଶନ ତରଫରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଶେଷରେ ମିଶନର ଉପସଭାପତି ଅକ୍ଷୟ କୁମାର ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେବାପରେ ଆଜିର କାର୍ଯ୍ୟକ୍ରମ ସମାପନ ହୋଇଥିଲା ।