ରଘୁନାଥ ବେଶ ରେ ଦର୍ଶନ ଦେଲେ ମା ମଙ୍ଗଳା
ନିମାପଡା, (ସନ୍ତୋଷ ଦାସ):ପୁରୀ ଜିଲ୍ଲା କାକଟପୁର ବାସିନୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଆଶ୍ୱିନ ମୂଳାଷ୍ଟମୀ ତିଥିରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା ବା ଷୋଳ ପୂଜା । ଆଜି ପଞ୍ଚମୀ ତିଥି ହୋଇଥିବାରୁ ମା ଙ୍କ ରଘୁନାଥ ବା ତୀର କମାଣ ବେଶ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ମା ଙ୍କୁ ପାଦପଦ୍ମ ଓ ଭୁଜ ଲାଗି କରାଯାଇଥିବାବେଳେ ଆଜି ଧନୁ,ତୀର, କମାଣ ଲାଗି କରାଯାଇଛି। ଆଜି ଶ୍ରଦ୍ଧାଳୁ ଭକ୍ତ ମାନେ ମାଙ୍କୁ ଏହି ବେଶ ରେ ଦର୍ଶନ କରିଥିଲେ । ଗୁରୁବାର ସଂଧ୍ୟା ରେ ମା ଙ୍କ କାତିଖର୍ପର ବା କାତାୟନୀ ବେଶ, ଶୁକ୍ରବାର ରାତିରେ ପ୍ରସିଦ୍ଧ ସିଂହ ବାହିନୀ ବେଶ, ଶନିବାର ମହାଷ୍ଟମୀ ରାତିରେ ମା ଙ୍କ ମହିଷାମଦ୍ଧିନୀ ବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ମା ଙ୍କ ସେବକ ମହେନ୍ଦ୍ର ଦୀକ୍ଷିତ ପ୍ରକାଶ କରିଛନ୍ତି । ଶାରଦୀୟ ପାର୍ବଣ ପୂଜା ପାଇଁ କାକଟପୁର ଅଞ୍ଚଳ ଓ ମା ମଙ୍ଗଳା ଙ୍କ ମନ୍ଦିର ଉତ୍ସବ ମୁଖର ହୋଇଉଠିଛି।


