ପିପିଲି ରେ ଫୁଟେଇଲେ ନିମାପଡ଼ାରେ ବନ୍ଧା ହେଲେ
ନିମାପଡ଼ା, (ସନ୍ତୋଷ ଦାସ):ଗୁରୁବାର ସକାଳ ୫ଟା ସମୟରେ ପିପିଲି ଟୋଲଗେଟ୍ ନିକଟରେ ଅଟକି ଥିଲା ଓଡି-୦୨-ସିଜି-୭୭୪୩ ନମ୍ବର ବିଶିଷ୍ଟ ଏକ କାର।ଟୋଲ ଫି ଆଦୟକୁ କେନ୍ଦ୍ରକରି କର୍ମଚାରୀଙ୍କ ସହ ବଚସା ହୋଇଥିଲା।ବଚସାରୁ ହାତା ହାତି ପର୍ଯ୍ୟନ୍ତ କଥା ଯାଇଥିବା ବେଳେ ଜଣେ କର୍ମଚାରୀ ଆହତ ହୋଇଥିଲେ।ସେହି ସମୟରେ କାରରେ ବସିଥିବା ଜଣେ ଯୁବକ ପିସ୍ତଲ କାଢି ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିବା ସହିତ ନିମାପଡା ପଟକୁ କାରରେ ଦୃତ ଗତିରେ ପଳାଇ ଆସିଥିଲେ।ଖବର ପାଇ ପୋଲିସ ପାଟ୍ରୋଲିଙ୍ଗ ଗାଡି ଉକ୍ତ ଗାଡିକୁ ପିଛା କରିବା ସହିତ ନିମାପଡା, ବଳଙ୍ଗା, ଗୋପ ଓ ପିପିଲି ଥାନା ପୋଲିସକୁ ଅବଗତ କରାଇଥିଲେ।ନିମାପଡା ଥାନା ଅରିଷଣ୍ଢ ପଂଚାୟତ ଡଗରା ସାହି ନିକଟରେ ଉକ୍ତ ଯୁବକ ମାନେ କାରକୁ ଛାଡି ବାଟ ନଜାଣି ପାରି ନିକଟରେ ଥିବା ଧାନ ବିଲ ଭିତରକୁ ପଶିଯାଇ ଏକ ଗଡ଼ିଆ ଭିତରେ ଫସି ରହି lଯାଇଥିଲେ।ସେଠାରେ ପୋଲିସ ଟିମ୍ ପହଞ୍ଚି ଫସିଥିବା ଯୁବକଙ୍କୁ କାବୁ କରିବାରେ ସଫଳ ହୋଇଥିଲା।ପରବର୍ତ୍ତୀ ସମୟରେ ଆଉ ଜଣେ ଧାନ ବିଲ ଗହଳିରେ ଲୁଚି ଖସି ଯାଇଥିଲା।ମାତ୍ର ସେମାନଙ୍କ ପାଖରେ ଥିବା ପିସ୍ତଲକୁ ପୋଲିସ ଜବତ କରିପାରିନାହିଁ।କାରଣ ସେମାନେ ଲୁଚିଥିବା ସ୍ଥାନ ସମ୍ପୂର୍ଣ୍ଣ ଜଳମଗ୍ନ ଥିବା ବେଳେ ଦୁର୍ବୁତ୍ତ ମାନେ ବନ୍ଧୁକକୁ କେଉଁଆଡ଼େ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।ସେମାନେ ହେଲେ କିଶନନଗର ଥାନା ଅଞ୍ଚଳର ରୂପକ ବରାଳ(୨୪), ଗାଙ୍ଗୁଲି ମଲ୍ଲିକ(୨୫), ଶୁଭକାନ୍ତ ରାଉତରାୟ (୨୭) ଓ ରମାକାନ୍ତ ରାଉତରାୟ (୨୫)।ପିପିଲି ପୋଲିସ ଏମାନଙ୍କୁ ନେଇ ଅଧିକ ତଦନ୍ତ ଜାରି ରଖିଛି।ଦୁର୍ବୁତ ମାନେ କାହିଁକି ଏଠାକୁ ଆସିଥିଲେ ଓ କେଉଁଆଡ଼େ ଯାଉଥିଲେ ଏବଂ ତାଙ୍କ ପାଖରେ ପିସ୍ତଲ କାହିଁକି ରଖିଥିଲେ ତାହା ପୋଲିସ ତଦନ୍ତ କରୁଛି ।ଏମାନଙ୍କ ନାମରେ କେଉଁ କେଉଁ ଥାନାରେ କଣ ଅଭିଯୋଗ ଅଛି ସେ ସମ୍ପର୍କରେ ପୋଲିସ ଖୋଳତାଡ଼ କରୁଥିବା ବେଳେ ତଦନ୍ତ ପରେ ଅଧିକ ସୂଚନା ମିଳିବ ବୋଲି ପୋଲିସ ପ୍ରକାଶ କରିଛି।


