ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ବର ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଆନୁକୂଲ୍ୟରେ ଆସନ୍ତା ଡ଼ିସେମ୍ବର ୦୧ ତାରିଖରୁ ୦୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ ହେବାକୁ ଯାଉଛି। ଏଥି ନିମନ୍ତେ ଆଜି ସ୍ଥାନୀୟ ମହାତ୍ମା ଗାନ୍ଧୀ ଯୋଜନା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜିତ ଦଳବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଦୁଲାଳସେନ୍ ଜଗଦ୍ଦେବ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ମଞ୍ଜରୀ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ତଥା ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ବୈଠକରେ ପୋଲିସ ବିଭାଗ, ଜାତୀୟ ରାଜପଥ ବିଭାଗ, ପୂର୍ତ୍ତ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ବିଭିନ୍ନ ପୌର ପାଳିକାର ଅଧିକାରୀ ଗଣ, ବିଭିନ୍ନ ମୋଟର ଯାନ ସଙ୍ଘର କର୍ମକର୍ତ୍ତା, ଜିଲ୍ଲା ଅବକାରୀ ବିଭାଗ ତଥା ଅନ୍ୟ ନିମନ୍ତ୍ରିତ ସଭ୍ୟ ମାନେ ଯୋଗ ଦେଇ ପାଳନ ହେବାକୁ ଥିବା ଏହି ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହକୁ ସଫଳ ରୂପାୟନ ଦେବା ନିମନ୍ତେ ଆଲୋଚନା କରିଥିଲେ। ଗାଡ଼ି ଗୁଡ଼ିକର ଲାଇଟ୍ ଏବଂ ଅନ୍ୟାନ୍ୟ ମେକାନିକାଲ ଅଂଶକୁ ଏହି ସପ୍ତାହ ପାଳନ ଅବସରରେ ସମ୍ପୂର୍ଣ୍ଣ ଠିକ୍ ରଖିବା, ମଦ୍ୟ ପାନ କରି ଗାଡ଼ି ନ ଚଳାଇବା, ଟ୍ରାଫିକ ନିୟମକୁ କଡାକଡି ପାଳନ କରିବା ଉପରେ ମୋଟର ସଂସ୍ଥା ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜାତୀୟ ରାଜପଥ ଉପରୁ ଅଯଥା ହମ୍ପସ ଅପସାରଣ, ରାଜପଥରେ ଥିବା ଖାଲଖମା ମରାମତି, ଟୋଲ ଗେଟ୍ ନିକଟରେ ଆମ୍ବୁଲାନ୍ସ ମହଜୁଦ ରଖିବା ତଥା ରାସ୍ତା ଏବଂ ବିଶେଷ କରି ପୋଲ ନିକଟରେ ସଚେତନତା ମୂଳକ ଏଲ.ଇ.ଡି.ଲାଇଟ୍ ଲଗାଇବା ଆଦି ଉପରେ ଜାତୀୟ ରାଜପଥ ଅଧିକାରୀଙ୍କୁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ଇଂଜିନିୟରିଂ ବିଭାଗର ଅଧିକାରୀ ମାନଙ୍କୁ ଜିଲ୍ଲାର ବିଭିନ୍ନ ରାସ୍ତାରେ ଥିବା ସମସ୍ୟାକୁ ଇତି ମଧ୍ୟରେ ସୁଧାରି ନେବାକୁ ପରାମର୍ଶ ଦିଆଯାଇଥିଲା।ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ କୁହାଯାଇଥିଲା। ବିଦ୍ୟାଳୟର ୧୮ ବର୍ଷରୁ କମ୍ ବୟସର ଛାତ୍ରଛାତ୍ରୀଙ୍କୁ ଗାଡ଼ି ଚଳାଇବା ବାରଣ କରିବା ଉପରେ ଶିକ୍ଷାୟତନର କର୍ତ୍ତୃପକ୍ଷ ଯତ୍ନବାନ୍ ହେବାକୁ ପରାମର୍ଶ ଦିଆଯାଇଥିଲା। ପୋଲିସ ବିଭାଗ ପକ୍ଷରୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ପାଟ୍ରୋଲିଙ୍ଗ ବଢ଼ାଇବାକୁ କୁହାଯାଇଥିଲା। ସ୍ବାସ୍ଥ୍ୟ ବିଭାଗ ତରଫରୁ ଯଥେଷ୍ଟ ଆମ୍ବୁଲାନ୍ସର ବ୍ୟବସ୍ଥା ସହ ଟ୍ରାଉମା କେଆର ସେଣ୍ଟର୍ ପ୍ରସ୍ତୁତ ରଖିବା ଉପରେ ଗୁରୁତ୍ଵ ଆରୋପ କରାଯାଇଥିଲା। ରାସ୍ତା ଉପରେ ଅଯଥା ପଡ଼ିରହି ଅବରୋଧ କରୁଥିବା ଗାଡ଼ି ଗୁଡ଼ିକୁ ରାଜପଥ ଉପରୁ ହଟାଇବାର ବନ୍ଦୋବସ୍ତ କରିବାକୁ ସମ୍ପୃକ୍ତ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପେଟ୍ରୋଲ ପମ୍ପ ମାଲିକ ମାନେ ବିନା ହେଲମେଟ ରେ ଆସୁଥିବା ଦୁଇଚକିଆ ଯାନ ଚାଳକଙ୍କୁ ପେଟ୍ରୋଲ ନ ଦେବା ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ଆବଶ୍ୟକ ହେଉଥିବା ସ୍ଥାନରେ ଗତି ରୋଧକ ନିର୍ମାଣ କରିବାକୁ ପରାମର୍ଶ ଦିଆଯାଇଥିଲା। ପୋଲିସ ବିଭାଗ ବିଭିନ୍ନ ବ୍ଲାକ୍ ସ୍ପଟ୍ ସହ ଅନ୍ୟ ଅଞ୍ଚଳରେ ପାଟ୍ରୋଲିଂ ବଢାଇ ନିୟମ ଭଙ୍ଗକାରୀ ଙ୍କ ଉପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅବକାରୀ ଅଧିକ୍ଷକ ନିଶା ପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ପାଇଁ ଦଣ୍ଡ ବିଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଞ୍ଚଳିକ ପରିବହନ ଅଧିକାରୀ ଯାନ ଓ ଚାଳକ ଙ୍କ ନିମନ୍ତେ ଚେକିଂ ବଢାଇ ଖିଲାପକାରୀଙ୍କ ଉପରେ ଶକ୍ତ ଦଣ୍ଡ ବିଧାନ କରିବା ଉପରେ ଜୋର୍ ଦିଆଯାଇଥିଲା। ଏହିଭଳି ଅନ୍ୟ ସମସ୍ତ ବିଭାଗ ଓ ସଂସ୍ଥା ଯତ୍ନବାନ୍ ସହକାରେ ଆସନ୍ତା ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳନ କୁ ବାଲେଶ୍ବର ଜିଲ୍ଲାରେ ସମ୍ପୂର୍ଣ୍ଣ ସଫଳ କରିବା ନିମନ୍ତେ ପ୍ରଶାସନ ତରଫରୁ ଆଶା ତଥା ନିବେଦନ କରାଯାଇଥିଲା।