୩୪ତମ କୋଣାର୍କ ଉତ୍ସବ ଉଦଯାପିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିରର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଗତ ଡିସେମ୍ବର ମାସ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୫ଦିନିଆ ୩୪ତମ କୋଣାର୍କ ଉତ୍ସବ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବରେ ପୂର୍ବତଟ ରେଳପଥର ମହା ପ୍ରବନ୍ଧକ ମନୋଜ ଶର୍ମା, ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି, ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅଶୋକ କୁମାର ତ୍ରିପାଠୀ, ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ ଅରୁଣା ମହାନ୍ତି ଓ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ଉଦଯାପନୀ ସନ୍ଧ୍ୟାର ପ୍ରଥମାର୍ଦ୍ଧରେ ପ୍ରସିଦ୍ଧ ଓଡିଶୀ ନୃତ୍ୟ ଶିଳ୍ପୀ ଗୁରୁ କୁମ୍ କୁମ୍ ମହାନ୍ତି ଓ ଗୀତ ଗୋବିନ୍ଦ ଓଡିଶୀ ଅନୁଷ୍ଠାନର ନୃତ୍ୟ ଶିଳ୍ପୀ ମାନେ ମଂଚ ପୂଜା ଓ ହଂସ ଧ୍ବନି ପଲ୍ଲବୀକୁ ସୁନ୍ଦର ଭାବେ ପରିବେଷଣ କରିଥିଲେ। ବିଚିତ୍ର ରାମାୟଣ କାବ୍ୟ ଅନ୍ତର୍ଗତ ବୈଦେଶୀ ବିଳାସ – ହେ ବନଗିରି ହେ ଲତାଗିରୀ ମୋ କାନ୍ତ ଗଲେ ମୃଗ ମାରିର ପରିବେଷଣରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ପର୍ଯ୍ୟଟକ ମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା। ଓଡିଶୀ ନୃତ୍ୟର ଅନ୍ତିମ ଚରଣରେ ମା ଭବାନୀ ପରିବେଷଣ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥିଲା। ଉଦଯାପନୀ ଉତ୍ସବର ଦ୍ଵିତୀୟ ଚରଣରେ କଥକ ନୃତ୍ୟରେ ସୂର୍ଯ୍ୟ ନାରାୟଣ ଉପାସନା ଉପରେ ଆଧାରିତ ଅଭିନୟ ସୂର୍ଯ୍ୟ ଜ୍ଯୋତି ଓ ରସ-ରୂପ ଏବଂ ରଙ୍ଗର କଳାତ୍ମକ ନିବେଦନ ରଙ୍ଗ ବସନ୍ତ। ଯାହାକି ପର୍ଯ୍ୟଟକ ମାନଙ୍କୁ ମନ୍ତ୍ର ମୁଗ୍ଧ ଓ ବିମୋହିତ କରିଥିଲା। ରାଜକୀୟ ଆଟୋପକୁ ନେଇ ଦରବାର ନୃତ୍ୟ ସଙ୍ଗୀତର ଅନୁଭବ ଦେଇଥିଲା। ଦରବାରୀ କାନାଡାର ନୃତ୍ୟ ସଂରଚନା ଗୁରୁ ଲୁନା ପୋଦ୍ଦାର ଓ ପ୍ରେରଣା ଅନୁଷ୍ଠାନର ନୃତ୍ୟ ଶିଳ୍ପୀ ମାନେ ନିଖୁଣ ଭାବରେ ପ୍ରଦର୍ଶିତ କରିଥିଲେ। ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ଠାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ଗତ ଡିସେମ୍ବର ମାସ ୧ତାରିଖ ଠାରୁ ଆରମ୍ଭ ହୋଇଥିବା ୫ଦିନିଆ ୧୩ତମ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି। ଚନ୍ଦ୍ରଭାଗା ବେଳାଭୂମି କୂଳରେ ଆନ୍ତର୍ଜାତୀୟ ଓ ଦେଶୀୟ ବାଲୁକା ଶିଳ୍ପୀ ମାନେ ଗୁରୁବାର ମାଣବସା, ଓଡିଶାର ମନ୍ଦିର ଓ ଭାରତ ବର୍ଷର କୀର୍ତ୍ତିରାଜି ଉପରେ ନିଖୁଣ ଓ ଚମତ୍କାର ବାଲୁକା କଳା ପ୍ରଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ଚନ୍ଦ୍ରଭାଗା ବେଳାଭୂମି କୂଳରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଓ ସ୍ଥାନୀୟ ଜନସାଧାରଣଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଏହି ବାଲୁକା କଳା ମହୋତ୍ସବରେ ଭାଗ ନେଇ ନିଜର କଳା ନୌପୁଣ୍ଯ ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଚେକ ରିପବ୍ଲିକ ସମେତ ୬ଗୋଟି ଦେଶର ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସମେତ ଓଡିଶା ତଥା ଓଡିଶା ବାହାରର ବାଲୁକା ଶିଳ୍ପୀ ମାନେ ନିଜ ନିଜର ଚମତ୍କାର ବାଲୁକା କଳା ପ୍ରଦର୍ଶନ କରିଥିଲେ। ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଭାଗ ନେଇଥିବା ୬ଜଣ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ, ଓଡିଶା ବାହାରର ୧୦ଜଣ ବାଲୁକା ଶିଳ୍ପୀ ଓ ଓଡିଶାର ୯୮ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରି ସେମାନଙ୍କର ଚମତ୍କାର ବାଲୁକା କଳା ପ୍ରଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ୧୧୪ଜଣ ବିଦେଶୀ ଓ ଦେଶୀୟ ବାଲୁକା ଶିଳ୍ପୀ ମାନଙ୍କୁ ରାଜ୍ଯ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦଯାପନୀ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଉଦଘୋଷକ ଭାବେ ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି କାର୍ଯ୍ୟକ୍ରମ ଉପସ୍ଥାପନା କରିଥିବା ବେଳେ ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ସୁବୋଧ ରଥ, ଡଃ ସଙ୍ଗୀତା ଗୋସାଇଁ, ପୁରୀ ଜିଲ୍ଲା ପର୍ଯ୍ୟଟନ ବିଭାଗ ସହ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ କୁମାର ସେଠୀ ଙ୍କ ସମେତ ରାଜ୍ୟ ପର୍ଯ୍ୟଟନ ବିଭାଗର ପଦାଧିକାରୀ ଓ ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀର ପଦାଧିକାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।


