ବ୍ଯାଙ୍କ ପରାମର୍ଶଦାତା କମିଟି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବିଭିନ୍ନ ବ୍ଯାଙ୍କ ଦ୍ବାରା ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ବା ଋଣ ର କୌଣସି ସମସ୍ଯା ଦେଖାଗଲେ ତାହା ପ୍ରଶାସନକୁ ଅବଗତ କରାନ୍ତୁ । ତାହାର ସମାଧାନ ହେବ ଏବଂ ହିତାଧିକାରୀଗଣ ଉପକୃତ ହୋଇ ପାରିବେ । ତତ୍ ସଙ୍ଗେସଙ୍ଗେ ବ୍ଯାଙ୍କ ମାନଙ୍କୁ ପ୍ରଦାନ କରାଯାଉଥିବା ଲକ୍ଷ୍ଯ ଧାର୍ଯ୍ୟ ପୂରଣ ହୋଇ ପାରିବ ବୋଲି ଶୁକ୍ରବାର ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବ୍ଯାଙ୍କ ପରାମର୍ଶଦାତା କମିଟି ରେ ଆଲେଚନା ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଦେବ ବ୍ରତ ସାହୁ ଅଧ୍ୟକ୍ଷତା କରି ଅବଗତ କରାଇଥିଲେଯେ ,ସରକାରଙ୍କ ବିଭିନ୍ନ ଯୋଜନା ରହିଛି । ସେଗୁଡିକର ସଫଳ ପରିଚାଳନା କ୍ଷେତ୍ରରେ ବ୍ୟାଙ୍କ ଗୁଡିକର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ, ଏଣୁ ସମସ୍ତ ବ୍ୟାଙ୍କ ଏହି ଦିଗରେ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ମାସ ସୁଦ୍ଧା ପ୍ରଦାନ କରାଯାଇଥିବା ଲକ୍ଷ୍ୟଧାର୍ଯ୍ୟ ଶତକଡା ୫୯ ପ୍ରତିଶତ ରହିଥିଲା । ଜିଲ୍ଲାରେ ସର୍ବମୋଟ ୩୧ ଗୋଟି ବ୍ୟାଙ୍କ ସହିତ ସର୍ବମୋଟ ୪୩୬ଟି ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଶାଖା ରହିଛି । ଚଳିତ ସେପ୍ଟେମ୍ବର ଶେଷ ସୁଦ୍ଧା ସମସ୍ତ ବ୍ଯାଙ୍କରୁ ସର୍ବମୋଟ ୨୭୬୨୩ କୋଟି ଟଙ୍କା ଜମା ଗ୍ରହଣ କରାଯାଇଥିବା ବେଳେ ସର୍ବମୋଟ ୨୦୭୧୮ କୋଟି ଋଣ ପ୍ରଦାନ କରାଯାଇଅଛି । ଏହା ଋଣ ଓ ଜମା ଅନୁପାତରେ ଶତକଡା ୭୫ ପ୍ରତିଶତ ହୋଇଥିବା ଜଣାପଡିଥିଲା । ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ସେପ୍ଟୋମ୍ବର ୩୦ ସୁଦ୍ଧା ବ୍ଯାଙ୍କ ମାନଙ୍କ ଦ୍ବାରା ୭୭ ପ୍ରତିଶତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ୫୫ ପ୍ରତିଶତ, ଶିକ୍ଷା କ୍ଷେତ୍ରରେ ୨୪ ପ୍ରତିଶତ, ଗୃହ ଋଣ ବାବଦକୁ ୫୭ ପ୍ରତିଶତ ଏବଂ ଅନ୍ଯାନ୍ୟ କ୍ଷେତ୍ରରେ ଶତକଡା ୨୦ ପ୍ରତିଶତ ଋଣ ପ୍ରଦାନ କରାଯାଇଥିବା ବୈଠକରେ ଜଣାପଡିଥିଲା । ଚଳିତ ଆର୍ଥିକ ବର୍ଷ ଖରିଫ୍ ଋତୁରେ ମୋଟ ୭୦୭୭୯.୮୬ ହେକ୍ଟର ଜମି ବୀମାଭୂକ୍ତ ହୋଇଥିବା ବେଳେ ମୋଟ ୫୪୮.୫୩ କୋଟି ବୀମା ଅନ୍ତର୍ଭୁକ୍ତ ହୋଇଛି । ବୈଠକରେ ମୋ ଗୃହ ଋଣ, ଡିଆରଆଇ ଋଣ, ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ କ୍ଷେତ୍ରରେ ଋଣ ପ୍ରଦାନ ମିଶନ୍ ଶକ୍ତି ସ୍କୁଟି ଯୋଜନା, ବଳରାମ କୃଷି ଯୋଜନା ଇତ୍ଯାଦି ବିଭିନ୍ନ କ୍ଷେତ୍ରରେ ପ୍ରଦାନ କରାଯାଉଥିବା ବ୍ୟାଙ୍କ ସୁବିଧା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବ୍ରହ୍ନପୁର ଆଙ୍କୁଲି ସ୍ଥିତ ଶାନ୍ତି ନଗରରେ ଏଟିଏମ୍ ସ୍ଥାପନ ନେଇ ଜନ ସାଧାରଣଙ୍କ ଦାବୀ ରହୁଛି । ଏହି ଏଟିଏମ୍ ସ୍ଥାପନର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । ମିଶନ୍ ଶକ୍ତି ଙ୍କୁ ମୋ ସ୍କୁଟି ଯୋଜନାରେ ଏଯାବତ୍ ୨୭୦୭ ଆବେଦନ ରହିଛି । ତନ୍ମଧ୍ୟରୁ ୧୬୮୬ ଗୋଟି ପ୍ରଦାନ ନିମନ୍ତେ ଆଦେଶପତ୍ର ଦିଆଯାଇଛି । ଶିକ୍ଷାଋଣ ସକାଶେ ବିଭିନ୍ନ ମହା ବିଦ୍ଯାଳୟରେ କ୍ଯାମ୍ପ କରି ଶିକ୍ଷାଋଣ ପ୍ରଦାନ କ୍ଷେତ୍ରରେ ତତ୍ପରତା କରିବାକୁ ବ୍ୟାଙ୍କ ମାନଙ୍କୁ ପରାମର୍ଶ ଦିଆଯାଇଛି । ସେହିଭଳି ଫସଲ ବୀମା ଯୋଜନାରେ ୭୭୮୧୩୦ ଆବେଦନ ରହିଛି ଯାହାକି ୭୦୭୭୯.୮୬ ହେକ୍ଟର ଜମି ବୀମାଭୂକ୍ତ କରିବା ପାଇଁ କୁହାଯାଇଛି । ବଳରାମ ଯୋଜନାରେ ୧୧୨୮ ଜମିହୀନ କୃଷକଙ୍କୁଋଣ ପ୍ରଦାନ କରାଯାଇଥିବା ଲକ୍ଷ୍ୟ ସ୍ଥଳରେ ୭୬୩ କୃଷକଙ୍କୁଋଣ ପ୍ରଦାନ କରାଯାଇଛି । ଅଣୁ, କ୍ଷୁଦ୍ର ଓ ମଧ୍ଯମ ଶିଳ୍ପ ନିମନ୍ତେ ୫୯୦୦ କୋଟି ଋଣ ପ୍ରଦାନ ଲକ୍ଷ୍ୟ କରାଯାଇଥିବା ସ୍ଥଳେ ସେପ୍ଟେମ୍ବର ଶେଷ ସୁଦ୍ଧା ୩୨୨୬ କୋଟି ଋଣ ପ୍ରଦାନ କରାଯାଇଛି , ଯାହାକି ଶତକଡା ୫୫ ପ୍ରତିଶତ । ଚଳିତ ଆର୍ଥିକ ବର୍ଷ ଶେଷ ପୂର୍ବରୁ ଯେମିତି ସମସ୍ତ ଲକ୍ଷ୍ୟ ପୂରଣ ହେବ ସେଥିନିମନ୍ତେ ପରାମର୍ଶ ଦିଆଯାଇଛି । ସମସ୍ତ ଯୋଜନା ଗୁଡିକର ସଫଳ ରୂପାୟନ କରିବା ନିମନ୍ତେ ସମସ୍ତ ସହକାରୀ ଅଧିକାରୀ ଓ ବ୍ଯାଙ୍କର ପଦାଧିକାରୀ ମାନଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଥିବା ଅତିରିକ୍ତ ଜିଲ୍ଲାପାଳ ଅବଗତ କରାଇଥିଲେ । ବୈଠକରେ ଜିଲ୍ଲା ଶିଳ୍ପ ସଂସ୍ଥା ପରିଚାଳକ ପ୍ରସନ୍ନ କୁମାର ପାତ୍ର , ୟୁନିୟନ୍ ବ୍ୟାଙ୍କ ଶାଖା ମୁଖ୍ୟ ମେଘରାଇ ମାରାଣ୍ଡୀ, ଭାରତୀୟ ରିଜର୍ଭ ବ୍ଯାଙ୍କର ଏଲଡିଓ ସନ୍ତୋଷ କୁମାର ମିଶ୍ର, ନାବାର୍ଡ ଡିଡିଏମ୍ ସଞ୍ଜିବ ମିଶ୍ର ଏବଂ ଏଲଡିଏମ୍ କିଶୋର ଚନ୍ଦ୍ର ନାୟକଙ୍କ ସମେତ ଜିଲ୍ଲାର ବିଭିନ୍ନ ସହକାରୀ ଜିଲ୍ଲା ଅଧିକାରୀ ଏବଂ ସହକାରୀ ବେସରକାରୀ ବ୍ୟାଙ୍କର ପଦାଧିକାରୀଗଣ ଉପସ୍ଥିତ ଥିଲେ । ପରିଶେଷରେ ଏଲଡିଏମ୍ କିଶୋର ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ଫଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ