ଉଦ୍ଘାଟିତ ହେଲା ବାଲେଶ୍ୱର ଜିଲ୍ଲା ବାର୍ଷିକ ମହୋତ୍ସବ କୋଶମ୍ୱ-୨୦୨୪

ବାଲେଶ୍ୱର, (ସରୋଜ ପଣ୍ଡା) : ବହୁ ପ୍ରତିକ୍ଷିତ ବାଲେଶ୍ୱର ଜିଲ୍ଲା ବାର୍ଷିକ ମହୋତ୍ସବ କୋଶମ୍ୱ-୨୦୨୪, ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଓ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଆଜି ସ୍ଥାନୀୟ ପୋଲିସ ଲାଇନ୍ ପଡିଆରେ ଉଦ୍ଘାଟିତ ହୋଇଯାଇଛି। ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ତଥା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଏହି ବିଶାଳ ମହୋତ୍ସବର ଆୟୋଜନ କରାଯାଇଛି I ଏହି ମହୋତ୍ସବର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ପାତ୍ର ଯୋଗଦାନ କରି ଏହି ୫ ଦିନ ବ୍ୟାପି ହେବାକୁ ଥିବା ବାର୍ଷିକ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ମାନୀୟ ଅତିଥିଭାବେ ମାନ୍ୟବର ବିଧାୟକ, ବାଲେଶ୍ୱର ସଦର ଶ୍ରୀଯୁକ୍ତ ସ୍ୱରୂପ ଦାସ, ମାନ୍ୟବର ବିଧାୟକ ରେମୁଣା, ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡ଼ା ଏବଂ ଓଡିଶା ସରକାରଙ୍କ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର (କେନ୍ଦ୍ରାଞ୍ଚଳ ଜୋନ) ସୁପରିଟେଣ୍ଡେଣ୍ଟ ଇଂଜିନିୟର ଶ୍ରୀଯୁକ୍ତ ଜଗବନ୍ଧୁ ରାଉତ ଯୋଗଦାନ କରିଥିଲେ I ଏହି ମେଳାରେ କୃଷି, ମିଶନ ଶକ୍ତି, ଶିକ୍ଷା, କ୍ରୀଡ଼ା, ସଂସ୍କୃତି, ନିୟୋଜନ, ସମାଜ ମଙ୍ଗଳ, ବିଭିନ୍ନ ଇଂଜିନିୟରିଂ ବିଭାଗ, ଲିଡ ବ୍ୟାଙ୍କ୍ ଏବଂ ଅନ୍ୟାନ୍ୟ ଲାଇନ୍ ବିଭାଗର ପ୍ରାୟ ୨୦୦ ଷ୍ଟଲ୍ ଏବଂ କୃଷି ଯନ୍ତ୍ରୀକରଣ ଉପରେ ୧୦୦ ଷ୍ଟଲ୍ ରହିଛି। ଦିନର ପୂର୍ବାହ୍ନ ଏବଂ ଅପରାହ୍ନ ସମୟରେ ବିଭିନ୍ନ କର୍ମଶାଳାମାନ ଆୟୋଜିତ କରାଯିବାର ବ୍ୟବସ୍ଥା ରହିଛି । ବିଭିନ୍ନ କୃଷିଜାତ, ଗ୍ରାମୀଣ, ହସ୍ତଶିଳ୍ପ, କୁଟୀର ଶିଳ୍ପ ଆଦି ଅନେକ ବ୍ୟବହାର୍ଯ୍ୟ ସାମଗ୍ରୀର ପ୍ରଦର୍ଶନ ସହ ବିକ୍ରୟ ଚାଲିଛି। ନୁଆ-ଓ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାର ବିଜେତା ଦଳମାନେ ମଧ୍ଯ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିବେ। ପୁରସ୍କାର, ସମ୍ବର୍ଦ୍ଧନା, ସମ୍ମାନ ପ୍ରଦାନ ପର୍ବ ସହ ନିଯୁକ୍ତି ମେଳା, କୃଷକ ମେଳା ଆଦି ଏହି ଅବସରରେ ଆୟୋଜିତ କରାଯାଇଛି। ଏହି ହୋତ୍ସବ ମାଧ୍ୟମରେ ଜିଲ୍ଲାର ଲୋକକଳା, ଭାସ୍କର୍ଯ୍ୟ ଏବଂ ସାହିତ୍ୟର ବିକାଶ ହେବା ସହିତ ଜନମାନସରେ ଆଦୃତ ହେବ ବୋଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ପାତ୍ର କହିଥିଲେ। ଏହି ମହୋତ୍ସବର ଉଦ୍ଘାଟନୀ ସଂଧ୍ୟାର ମୁଖ୍ୟ ଆକର୍ଷଣ ତଥା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଜାତୀୟସ୍ତରର ଖ୍ୟାତିସମ୍ପନ୍ନ ଭଜନ ଗାୟକ ଶ୍ରୀ ଅନୁପ ଜଲୋଟାଙ୍କ କଳାତ୍ମକ ପରିବେଷଣ ସମସ୍ତ ଦର୍ଶକମାନଙ୍କ ମନୋରଞ୍ଜନ କରିଥିବା ବେଳେ ବିଭିନ୍ନ କଳାକାର ମାନେ ନିଜ ନିଜ କଳା ଦ୍ଵାରା ସମସ୍ତ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ