ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଥାନାଧିକାରୀଙ୍କ ଦୁର୍ବ୍ୟବହାର
ବନ୍ତ, (ଚାନ୍ଦିନୀ ମହାନ୍ତି):ଖବର ସଂଗ୍ରହ ବେଳେ ଦୁଇ ଜଣ ସାମ୍ବାଦିକଙ୍କୁ ବନ୍ତ ଥାନାଧିକାରୀ ଦୁର୍ବବ୍ୟବହାର କରିବା ଘଟଣାକୁ ବନ୍ତ ବ୍ଲକ ସାମ୍ବାଦିକ ମହଲରେ ନିନ୍ଦା କରାଯାଇଛି । ପ୍ରକାଶ ଯେ, ଗତ ୯ ତାରିଖରେ ପଳାସଗଢିଆ ଆଦର୍ଶ ବିଦ୍ୟାଳୟ ଛକ ନିକଟରେ ବାଇପୁର ଗ୍ରାମର ଜଣେ ଯୁବକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ଏହି ଘଟଣା ଏବେ ରହସ୍ୟାବୃତ ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଏହି ଘଟଣା ସଂପର୍କରେ ଗତ ସୋମବାର ବନ୍ତ ବ୍ଲକର ଦୁଇ ଜଣ ସାମ୍ବାଦିକ ଖବର ସଂଗ୍ରହ ପାଇଁ ଥାନାକୁ ଯାଇଥିଲେ । ଏସଂପର୍କରେ ଥାନାଧିକାରୀଙ୍କ ସହ ଆଲୋଚନା ବେଳେ ଥାନାଧିକାରୀ କିଛି ନବୁଝି ସାମ୍ବାଦିକ ଦ୍ୱୟଙ୍କୁ ଆକ୍ଷେପ କରି ଆଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ । ଏଥିସହ କୌଣସି ଏକ ୱାରେଣ୍ଟ କେସରେ ଜଣେ ଆସାମୀକୁ ଗିରଫ କରାଯାଇଥିବା ବେଳେ ଉପସ୍ଥିତ ସାମ୍ବାଦିକଙ୍କୁ ଗିରଫ ରେଜିଷ୍ଟରରେ ଦସ୍ତଖତ କରିବାକୁ କୁହାଯାଇଥିଲା । ମାତ୍ର ସାମ୍ବାଦିକ ଦୁଇ ଜଣ ରେଜିଷ୍ଟରରେ ଦସ୍ତଖତ ନକରିବାରୁ ଗିରଫ ଆସାମୀକୁ ଆକ୍ଷେପ କରି ଆଶାଳୀନ ଶବ୍ଦ ବ୍ୟବହାର କରିଥିଲେ । ଥାନାଧିକାରୀଙ୍କ ଏତାଦୃଶ ଆଚରଣରେ ଉପସ୍ଥିତ ସାମ୍ବାଦିକ ଦ୍ୱୟ ଅସନ୍ତୋଷ ପ୍ରକାଶ କରିଥିଲେ । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, ବାଲେଶ୍ୱର ଆଇ.ଜି ଓ ଜିଲା ଆରକ୍ଷୀ ଅଧିକ୍ଷକ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାମ୍ବାଦିକ ମହଲରେ ଦାବୀ ହୋଇଛି ।


