ଜିଲ୍ଲାସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ- ୨୦୨୪ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସଦର ମହକୁମାସ୍ଥିତ ପୋଲିସ ପ୍ୟାରେଡ଼ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ), ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇ ସକାଳ ଘ ୮.୩୦ ମି. ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମର ଇତିହାସ ଏବଂ ମହାତ୍ମା ଗାନ୍ଧୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସମେତ ଅନ୍ୟ ଯେଉଁ ମହାନ ଦେଶଭକ୍ତମାନେ ଜାତୀୟ ସଂଗ୍ରାମରେ ସାମିଲ ହୋଇ ନିଜ ଜୀବନକୁ ଦେଶ ଓ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଯାଇଛନ୍ତି ତାହାର ସ୍ମୃତିଚାରଣ କରିଥିଲେ I ଏକ ସାଧାରଣତନ୍ତ୍ର ଦେଶ ଗଠନ ଏବଂ ସ୍ଥାୟୀ ସମ୍ବିଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ସମ୍ବିଧାନ ସଭାର ଅଧ୍ୟକ୍ଷ ଡ଼. ଭୀମରାଓ ଆମ୍ବେଦକର ଓ ଅନ୍ୟାନ୍ୟ ସଦସ୍ୟ ଓ ସେମାନଙ୍କ ଅବଦାନ ଉପରେ ମାନ୍ୟବର ମନ୍ତ୍ରୀ ଆଲୋକପାତ କରିଥିଲେ I ଇରମ, ଇଂଚୁଡିର ପବିତ୍ର ଭୂମି ହେଉଛି ଦେଶ ଓ ଜାତି ପାଇଁ ନିରସ୍ତ୍ର ଜନତାଙ୍କ ଆତ୍ମୋସର୍ଗର ମହାପର୍ବ I ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ସ୍ୱତନ୍ତ୍ର ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ପାଇଁ ବ୍ୟାସକବି ଫକୀରମୋହନ ସେନାପତି, ଉକ୍ରଳଗୌରବ ମଧୁସୂଦନ ଦାସ, କବିବର ରାଧାନାଥ ରାୟ ପ୍ରମୁଖଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ । ବାହାନଗା ରେଳ ଦୁର୍ଘଟଣା ଉଦ୍ଧାର କାର୍ଯ୍ୟ ପାଇଁ ଆଗେଇ ଆସିଥିବା ସ୍ଥାନୀୟ ଲୋକଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଉତ୍ସର୍ଗୀକୃତ ସେବା ପାଇଁ ମାନ୍ୟବର ମନ୍ତ୍ରୀ ବାଲେଶ୍ୱରଜିଲ୍ଲାବାସୀଙ୍କ ସହିତ ଜିଲ୍ଲା ପ୍ରଶାସନର ଭୁରି ଭୁରି ପ୍ରସଂଶା କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମ ରାଜ୍ୟରେ ଏବେ ବିକାଶର ଧାରା ଜାରି ରହିଥିବା ବେଳେ ଆମ ରାଜ୍ୟର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ବିକାଶ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇପାରିଥିବା ମାନ୍ୟବର ମନ୍ତ୍ରୀ କହିଥିଲେ । ୫-ଟି ଉପକ୍ରମରେ ରାଜ୍ୟରେ ବିଦ୍ୟାଳୟଗୁଡ଼ିକରେ ସୃଷ୍ଟି କରାଯାଇଥିବା ଶୈକ୍ଷିକ ପରିବେଶ, ମିଶନ ଶକ୍ତି ଅଧୀନରେ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ରାଜ୍ୟରେ ମହିଳାଙ୍କୁ ସ୍ୱାବଲମ୍ବୀ କରାଯାଇଥିବା, ମୋ ଘର ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଇତ୍ୟାଦି ଉପରେ ଆଲୋକପାତ କରି ଏହା ଦ୍ୱାରା ରାଜ୍ୟର ପ୍ରଗତିର ଧାରା ବେଶ ଆଗକୁ ଯାଇପାରିଥିବା ମାନ୍ୟବର ମନ୍ତ୍ରୀ କହିଥିଲେ । ବାଲେଶ୍ୱର ଜିଲ୍ଲାରେ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଏବଂ ଜିଲ୍ଲାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଦ୍ୱାରା ଜିଲ୍ଲା ତଥା ରାଜ୍ୟର ପ୍ରଗତି ତ୍ୱରାନ୍ୱିତ ହୋଇପାରିଥିବା ମାନ୍ୟବର ମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ମାନ୍ୟବର ମନ୍ତ୍ରୀ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ୫ ଯୋଡ଼ା ଦିବ୍ୟାଙ୍ଗ ଦମ୍ପତିଙ୍କୁ ବିବାହ ପ୍ରୋତ୍ସାହନ ସହାୟତା ରାଶି ଓ ୬ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ପ୍ରଦାନ କରିଥିଲେ I ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ସାଗରିକା ନାଥ, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇଟି ପୋଲିସ କଂଟିଜେଣ୍ଟ, ଗୋଟିଏ ପୋଲିସ ବ୍ୟାଣ୍ଡ, ଏନ.ସି.ସି ଓ ସିଭିଲିଆନ ଦଳ ମିଶାଇ ମୋଟ ୪୫ଟି ପ୍ଲାଟୁନ ଅଂଶଗ୍ରହଣ କରିଥିଲେ । ରିଜର୍ଭ ଇନସପେକ୍ଟର ଶ୍ରୀ ବିରେନ କୁମାର ବେହେରା ମାର୍ଚ୍ଚ ପାଷ୍ଟର ନେତୃତ୍ୱ ନେବା ସହିତ ଜାତୀୟ ପତାକା ମଞ୍ଚକୁ ଅଭିବାଦନ ଜଣାଇଥିଲେ । ତାଙ୍କୁ ସହଯୋଗ କରିଥିଲେ ସେକେଣ୍ଡ-ଇନ-କମାଣ୍ଡ ଶ୍ରୀ ଜନାର୍ଦ୍ଦନ ନାୟକ । ଜିଲ୍ଲାସ୍ତରୀୟ ସମାରୋହ ଅବସରରେ ୨ ଜଣ ବରିଷ୍ଠ ସାମ୍ବାଦିକ ଓ ଜାତୀୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ଜଣେ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ୟାରେଡ଼ରେ ଅଂଶଗ୍ରହଣ କରିଥିବା ଏନ.ସି.ସି, ସ୍କାଉଟ ଗାଇଡ଼ ଏବଂ ସିଭିଲିଆନ ଦଳମାନଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦଳମାନଙ୍କୁ ସିଲଡ୍ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀମତୀ ପ୍ରିୟଦର୍ଶିନୀ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ଜନ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ