କୋଣାର୍କ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମକୁ ଭର୍ଚୁଆଲ ମୁଡରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ସହାୟତାରେ ପୂର୍ତ୍ତବିଭାଗ ଦ୍ବାରା କୋଣାର୍କ ସ୍ଥିତ ଭଗବତୀ ମହାବିଦ୍ୟାଳୟ ଠାରେ ନିର୍ମିତ ବିଜୁ ପଟ୍ଟନାୟକ ବହୁମୂଖୀ ଇନଡୋର ଷ୍ଟାଡିୟମକୁ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ଖବରରୁ ପ୍ରକାଶ ଯେ ଗ୍ରାମାଞ୍ଚଳରେ କ୍ରୀଡା ଭିତ୍ତିଭୂମିର ବିକାଶ ଓ ଯୁବକ ଯୁବତୀ ମାନଙ୍କୁ କ୍ରୀଡାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଓଡିଶାର ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସମେତ ୪୮ ଗୋଟି ଇନଡୋର ଷ୍ଟାଡିୟମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ଯୁବ ସମାଜର କ୍ରୀଡା ବିକାଶ ପାଇଁ ଲୋକାର୍ପିତ କରିଛନ୍ତି। ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ପୂର୍ତ୍ତବିଭାଗ ପକ୍ଷରୁ କୋଟି ଟଙ୍କାରେ ନିର୍ମିତ ଏହି ଇନଡୋର ଷ୍ଟାଡିୟମ ମଧ୍ୟରେ ବ୍ଯାଡମିନ୍ଟନ, ଯୋଗ, ଜିମନାଷ୍ଟିକ ସମେତ ବିଭିନ୍ନ ଇନଡୋର କ୍ରୀଡା ପ୍ରଦର୍ଶନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। କୋଣାର୍କ ଭଳି ଐତିହ୍ୟ ସଂପନ୍ନ ପର୍ଯ୍ୟଟନ ସ୍ଥଳୀରେ ଏହି ଇନଡୋର ଷ୍ଟାଡିୟମ ନିର୍ମାଣ ହେବା ଫଳରେ କ୍ରୀଡା କ୍ଷେତ୍ରରେ ସ୍ଥାନୀୟ ଅଂଚଳର ଯୁବକ ଯୁବତୀ ଓ କ୍ରୀଡ଼ା ପ୍ରେମୀ ମାନଙ୍କ ପାଇଁ କ୍ରୀଡା କ୍ଷେତ୍ରରେ ଅଧିକରୁ ଅଧିକ କ୍ରୀଡାବିତ ସୃଷ୍ଟି କରିବା ଦିଗରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିବା ସହ ଗ୍ରାମାଞ୍ଚଳରେ ନୂତନ କ୍ରୀଡାବିତ ସୃଷ୍ଟି ଦିଗରେ ଏକ ମାଇଲି ଖୁଣ୍ଟ ସଦୃଶ ବୋଲି ବୁଦ୍ଧିଜୀବି ଓ କ୍ରୀଡ଼ାବିତ ମହଲରେ ଏକ ଉତ୍ସାହ ସୃଷ୍ଟି କରିଛି। ଏହି ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ରଶ୍ମିରଞ୍ଜନ ସାହୁ, ଗୋପ ବ୍ଲକ ବିଡିଓ ଛବିରାଣୀ ସାହୁ, କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଧଳ, କୋଣାର୍କ ଏନଏସି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ଓ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମାରୋହରେ କୋଣାର୍କ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ ଭଗବତୀ ମହାବିଦ୍ୟାଳୟର ୨୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ।


