ସମବାୟ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରାପ୍ୟ ଆସନ୍ତା ୧୫ ଦିନ ମଧ୍ୟରେ ପ୍ରଦାନ ପାଇଁ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ୍ର ବୁଧବାର ଦିନ ହରିପ୍ଲାଜାରେ ଅନୁଷ୍ଠିତ ବାର୍ଷିକ ସାଧାରଣ ଅଧିବେଶନରେ ଦୀର୍ଘବର୍ଷ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ପ୍ରାୟ ୬୫ଜଣ କର୍ମଚାରୀଙ୍କୁ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯାଇ ନଥିବାରୁ ସଭାରେ କେତେକ ସଭ୍ୟ ଉଦ୍ବେଗ ପ୍ରକାଶ କରିଥିଲେ । ଏହି ବୟସ୍କ କର୍ମଚାରୀମାନେ ହରିପ୍ଲାଜାକୁ ପ୍ରବେଶ ଫାଟକ ପାଖରେ ଖୋଲା ଆକାଶ ତଳେ ପ୍ରବଳ ରୌଦ୍ରତାପରେ ଧାରଣାରେ ବସିଥିବାର ଦେଖାଯାଇଥିଲା । ଅଧିବେଶନ ଆରମ୍ଭ ପୂର୍ବରୁ ବ୍ୟାଙ୍କର ସଭାପତି ଗଣେଶ ପ୍ରସାଦ ମହାପାତ୍ର ଧାରଣାକାରୀଙ୍କ ନିକଟକୁ ଆସି ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । ସମବାୟ ବ୍ୟାଙ୍କ୍ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ହରିଶ ଚନ୍ଦ୍ର ସାହୁ ଓ ସଂପାଦକ ବାଳକୃଷ୍ଣ ନନ୍ଦ ପ୍ରମୁଖ ଦୀର୍ଘବର୍ଷ ଧରି ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଓ ଅର୍ଜିତ ଛୁଟିର ପ୍ରାପ୍ୟ ପ୍ରଭୃତି ଆଇନଗତ ପାଉଣା ନ ପାଇବା ପର୍ଯ୍ୟନ୍ତ ଆନ୍ଦୋଳନରୁ ନିବୃତ୍ତ ହେବେନାହିଁ ବୋଲି ବ୍ୟାଙ୍କ୍ର ସଭାପତି ଶ୍ରୀ ମହାପାତ୍ରଙ୍କୁ ଅବଗତ କରାଇଥିଲେ ।ଏହି ଆଲୋଚନାରେ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଂପାଦକ ଦାମୋଦର ନାୟକ ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଅବସରପ୍ରାପ୍ତ ବରିଷ୍ଠ ନାଗରିକମାନଙ୍କ ଆଇନଗତ ପ୍ରାପ୍ୟ ତୁରନ୍ତ ପ୍ରଦାନ ପାଇଁ ବ୍ୟାଙ୍କ୍ର ସଭାପତିଙ୍କୁ ଅନୁରୋଧ କରିଥିଲେ । ଦୀର୍ଘ ଆଲୋଚନା ପରେ ଆନ୍ଦୋଳନକାରୀ କର୍ମଚାରୀଙ୍କର ୫ଜଣ ପ୍ରତିନିଧିଙ୍କୁ ଶ୍ରୀ ମହାପାତ୍ର ଅଧିବେଶନରେ ଯୋଗଦେବାକୁ ନିମନ୍ତ୍ରଣ ଜଣାଇଥିଲେ । ସାଧାରଣ ଅଧିବେଶନରେ ଏହି କର୍ମଚାରୀଙ୍କ ଆଇନଗତ ପ୍ରାପ୍ୟ ଆସନ୍ତା ୧୫ ଦିନ ମଧ୍ୟରେ ପ୍ରଦାନ ପାଇଁ ବ୍ୟାଙ୍କ୍ର ସଭାପତି ଓ ସଂପାଦକ ଆନ୍ଦୋଳନକାରୀ କର୍ମଚାରୀଙ୍କୁ ଜଣାଇଥିଲେ । ତେଣୁ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତିକୁ ଭରସା କରି ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ବୋଲି ଏକ ପ୍ରେସ୍ ଇସ୍ତାହାରରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଂପାଦକ ବାଳକୃଷ୍ଣ ନନ୍ଦ ଓ ସକ୍ରିୟ ସଦସ୍ୟ ଜଳଧର ପଣ୍ଡା ଜଣାଇଛନ୍ତି ।