ଦେଉଳି ମଠ ଠାରେ ପହଞ୍ଚିଲେ ପ୍ରାଚୀ ପରିକ୍ରମା ପଦଯାତ୍ରୀ
ନିମାପଡ଼ା, (ସନ୍ତୋଷ ଦାଶ):ପୁଣ୍ୟତୋୟା ପ୍ରାଚୀ ନଦୀର ମହାତ୍ମ୍ୟ ସମ୍ପର୍କ ରେ ଜନସାଧାରଣ ଙ୍କୁ ଅବଗତ କରାଇବା, ଅବକ୍ଷୟମୁଖୀ ପ୍ରାଚୀ ନଦୀ ର ପୁନଃରୁଦ୍ଧାର କରିବା, ପୁର୍ବପରି ପ୍ରାଚୀ ନଦୀ କୁ ସୁନାବ୍ୟା କରିବା ପ୍ରଭୃତି ଦାବି ରେ ପ୍ରାଚୀ ସଂସ୍କୃତି ସୁରକ୍ଷା ପରିଷଦ ର ତତ୍ବାବଧାନରେ ପରମହଂସ ପ୍ରଜ୍ଞାନାନନ୍ଦ ଗିରି ମହାରାଜ ଙ୍କ ନେତୃତ୍ଵ ରେ ଗୁରୁବାର ଠାରୁ ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ଅନ୍ଧ କପିଳେଶ୍ୱର ଶିବ ମନ୍ଦିର ଠାରୁ ପ୍ରାଚୀ ପରିକ୍ରମା ପଦଯାତ୍ରା ଆରମ୍ଭ ହୋଇଛି। ପଦଯାତ୍ରୀ ମାନେ ଗୋ କର୍ଣ୍ଣେଶ୍ୱର ମନ୍ଦିର , ନିଆଳି ନୂଆଗାଁ ର ରାଧାକାନ୍ତ ମଠ, ଶୋଭନେଶ୍ୱର ଶିବ ମନ୍ଦିର, ବାବା ଆର୍ତ୍ତତ୍ରାଣ ଗାଦୀ, ମୁସିବାବା ମଠ,ଟୋଲା ର ରାମେଶ୍ୱର ଶିବ ମନ୍ଦିର, ଜଲାରପୁର ର ସୋମନାଥ ଶିବ ମନ୍ଦିର ଦେଇ ମାଧବ ଗ୍ରାମ ର ମାଧବାନନ୍ଦ ଜିୟୁ ମନ୍ଦିର ଠାରେ ପହଞ୍ଚି ଶୁକ୍ରବାର ଦିନ ରାତ୍ରୀଯାପନ କରିଥିଲେ। ଶନିବାର ପ୍ରାତଃ ରୁ ପଦଯାତ୍ରୀ ମାନେ ମାଧବ ମନ୍ଦିର ରୁ ବାହାରି କଥାକୁହା ମହାବୀର, ପିତାପଡ଼ା ର ଅଙ୍ଗେଶ୍ଵର ଶିବ ମନ୍ଦିର, କୃଷ୍ଣପ୍ରସାଦ, ନିଜାଗଡ଼, ତଇଲପୁର ଗ୍ରାମ ଦେଇ ନୟାହାଟ ନିକଟସ୍ଥ ବେତେଣ୍ଡା ଗ୍ରାମ ଠାରେ ପହଞ୍ଚିଥିଲେ। ସେଠାରେ ପଦଯାତ୍ରୀ ମାନେ ପ୍ରାତଃ ଭୋଜନ ଗ୍ରହଣ କରି କିଛି ସମୟ ବିଶ୍ରାମ ନେଇଥିଲେ। ତା ପରେ ପଦଯାତ୍ରୀ ମାନେ ନିଭରଣ ଯାଇ ପ୍ରଭୁ ଗ୍ରାମେଶ୍ଵର ଙ୍କୁ ଦର୍ଶନ କରିବାପରେ କାକଟପୁର ର ଦେଉଳି ମଠ ଅଭିମୁଖେ ବାହାରି ଯାଇଥିଲେ। ଅପରାହ୍ନ ରେ ପଦଯାତ୍ରୀ ମାନେ ମା ମଙ୍ଗଳା ଙ୍କୁ ଦର୍ଶନ କରିବା ପରେ ଦେଉଳି ମଠ ଠାରେ ରାତ୍ରୀ ଯାପନ କରିଛନ୍ତି।ଏହି ପଦଯାତ୍ରା ରେ ବହୁ ସାଧୁ ସନ୍ଥ,ଯୋଗୀ, ଶ୍ରଦ୍ଧାଳୁ, ଗବେଷକ, ଐତିହାସିକ , ପରିବେଶପ୍ରେମୀ ଓ ପ୍ରାଚୀ ଉପତ୍ୟକାର ବିଭିନ୍ନ ମଠ ମନ୍ଦିରର ବାବାଜୀ ମାନେ ଯୋଗ ଦେଇଛନ୍ତି। ପଦଯାତ୍ରୀ ମାନଙ୍କୁ ପ୍ରାଚୀ କୂଳର ଗ୍ରାମବାସୀମାନେ ବିଭିନ୍ନ ସ୍ଥାନରେ ଫୁଲମାଳ ଦେଇ, ହରିବୋଲ ହୁଳହୁଳି ପକାଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ପଣା ପାଣି , ପଇଡ଼ ପ୍ରଦାନ କରିଥିଲେ। ଶନିବାର ପଦଯାତ୍ରୀ ମାନେ ଦେଉଳି ମଠ ଠାରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଥିବା ପଣ୍ତିତ ଚିତ୍ତରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।ଉକ୍ତ ପଦଯାତ୍ରା ରେ ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦଜୀ ଙ୍କ ସହ ଗୋଠଦା ମହନ୍ତ ଚିନ୍ତାମଣି ପର୍ବତ ମହାରାଜ , ନୂଆମଠ ର ନାମାଚାର୍ଯ୍ୟ ବାବାଜୀ ଦାମୋଦର ଦାସ, ବାବାଜୀ ରାମ ଦାସ, ,ସୁଧାନନ୍ଦ ଗିରି ମହାରାଜ, ବୈଦିକ ବ୍ରାହ୍ମଣ ପରିଷଦର ଯୁଗ୍ମ ସମ୍ପାଦକ ପଣ୍ଡିତ ଚିତ୍ତରଞ୍ଜନ ମିଶ୍ର, ପ୍ରାଚୀ ସୁରକ୍ଷା ସମିତି ଓ ପୁରୀ କ୍ରିୟାଯୋଗ ଆଶ୍ରମ ର ସାଧୁ ଓ ବ୍ରହ୍ମଚାରି ମାନେ ଯୋଗ ଦେଇଛନ୍ତି । ଅନେକ ବିଦେଶୀ ଭକ୍ତ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।


