ବାଲେଶ୍ୱରରେ ପାଳିତ ହେଲା ଜିଲ୍ଲାସ୍ତରୀୟ ୧୩୩ତମ ଡଃ ଭୀମରାଓ ଆମ୍ବେଦକର ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା):ଆଦର୍ଶ ଆଚରଣ ବିଧି ଅନୁପାଳନ କରିବା ସହ ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ସ୍ଥାନୀୟ ବାଲେଶ୍ୱର ଜିଲ୍ଲା ସଦର ମହକୁମାସ୍ଥିତ ସଦ୍ଭାବନା ସଭାଗୃହରେ ଭାରତ ସମ୍ବିଧାନର ପ୍ରଣେତା ତଥା ଭାରତରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲାସ୍ତରୀୟ ୧୩୩ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ଜୟନ୍ତୀ ସମାରୋହ ସଭାରେ ଜିଲ୍ଲାପାଳ ଶ୍ରୀ ଆଶୀଷ ଠାକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତରତ୍ନ ଡଃ ଆମ୍ବେଦକର ଆମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇଥିବା ବେଳେ ତାଙ୍କ ଦର୍ଶନ ଓ ଶିକ୍ଷାକୁ ଆମେ ବାସ୍ତବ ଜୀବନରେ କାର୍ଯ୍ୟରେ ଲଗାଇବାକୁ ପ୍ରୟାସ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ୱେ ଦୃଢ ଇଚ୍ଛାଶକ୍ତି ଓ ସାମର୍ଥ୍ୟ ବଳରେ ଯେ କୌଣସି ବ୍ୟକ୍ତି ସଫଳତାର ଶୀର୍ଷକୁ ପହଞ୍ଚି ପାରିବ, ଏହା ଆମ୍ବେଦକରଙ୍କ ଜୀବନୀ ଆମକୁ ଶିକ୍ଷା ଦେଇଛି ବୋଲି ସେ କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଏହି ଜୟନ୍ତୀ ସଭାରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଡଃ ଆମ୍ବେଦକରଙ୍କ ବହୁମୁଖୀ ପ୍ରତିଭା ଏବଂ ଘଟଣାବହୁଳ ଜୀବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କ ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରିବାକୁ ଆହ୍ୱାନ ଦେଇଥିଲେ ।ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବେ ବିଭିନ୍ନ ବିଭାଗୀୟ ପଦାଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଗୃହରେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଡ଼ଃ ଆମ୍ବେଦକରଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏଠାରେ ସୂଚନା ଥାଉ କି, ପୂର୍ବାହ୍ନ ଘ ୮.୩୦ ସମୟରେ ପୋଲିସ ଲାଇନ ଛକସ୍ଥିତ ଡ଼ଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା I ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।


