ପ୍ରତିଭା ହତ୍ୟାକାରୀ ସାମ୍ବାଦିକ
ଦିପ୍ତିମୟୀ ନାୟକ
କିଏ କହିଲା ସାମ୍ବାଦିକତା କରିବା ବହୁତ ସହଜ କେବେ ସାମ୍ବାଦିକତା କରି ଦେଖନ୍ତୁ ନିଜ କର୍ମ କ୍ଷେତ୍ରରେ ଅନେକ ପ୍ରତିଭା ହତ୍ୟାକାରୀ ସାମ୍ବାଦିକ ମାନଙ୍କୁ ପାଇଯିବେ | ବେଳେବେଳେ ଇଚ୍ଛା ହେବ ଏଇଠୁ ସାମ୍ବାଦିକତା ଛାଡ଼ିଦେବି ଆଉ ସଂଘର୍ଷ କରିପାରିବିନି କାରଣ ଜଣେ ପ୍ରକୃତ ସାମ୍ବାଦିକ ଯେତିକି ସଂଘର୍ଷ କରି ଟିକେ ଉପରକୁ ଉଠିଥାଏ ସେତେବେଳେ ଆଉ କିଛି ସାମ୍ବାଦିକ ତା ଗୋଡ଼ ଟାଣି ସତ ମିଛ କଥା କହି ତାକୁ ବଦଲାମ କରିବାକୁ ଚାହିଁ ରହିଥାନ୍ତି | ସତ କହିବାକୁ ଗଲେ ଏହି ସାମ୍ବାଦିକତାରେ ବହୁତ କଷ୍ଟରେ ଦୁଇପଇସା ରୋଜଗାର ହୁଏ କିନ୍ତୁ ଏହି ରୋଜଗାର ପନ୍ଥାକୁ ମଧ୍ୟ ଅନ୍ୟମାନେ ଛଡେଇ ନେଇଥାନ୍ତି | ସାମ୍ବାଦିକକୁ ନିଶା ଭାବୁଥିବା ଲୋକ ଏଠି ହନ୍ତସନ୍ତ ହୁଏ କିନ୍ତୁ ସାମ୍ବାଦିକତାକୁ ପେସା ଭାବୁଥିବା ଲୋକ ଏଠି ଖୁବ ଖୁସିରେ ରୁହେ | ସତ କହିବାକୁ ଗଲେ ଯେତେବେଳେ ଏହି ସାମ୍ବାଦିକତା ନିଶାରୁ ପେଶାରେ ପରିଣତ ହୁଏ ସେତେବେଳେ ଖୁସି ଲାଗେ କେବଳ ଏଥିପାଇଁ ହଁ ମୁଁ ମୋ ପରିଶ୍ରମ କରିଥିଲି ମୋ ପାରିଶ୍ରମିକ ପାଇଲି | କିନ୍ତୁ ଏଠି ଯେଉଁମାନେ ପରିଶ୍ରମ କରନ୍ତିନି ସେମାନଙ୍କୁ ବହୁତ ଭଲ ପାରିଶ୍ରମିକ ମିଳେ | ବହୁତ ଭଲ ସମ୍ମାନ ମିଳେ | ଅଭିଜ୍ଞତା ନଥିଲେ ମଧ୍ୟ ଅଭିଜ୍ଞ ବୋଲି କୁହାଯାଏ | ଆଉ ଯିଏ ଅଭିଜ୍ଞ ହୋଇଥାଏ ତାକୁ ସବୁବେଳେ ଶୁଣିବାକୁ ମିଳେ ତମକୁ କିଛି ଜଣାନାହିଁ | ଆଜିକାଲି ଏହି ସାମ୍ବାଦିକତା କ୍ଷେତ୍ରକୁ ଯିଏ ନାହିଁ ସିଏ ଆସି ନିଜର ସ୍ଥାନ କବଜା କରି ଗୋଟେ ପ୍ରକୃତ ସାମ୍ବାଦିକର ସ୍ଥାନକୁ ମାଡି ବସୁଛନ୍ତି | ତାକୁ ଅନେକ ସମୟରେ ମୂର୍ଖ ବନେଇବା ପାଇଁ ଚାହିଁ ରହିଛନ୍ତି | ବେଳେବେଳେ ମନକୁ ଅନେକ ପ୍ରଶ୍ନ ଆସେ ଗୋଟେ ପ୍ରକୃତ ସାମ୍ବାଦିକ କଣ ଅନ୍ୟ ଜଣେ ସାମ୍ବାଦିକର ଶତ୍ରୁ ହୋଇପାରେ ପୁଣି ମନର କଥାକୁ ମନରେ ରଖି ଅନେକ ତର୍ଜମା କରେ ଆଉ ଉତ୍ତର ପାଏ ଯେଉଁମାନେ ସାମ୍ବାଦିକ ନ ହୋଇ ସାମ୍ବାଦିକର ପଦବୀ ପାଇଛନ୍ତି ସେହିମାନେ ହିଁ ଗୋଟେ ପ୍ରକୃତ ସାମ୍ବାଦିକର ପରିଚୟକୁ ନଷ୍ଟ କରିବାପାଇଁ ସବୁବେଳେ ଚାହିଁ ରହିଥାନ୍ତି | ସାମ୍ବାଦିକ ପ୍ରତି ଇର୍ଷା ଭାବ ରଖନ୍ତି | ଯେତେବେଳେ ଗୋଟେ ପ୍ରକୃତ ସାମ୍ବାଦିକ ତା ମନର କଥାକୁ ପ୍ରକାଶ କରିବାକୁ ଚାହେଁ ତା କଥା କେହି ଶୁଣନ୍ତିନି ବରଂ ସେହି ମିଛୁଆ ଡହରା ମାନଙ୍କ କଥାକୁ ଶୁଣି ଗୋଟେ ସାମ୍ବାଦିକର ସମ୍ମାନକୁ ଆଞ୍ଚ ଆସିଲା ଭଳି କଥା କୁହନ୍ତି ହେଲେ ସେମାନେ ଭୁଲି ଯାଇଥାନ୍ତି ଗୋଟେ ପ୍ରକୃତ ସାମ୍ବାଦିକ ଆଗରେ ଅର୍ଥ ଅପେକ୍ଷା ଆତ୍ମସମ୍ମାନ ବହୁତ ବଡ଼ ହୋଇଥାଏ | ଲୋକେ କୁହନ୍ତି ଧର୍ଯ୍ୟଧର ସବୁ ଠିକ ହୋଇଯିବ କିନ୍ତୁ କେବେ ଆପଣ ଦେଖିଛନ୍ତି ଯଦି ଭଲ ଖାଦ୍ୟ ଦେହରେ ବାସି ଖାଦ୍ୟ ମିଶେଇ ଲୋକେ ଖାଇବାର କାରଣ ବାସି ଖାଦ୍ୟ ସବୁବେଳେ ଅରୁଚିକର କିନ୍ତୁ ଭଲ ଖାଦ୍ୟ ରୁଚିକର | କିନ୍ତୁ ଆଜିର ସାମ୍ବାଦିକତାରେ ମଧ୍ୟ ସେମିତି ହେଉଛି ଭଲ ସାମ୍ବାଦିକଙ୍କୁ ଛାଡି ଅଭିଜ୍ଞ ନଥିବା ସାମ୍ବାଦିକ ମାନଙ୍କୁ ବେଶି ପ୍ରାଧାନ୍ୟ ଦିଆଯାଉଛି | ସତ କହିବାକୁ ଗଲେ ଏମିତି ଅନେକ ସାମ୍ବାଦିକ ଅଛନ୍ତି ଯେଉଁମାନେ ସାମ୍ବାଦିକତା ନ କରି ମଧ୍ୟ ଗୋଟେ ଭଲ ସାମ୍ବାଦିକ ହୋଇପାରିଛନ୍ତି ଏବଂ ଉତ୍ତର ବିଚାର ମଧ୍ୟ ରଖିଛନ୍ତି ହେଲେ ଆଉ ଯେଉଁ କିଛି ଅଛନ୍ତି ସେମାନେ ସାମ୍ବାଦିକତାରେ ଗୁଣ୍ଡାଗର୍ଦୀ କରୁଛନ୍ତି କହିଲେ ଚଳେ ଆଉ ଏହିଭଳି ଲୋକଙ୍କ ପାଇଁ ସଂସ୍ଥା ବଦଲାମ ହେବା ସହ ପ୍ରକୃତ ସାମ୍ବାଦିକ ମଧ୍ୟ ବଦଲାମ ହେଉଛି | ବୁଝିବ କିଏ କହିବା କାହାକୁ ଯଦି ମନକୁ ପ୍ରଶ୍ନ ଆସେ କେହି ବୁଝିବେନି ନିଜ ପଦବୀ ନିଜେ ସୁରକ୍ଷିତ ରହିବାପାଇଁ ମୁଣ୍ଡ ପୋତି ସବୁ କଥା ସହି ଏ କାନରେ ଶୁଣି ସେ କାନରେ ବାହାର କର ବୋଲି ଅନେକ ପରାମର୍ଶ ଦିଅନ୍ତି କିନ୍ତୁ ଯେତେବେଳେ ଯେଉଁମାନଙ୍କୁ ଲେଖି ଆସୁନଥିବ କହି ଆସୁନଥିବ ଆଉ ସେମାନେ ଯେତେବେଳେ ତମକୁ ମୂର୍ଖ ସଜେଇବେ ତମକୁ କହିବେ ତମେ କପି କରୁଛ ଆଉ ତମେ କରୁନ ବୋଲି ପ୍ରମାଣ ମଧ୍ୟ ଦେବ ଆଉ ବାରମ୍ବାର ଅପମାନିତ ହେବ ସେତେବେଳେ ନିଶ୍ଚିନ୍ତ ଭାବରେ କର୍ମକ୍ଷେତ୍ରରେ ଜାଗା ପରିବର୍ତ୍ତନ ହେବ କିନ୍ତୁ ମନକୁ ସେହି ପୁରୁଣା ପ୍ରଶ୍ନ ଆନ୍ଦୋଳିତ କରିଦେଉଥିବ | ନିରାଶ ହେବାକୁ ଇଚ୍ଛା ନଥିଲେ ବି ମନ ଉଦାସ ରହିବ | ଆଖିର ଲୁହକୁ ଲୁଚେଇବାକୁ ଚାହିଁଲେ ବି ଆଖିରେ ଲୁହ ଆସିବ | ହୃଦୟର ସ୍ପନ୍ଦନକୁ ରୋକିବାକୁ ଚାହିଁଲେ ବି ସେ ସ୍ପନ୍ଦନ ଜୋରରେ ଚାଲିବ | ମନର କଥାକୁ କହିବାକୁ ଚାହିଁଲେ ନିଜ ଆତ୍ମୀୟ ମାନେ ବହୁତ ସାନ୍ତ୍ୱନା ଦେଵେ ହେଲେ ମନ ସେମିତି ଅଶାନ୍ତି ଥିବ | ବେଳେବେଳେ ଇଚ୍ଛା ହେଉଥିବ ନିଜ ଭାଷାଗତ ସଂଯମତାକୁ ହରେଇ ସେମାନଙ୍କୁ ଉଚିତ କଥା କହିବା ପାଇଁ ହେଲେ ମନ ସିନା କହିଦିଏ ପାଟି ସାଥ ଦିଏନି କାରଣ ନିଜ ଭାଷାଗତ ସଂଯମତାକୁ ହରେଇବାକୁ ଚାହେଁନି | ବରଂ ସେ ଚେଷ୍ଟା କରେ ତା ଗୋଡ଼ ଯେତେ ଯିଏ ଟାଣନ୍ତୁ ସେ ପଡିଲେ ପଡିବ ପଛେ ସେ ପୁଣି ପଡିକି ଉଠିବ ଆଉ ଯେବେ ସେ ଦୌଡିବା ଆରମ୍ଭ କରିବ ସେବେ ଏହି ପ୍ରତିଭାହତ୍ୟାକାରୀ ମାନଙ୍କୁ ଉଚିତ ଜବାବ ଦେବ | ତେବେ ସମୟ ଏବଂ ସଙ୍ଘର୍ଷ ଯେତେବେଳେ ସଫଳତାର ରୂପ ନେବ ସେତେବେଳେ ଏହି ସାମ୍ବାଦିକ ତାର ଉଚିତ ସ୍ଥାନ ପାଇବା ସହ ତାର ପ୍ରକୃତ ସମ୍ମାନ ଫେରିପାଇବ | ତେଣୁ ଶତ୍ରୁକୁ ଭୟ ନକରି ଶତ୍ରୁକୁ ସାମ୍ନା କର | ପ୍ରତିବାଦ କରିବା ଯଦି ଶିଖିନ ପ୍ରତିବାଦ କରି ସେହି ସ୍ଥାନ ବଦଳେଇ ଉଚିତ ସ୍ଥାନ ଖୋଜ | ଯଦି ସବୁ ସ୍ଥାନରେ ସମାନ ପରିସ୍ଥିତି ସେହି ପରିସ୍ଥିତିକୁ କିପରି ନିୟନ୍ତ୍ରଣ କରାଯାଇପାରିବ ତାହାର ଉପାୟ ଖୋଜ | ନିଜ ପରିଚୟକୁ ଏମିତି ଗଢ଼ ସେମାନେ ଯେମିତି କହିବେ ହଁ ଏ ମୋ ପରିଚିତ | ଅନ୍ୟର ଗୋଡ଼ ଟାଣୁଥିବା ଲୋକ କେବେ ଉପରକୁ ଉଠିପାରେନି କାରଣ ସେତ ସବୁବେଳେ ସମସ୍ତଙ୍କ ଗୋଡ଼ ତଳେ ରହିଲା ଉପରକୁ ଉଠିବ କେମିତି ସବୁବେଳେ ସଫଳ ବ୍ୟକ୍ତିବିଶେଷ ମାନେ ସଫଳତା ପାଆନ୍ତି ଆଉ ଗୋଡ଼ଟଣା ଲୋକ ଅନେକ ଲୋକଙ୍କ ପଛରେ ପଡିଯାଆନ୍ତି | କାହିଁକି ନା ଗୋଡଟଣା ଲୋକ ସବୁବେଳେ ମାଲିସ କରି ଭଲେଇ ହୁଅନ୍ତି କିନ୍ତୁ ସଫଳ ଲୋକ ମାଲିସ ନୁହେଁ ନିଜ ବୁଦ୍ଧି, ବିବେକ, ଆତ୍ମସମ୍ମାନକୁ ନେଇ ଆଗେଇ ଚାଲନ୍ତି | ହୁଏତ ସେମାନଙ୍କ ଜୀବନର ରାସ୍ତାରେ ଅନେକ କଣ୍ଟା ବିଛେଇ ହୋଇଥାଏ ହେଲେ ସେମାନଙ୍କ ପ୍ରତିଭାକୁ ଜାଣିପାରି ସେମାନଙ୍କୁ ଉଚିତ ସ୍ଥାନରେ ପଂହଁଚେଇଁବାକୁ ଆଜି ବି ଲୋକ କିଛି କମ ନାହାନ୍ତି | ତେଣୁ ସବୁ ଲୋକ ସମାନ ନୁହଁନ୍ତି କି ସମସ୍ତେ ପ୍ରତିଭାହତ୍ୟାକାରୀ ନୁହଁନ୍ତି | ଆଜିବି ଅନେକ ସାମ୍ବାଦିକ ଅଛନ୍ତି ଯେଉଁମାନେ ବଣମଲ୍ଲୀ ସଦୃଶ ଏକ ଉତ୍ତମ ପ୍ରତିଭାକୁ ତା ପ୍ରତିଭାର ପରିଚୟ ଦିଅନ୍ତି |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ
ଅନ୍ଧାରୁଆ, ଭୁବନେଶ୍ୱର


