କଲ୍ୟାଣ ବୋର୍ଡ଼ ଗଠନ ତ୍ୱରାନିତ କରିବାକୁ ବାରିକ ସମାଜର ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନିଖିଳ ଉତ୍କଳ ବାରିକ ସିମିତିର ୮୪ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ଇନ୍‌ଷ୍ଟିଚ୍ୟୁସନ ଅଫ୍ ଇଞ୍ଜିନିୟର୍ସ ଅଡ଼ିଟୋରିୟମଠାରେ ରାଜ୍ୟ ସଭାପତି ହେମନ୍ତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ୨୬ଗୋଟି ଜିଲ୍ଲାରୁ ସହସ୍ରାଧିକ ବାରିକ ଭାଇଭଉଣୀ, ପ୍ରତ୍ୟେକ ଜିଲ୍ଲାର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ରାଜ୍ୟ ସାଧାରଣ ସମ୍ପାଦକ କୁଳମଣି ବାରିକ ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ତାଙ୍କ ସମ୍ପାଦକୀୟ ବିବରଣୀ ପାଠ କରି ରାଜ୍ୟ ସରକାର ବାରିକମାନଙ୍କ ପାଇଁ କଲ୍ୟାଣ ବୋର୍ଡ଼ ଗଠନ କରିବା ପାଇଁ ନିର୍ବାଚନ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଅଦ୍ୟାବଧି ନୀତିଗତ ଭାବେ କାର୍ଯ୍ୟକାରୀ କରାଯାଇନଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା । ସରକାର ଯଦି ଏହାକୁ ତୁରନ୍ତ କାର୍ଯ୍ୟକାରୀ ନକରନ୍ତି ତେବେ ରାଜ୍ୟର ବାରିକମାନେ କ୍ଷୌର କାର୍ଯ୍ୟ ବର୍ଜନ କରି ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରା ଯାଉଥିବା ବେଳେ ବାରିକମାନଙ୍କର କୌଳିକ ବ୍ୟବସାୟକୁ ବିକଶିତ କରିବା ପାଇଁ ଅନ୍ତତଃ ପକ୍ଷେ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ପାଇଁ ଦୃଢ ଦାବି କରିଥିଲେ । ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ସୁବାସ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାରୋହକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଥିଲେ ଯେ, ରାଜ୍ୟ ସରକାର ନାପିତ ଜାତିର ଲୋକମାନଙ୍କର ଉନ୍ନତି ପାଇଁ କଲ୍ୟାଣ ବୋର୍ଡ଼ ଗଠନ କରିବା ନିମନ୍ତେ ନିର୍ବାଚନ ଇସ୍ତାହାରରେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା କାର୍ଯ୍ୟକାରୀ କରିବା ନିମିତ୍ତ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପାଇସାରିଛି ଓ ଏହା ନୀତିଗତ ଭାବେ ଘୋଷଣା କରାଯିବା ଅପେକ୍ଷାରେ ଅଛି ବୋଲି । ଅନ୍ୟ ପକ୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାରଙ୍କ ତରଫର ଯେପରି ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ସେହିପରି କ୍ଷୌର କାର୍ଯ୍ୟରେ ଲିପ୍ତ ଥିବା କ୍ଷୌରକାରମାନଙ୍କୁ ମଧ୍ୟ ଗୋଷ୍ଠୀଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିବା ନିହାତି ଦରକାର । ଏହାଦ୍ୱାରା ସେମାନଙ୍କର କୌଳିକ ବୃତ୍ତିର ବିକାଶ କରି ସ୍ୱାବଲମ୍ବୀ ହୋଇପାରିବେ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଥିଲେ ଯେ, ବାରିକ ସଂଗଠନକୁ ପ୍ରତି ବ୍ଲକ ଓ ଜିଲ୍ଲାସ୍ତରରେ ବ୍ୟାପକ କରିବା ନିମନ୍ତେ ଗୋଟିଏ ଗୋଟିଏ କମ୍ୟୁନିଟି ହଲ୍ ନିର୍ମାଣ କରିବାର ଆବଶ୍ୟକତା ରହିଛି । ବାରିକ ଭାଇମାନେ ଜାଗା ଖଣ୍ଡିଏ ଯୋଗାଡ଼ କଲେ ରାଜ୍ୟ ସରକାରଙ୍କ ଦ୍ୱାରା ସେଠାରେ କମ୍ୟୁନିଟି ହଲ୍ ପ୍ରତିଷ୍ଠା କରାଯିବା ପାଇଁ ସେ ସହଯୋଗ ପ୍ରଦାନ କରିବେ ବୋଲି କହିଥିଲେ । ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଗାଁ ଗହଳିରେ କ୍ଷୌର କାର୍ଯ୍ୟ କରୁଥିବା ବର୍ତ୍ତନଭୋଗୀ ବାରିକମାନଙ୍କ ପାଇଁ ଓ ସହର ବଜାରରେ ସେଲୁନ୍ ଦୋକାନ ଖୋଲିଥିବା ବାରିକମାନଙ୍କୁ ଚିହ୍ନଟ କରି ସେମାନଙ୍କର ଆର୍ଥିକ ବିକାଶ ନିମନ୍ତେ ଗୋଟିଏ ଗୋଟିଏ ଗୋଷ୍ଠୀ ଗଠନ କରି ସେମାନଙ୍କୁ ଆର୍ଥିକ ସହାୟତା ରାଶି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସହଯୋଗରେ ମିଳିବା ଦରକାର । ସେଥିରୁ ୪ଲକ୍ଷ ଟଙ୍କା ଛାଡ଼ କରି ଅବଶିଷ୍ଟ ୧ ଲକ୍ଷ ଟଙ୍କାକୁ ଶତକଡ଼ା ୧ଭାଗ ସୁଧରେ ଦିଆଗଲେ ବାରିକମାନେ ପ୍ରକୃତରେ ସ୍ୱାବଲମ୍ବୀ ହୋଇପାରିବେ । ବାରିକ ଜାତିର ଲୋକମାନଙ୍କୁ ରାଜନୈତିକ ସଂରକ୍ଷଣ ଦେବା ନିହାତି ଜରୁରୀ ବୋଲି ମଧ୍ୟ ମତପୋଷଣ କରିଥିଲେ । ସଭାପତି ନିଜର ବକ୍ତବ୍ୟରେ ବାରିକମାନଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ସରକାର କାଳକ୍ଷେପଣ ନୀତି ଅବଲମ୍ବନ ନକରି ତୁରନ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ସେ ନିବେଦନ କରିଥିଲେ । ଶେଷରେ ସମ୍ପାଦକ ମାୟାଧର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ