ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହେବା ଯୋଗୁଁ ମରଣଯନ୍ତା ପାଲଟିଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଲିଙ୍ଗିପୁର ଠାରୁ ଗୋଷଣୀ ୧୦ କିମି ରାସ୍ତା ମରଣଯନ୍ତା ପାଲଟିଛି । ଏହି ଜିଲ୍ଲାର ଉପଲଡା -ଲିଙ୍ଗିପୁର ଠାରୁ ଗୋଷାଣି ପର୍ଯ୍ୟନ୍ତ ପ୍ରାୟ ୧୦ କିମି ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି. ଗୋଷଣୀ ବ୍ଲକର ୭୦ ଭାଗ ଲୋକଙ୍କ ଜୀବନରେଖା ବୋଲି କୁହାଯାଉଥିବା ଏହି ରାସ୍ତା ଖାଲଖମାରେ ପରିପୂର୍ଣ. ଏହି ରାସ୍ତାକୁ ଅନେକ ଵାର ମରାମତି କରାଯାଇଛି. ତଥାପି ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିର୍ମାଣ କାର୍ଯ୍ୟ କେତେବେଳେ ତ କାଗଜ କଲମରେ ସୀମିତ ରହୁଛି ଆଉ କେତେବେଳେ ଅତ୍ୟନ୍ତ ନିମ୍ନମାନର କାମ ହେଉଛି ବୋଲି ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଏନେଇ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଯାଇ ଏଥିରେ ଦାୟୀ ଥିବା ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଉଚିତ ପଦକ୍ଷେପ ଗ୍ରହଣ କରିବା ସହ ରାସ୍ତାକୁ ଠିକ ଭାବେ ନିର୍ମାଣ କରାନଗଲେ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି. ଗୋଷାଣି ବ୍ଲକ ସଦର ମହକୁମାକୁ ଓଡ଼ିଶା ବାଟେ ଯିବା ପାଇଁ ଏହା ପ୍ରମୁଖ ରାସ୍ତା | କିନ୍ତୁ ତାହା ଏବେ ଜନସାଧାରଣଙ୍କ ପାଇଁ ମରଣଯନ୍ତା ପାଲଟିଛି। ଏଥିଯୋଗୁଁ ଲୋକେ ଏହି ରାସ୍ତା ପରିବର୍ତ୍ତେ ଆନ୍ଧ୍ର ରାସ୍ତା ଉପରେ ନିର୍ଭର କରୁଛନ୍ତି । ଗତ କିଛିବର୍ଷ ହେଲା ରାସ୍ତାରେ ଖାଲଖମା ଯୋଗୁଁ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ରାସ୍ତାକାମ ନିମ୍ନମାନର ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଏବଂ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଯୋଗୁଁ ଦୁର୍ଘଟଣା ବଢ଼ୁଥ‌ିବାର ଗୁରାଣ୍ଡି ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଅଭିଯୋଗ କରାଯାଇଛି। ବଡବଡିଆ ବିଭାଗୀୟ ଅଧିକାରୀ ଦାମିକିଆ ଚାରିଚକିଆ ଯାନରେ ଏହି ରାସ୍ତା ଦେଇ ଯାଉଥିବାରୁ ସେମାନେ ସାଧାରଣଜନତାଙ୍କ ଅସୁବିଧା ସମ୍ପର୍କରେ ବୋଧେ ଜାଣିପାରୁନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ଉଲ୍ଲେଖିତ ରାସ୍ତା ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ବାରମ୍ବାର ମରାମତି କରାଯାଉଛି । ହେଲେ ନିମ୍ନମାନର କାମ ଯୋଗୁଁ ମରାମତି ପରେ ପରେ ପୁଣି ଖାଲଖମାରେ ଭର୍ତ୍ତି ହେଉଛି। ଏନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଗଲେ ମଧ୍ଯ କୌଣସି ସୁଫଳ ମିଳିପାରୁ ନ ଥିବାର ପ୍ରକାଶ କରିଛନ୍ତି । ଏପରିକି ଜିଲ୍ଲା ପ୍ରଶାସନ ଠାରେ ବାରମ୍ବାର ଅଭିଯୋଗ ହେଲେ ପରିସ୍ଥିତିରେ ପରିବର୍ତ୍ତନ ହେଉନାହିଁ । ଏପରି ବାରମ୍ବାର ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଉଥିବା ଅଭିଯୋଗ ହେଉଛି I ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେଉଥିବା ଅଞ୍ଚଳବାସୀ ଓ ଗୁରାଣ୍ଡି ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଅଭିଯୋଗ କରାଯାଇଛି। ଏହି ରାସ୍ତାର ତୁରନ୍ତ ନିର୍ମାଣ ଓ ମରାମତି କରା ନ ଗଲେ ଆନ୍ଦୋଳନ ପାଇଁ ଗ୍ରାମବାସୀ ନିଷ୍ପଭି ନେଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ